ନୂଆଦିଲ୍ଲୀ ୨୬/୦୨: ଭାରତୀୟ ଦଳ ଘରୋଇ ଟି୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଛି । ଦଳ ଶ୍ରୀଲଙ୍କାକୁ ୭ ଓ୍ୱିକେଟରେ ପରାସ୍ତ କରି ସିରିଜ୍ ଜିତିଛି । ମ୍ୟାଚରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦମଦାର ପ୍ରଦର୍ଶନ କରିଥିଲେ ।
ମ୍ୟାଚରେ ପ୍ରଥମେ ବୋଲିଂ କରିଥିଲା ଭାରତ । ତେବେ ବୋଲିଂରେ ୪ ଓଭରରେ ୩୭ ରନ୍ ବ୍ୟୟ କରିଥିଲେ ଜାଡେଜା । ଟି୨୦ରେ ୩୭ ରନ୍ ଦେବା ବହୁତ ବଡ କଥା । ଏହାସହ ସେ ଶ୍ରୀଲଙ୍କା ବ୍ୟାଟିଂ ସମୟରେ ଗୋଟିଏ ଓଭରରେ ୧୮ ରନ୍ ଦେଇଥିଲେ । ବୋଲିଂର ପ୍ରତିଶୋଧ ସେ ବ୍ୟାଟିଂରେ ନେଇଯାଇଥିଲେ ।
ସୂଚନାଯୋଗ୍ୟ, ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୧୮୩ ରନ୍ କରିଥିଲା । ଜବାବରେ ଭାରତ ୧୭.୧ ଓଭରରେ ୩ ଓ୍ୱିକେଟ ହରାଇ ୧୮୬ ରନ୍ କରି ବିଜୟୀ ହୋଇଥିଲା । ମ୍ୟାଚରେ ଶ୍ରେୟସ ଆୟର ୭୪ ରନ, ଜାଡେଜା ୪୫ ଓ ସଞ୍ଜୁ ସାମସନ ୩୯ କରି ଦଳର ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେବେ ଜାଡେଜା ମାତ୍ର ୧୮ ବଲରୁ ୪୫ ରନ୍ କରିଥିଲେ । ଯେଉଁଥିରେ ୭ ଚଉକା ଓ ଗୋଟିଏ ଛକା ଥିଲା ।
ବ୍ୟାଟିଂ ବେଳେ ଜାଡେଜା ଆକ୍ରମଣାତ୍ମକ ଆଭିମୁଖ୍ୟ ରଖି ଖେଳିଥିଲେ । ସେ ୧୬ତମ ଓଭରରେ ଦୁଷ୍ମନ୍ତା ଚମିରାଙ୍କୁ ପ୍ରହାର କରିଥିଲେ । ଏହି ଓଭରରେ ୨୨ ରନ୍ ହାସଲ କରିଥିଲେ ଜାଡେଜା । ଓଭରର ପ୍ରଥମ ବଲରେ ଜାଡେଜା ଦୁଇଟି ରନ୍ ନେଇଥିଲେ । ଦ୍ୱିତୀୟ ବଲରେ ଛକା ଲଗାଇଥିଲେ । ଏହାପରେ ଲଗାତର ତିନୋଟି ଚଉକା ଲଗାଇତିଲେ । ଏହାପରେ ଓ୍ୱାଇଡରୁ ରନ୍ ମିଳିଥିଲା । ଏପରି ଭାବେ ଓଭରରେ ୨୨ ରନ୍ ପାଇଥିଲା ଭାରତ ।