ଭୁବନେଶ୍ୱର : ରାଜ୍ୟରେ ଚୋରା ନିଶା କାରବାର ବଢ଼ିବାରେ ଲାଗିଛି। କାର୍ଯ୍ୟାନୁଷ୍ଠାନ ଜୋରଦାର ହେଲେ ବି ନିଶା ବେପାରୀଙ୍କ ଉତ୍ପାତ କମିନାହିଁ। ୨୦୨୦ ମସିହାରେ ୨୩ହଜାର ୨୧୨ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ୩୬ହଜାର ୨୯୧ ଓ ୨୦୨୨ ମସିହାରେ ୫୭ହଜାର ୯୪୯ ମାମଲା ରୁଜୁ ହୋଇଛି। ଗତ ବର୍ଷ ୩୧ହଜାର ୮୬୬ଟି ମାମଲାରେ ଅବକାରୀ ବିଭାଗ ଚାର୍ଜସିଟ୍ ଦାଖଲ କରିଛି। ୨୦୨୦ରେ ୧୭ ହଜାର ୯୨୧ ଜଣ ଗିରଫ ହୋଇଥିବା ବେଳେ ୨୦୨୨ରେ ୪୬ହଜାର ଗିରଫ ହୋଇଛନ୍ତି। ଏହାଛଡ଼ା ବିପୁଳ ପରିମାଣର ନିଶା ଦ୍ରବ୍ୟ ଓ ଚୋରା କାରବାରରେ ବ୍ୟବହୃତ ଗାଡ଼ି ଜବତ ହୋଇଛି। ୨୦୨୦ରେ ରାଜ୍ୟରେ ୬୭.୭୫ କୋଟି ଟଙ୍କାର ଅବକାରୀ ସାମଗ୍ରୀ ଓ ଗାଡ଼ିମୋଟର ଜବତ ହୋଇଥିବା ବେଳେ ୨୦୨୧ରେ ଏହାର ପରିମାଣ ୧୨୧.୫୨ କୋଟି ଓ ୨୦୨୨ରେ ଏହାର ପରିମାଣ ୧୭୮.୨୫କୋଟି ଟଙ୍କାରେ ପହଞ୍ଚିଛି। ସଦ୍ୟ ପ୍ରକାଶ ପାଇଥିବା ବାର୍ଷିକ ଅବକାରୀ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ସେହିଭଳି ଏହି ତିନିବର୍ଷ ମଧ୍ୟରେ ଅବକାରୀ ବିଭାଗ ବିପୁଳ ପରିମାଣର ଭାରତ ତିଆରି ବିଦେଶୀ ମଦ(ଆଇଏମ୍ଏଫ୍ଏଲ୍) ଜବତ କରିଛି। ୨୦୨୦ରେ ୬ହଜାର ୨୨୮ ଲିଟର, ୨୦୨୧ରେ ୧୮ ହଜାର ୭୨୩ ଓ ୨୦୨୨ରେ ୨୨ହଜାର ୬୮୫ ଲିଟର ଜବତ ହୋଇଛି। ଗତବର୍ଷ ଜବତ ବିଦେଶୀ ମଦ ପରିମାଣ ୨୦୨୦ ଠାରୁ ୨୬୪ ପ୍ରତିଶତ ଅଧିକ। ଏହାଛଡ଼ା ବିଅର, ଦେଶୀ ମଦ, ଭାଙ୍ଗ, ମଦ ତିଆରି ସାମଗ୍ରୀ ଓ ଟିକସ ଫାଙ୍କି ବିଦେଶୀ ମଦ ପରିମାଣ ମଧ୍ୟ ବଢ଼ିଛି। ୨୦୨୨ରେ ଟିକସ ଫାଙ୍କି ଅଭିଯୋଗରେ ୧୦ ହଜାର ୫୧୭ ଲିଟର ବିଦେଶୀ ମଦ ଜବତ ହୋଇଛି।
ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ନିଶା କାରବାର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୨୦ ମସିହାରେ ରାଜ୍ୟରେ ୧୬ ହଜାର ୭୩୩ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦୨୧ରେ ୩୨ହଜାର ୮୭୧ କେଜି ଓ ୨୦୨୨ରେ ୩୮ହଜାର ୩୫ କେଜି ଗଞ୍ଜେଇ ଜବତ ହୋଇଛି। ଗତବର୍ଷ ଜବତ ହୋଇଥିବା ଗଞ୍ଜେଇର ପରିମାଣ ୨୦୨୦ ତୁଳନାରେ ୧୨୭ ପ୍ରତିଶତ ଅଧିକ ବୋଲି ବିଭାଗ କହିଛି। ୨୦୨୦ ମସିହାରେ ରାଜ୍ୟରୁ ୧କେଜି ୮୬୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୨୦୨୧ରେ ୧୨କେଜି ୪୯୦ ଗ୍ରାମ ଓ ୨୦୨୨ରେ ୨୮କେଜି ୭୬୯ଗ୍ରାମ ଜବତ ହୋଇଛି। ଏହା ବାଦ୍ ମୋଲାସେସ୍, ତାଡି, କଫ ସିରପ୍ ଆଦି ବିପୁଳ ପରିମାଣରେ ଜବତ ହୋଇଛି।
ଅବକାରୀ ବିଭାଗ ସୂଚନା ମୁତାବକ, ତ୍ୱରିତ ଦଣ୍ଡ ବିଧାନ ଓ ମାମଲା ପରିଚାଳନା ପାଇଁ ପ୍ରତିମାସରେ ଅବକାରୀ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ପଞ୍ଚାୟତ, ପୌର ଓ ଉପନିର୍ବାଚନଗୁଡିକ ସମୟରେ ଚୋରା ନିଶା କାରବାରକୁ ପ୍ରତିହତ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ୨୪ଘଣ୍ଟିଆ ଚଢ଼ଉ ବ୍ୟବସ୍ଥା କରାଯାଉଛି। ଚୋରା ନିଶା ବେପାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ନିୟମିତ ଚଢ଼ଉ କରୁଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।