କଳା ଓ ସଂସ୍କୃତି ଧର୍ମ

ପୌଷାଭିଷେକର ପୁଷ୍ପାୟୁଧ

ଆମ ପୁରାଣ ପରମ୍ପରା ଓ ଦେବତା ପ୍ରକରଣରେ ‘ଫୁଲଧନୁ’ ହେଉଛି କାମଦେବଙ୍କର ଆୟୁଧ। ସେଥିପାଇଁ ତାଙ୍କର ଅନେକ ନାମ ମଧ୍ୟରୁ ଗୋଟିଏ ହେଉଛି ‘ପୁଷ୍ପଧନ୍ୱା’। ସେ ପ୍ରେମର ଦେବତା। ବସନ୍ତ ଋତୁ ତାଙ୍କର ସାଥୀ। ସେ ଫୁଲଧନୁ ଧରନ୍ତି ଏବଂ ସେହି ଧନୁର ତୀର ହେଉଛି ଏ ଋତୁର ପାଞ୍ଚଟି ଫୁଲ। ଅଶୋକ, ଅରବିନ୍ଦ, ଚୂତ, ନୀଳୋତ୍ପଳ ଓ ନବମଲ୍ଲିକା ହେଉଛି ତାଙ୍କର ପାଞ୍ଚ ଫୁଲଶର। ଫୁଲଧନୁରେ ଫୁଲଶର ମାରି ସେ ଜଗତର ଲୋକଙ୍କୁ ମତ୍ତ କରନ୍ତି ବୋଲି ତାଙ୍କର ନାମ ‘ମଦନ’।

ପୌଷପୂର୍ଣ୍ଣିମାରେ ହେଉଥିବା ପୌଷାଭିଷେକ ବେଶରେ ଶ୍ରୀଜଗନ୍ନାଥ ଫୁଲଧନୁ ଓ ଫୁଲଶର ଧରନ୍ତି। ହୁଏତ ଏଇଥିପାଇଁ କେହି କେହି ମନେ କରିଥାଆନ୍ତି ଯେ ସେହି ବେଶ କାମଦେବଙ୍କର ବେଶ। କିନ୍ତୁ ଶ୍ରୀମନ୍ଦିରର ରୀତିନୀତିରୁ ସ୍ପଷ୍ଟ ଯେ ଏହି ବେଶରେ ‘ରଘୁନାଥ’ ହିଁ ଆଜ୍ଞାମାଳ ପାଇଥାଆନ୍ତି। ପୁଣି ଅନ୍ୟ ବେଶଠାରୁ ଏହି ବେଶର ବିଶେଷତ୍ୱ ହେଉଛି- ଏଥିରେ ଶ୍ରୀମନ୍ଦିରର ଦୁଇ ଜଣ ସେବକ ମଧ୍ୟ ଲକ୍ଷ୍ମଣ ଓ ହନୁମାନ ଭାବରେ ରତ୍ନସିଂହାସନରେ ଦଣ୍ଡଛତ୍ର ଧାରଣରେ ନିୟୋଜିତ ହୋଇଥାଆନ୍ତି।

ଏହା ଯେ କାମଦେବଙ୍କର ବେଶ ନୁହେଁ, ଏହାର ଆଉ ଏକ ପ୍ରମାଣ ହେଉଛି, ଏଥିରେ ଶ୍ରୀଜଗନ୍ନାଥ ପାଞ୍ଚଟି ଫୁଲର ଶର ନୁହେଁ; ଫୁଲରେ ତିଆରି ଗୋଟିଏ ଧନୁ ଓ ଗୋଟିଏ ଶର ହିଁ ଧାରଣ କରନ୍ତି। ଏହି ବେଶର ପ୍ରସ୍ତୁତକାରୀ, ଦୟଣାମାଳି ସେବକ ବସନ୍ତ ରଣାଙ୍କ ଅନୁସାରେ, ପୌଷାଭିଷେକର ଏହି ଫୁଲଧନୁ ପ୍ରାୟ ଦୁଇଫୁଟ ଦୀର୍ଘ ହୋଇଥାଏ। ବାଉଁଶ ପାତିଆରେ କୁନ୍ଦ ଓ ରଜନୀଗନ୍ଧା ଫୁଲରେ ଏହା ତିଆରି ହୁଏ। ଶରର ମୁନପାଇଁ ପଣସପତ୍ର ଓ ଫୁଲ ବ୍ୟବହାର କରାଯାଏ।

କିନ୍ତୁ କେବଳ ଧନୁ ଓ ତୀର ଏହି ବେଶର ଆୟୁଧ ନୁହେଁ। ଏହି ବେଶରେ ଶ୍ରୀଜଗନ୍ନାଥ ମୋଟ ଦଶଟି ପୁଷ୍ପାୟୁଧ ଧାରଣ କରନ୍ତି। ଧନୁ ଓ ତୀର ବ୍ୟତୀତ ଅନ୍ୟ ଆୟୁଧ ହେଉଛି- ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ଼୍‌ଗ ଓ ଢାଲ। ତାତ୍ପର୍ଯ୍ୟପୂଣ୍ଣ ବିଷୟ ହେଉଛି- ହଳ ଓ ମୂଷଳର ପୁଷ୍ପାୟୁଧ ମଧ୍ୟ ଶ୍ରୀଜଗନ୍ନାଥ ଏହି ବେଶରେ ଧାରଣ କରିଥାନ୍ତି।

ଏହା ଶ୍ରୀଜଗନ୍ନାଥଙ୍କର ଏକ ଐଶ୍ୱର୍ଯ୍ୟ ବେଶ। ଏଥିରେ ଶ୍ରୀଜଗନ୍ନାଥ ତାଙ୍କର ସପ୍ତମ ତଥା ତ୍ରେତୟା ଯୁଗର ଅବତାର ଶ୍ରୀରାମ ଭାବରେ ହିଁ ଭକ୍ତଗଣଙ୍କୁ ଦର୍ଶନ ଦେଇଥାଆନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ