ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ପୂର୍ବତନ ରେଳବାଇ ମହାପ୍ରବନ୍ଧକ ପିକେ ଜେନାଙ୍କ ଘରେ ଚଢ଼ଉ କରିଛି। କଟକ, ଭୁବନେଶ୍ବର, ଜଗତସିଂହପୁର ସମେତ ୪ଟି ସ୍ଥାନରେ ସିବିଆଇର ୪ଟି ଟିମ୍ ଚଢ଼ଉ କରିଛି। ଚଢ଼ଉ ବେଳେ ୪କୋଟି ୨୮ଲକ୍ଷ୮୭ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି।
ଆୟବହିର୍ଭୂତ ସମ୍ପତ୍ତି ନେଇ ବାରମ୍ବାର ଅଭିଯୋଗ ପରେ ବୁଧବାର ସିବିଆଇର ୪ଟି ଟିମ୍ ଏକକାଳୀନ ଭୁବନେଶ୍ବର ସମେତ ଜଗତସିଂହପୁର, କଟକରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଶ୍ରୀ ଜେନାଙ୍କ ଘରୁ ନଗଦ ୧୦ଲକ୍ଷ ଟଙ୍କା, ପୁଳାପୁଳା ସୁନାଗହଣା ଜବତ କରିଥିଲା। ସେହିପରି ରାଜଧାନୀରେ ଥିବା ଫ୍ଲାଟ, ପ୍ଲଟ ସମେତ କଟକ ଓ ଜଗତସିଂହପୁରରେ ଥିବା କେତେକ ଜମି, କାର୍, ବାଇକ୍ ଠାବ କରାଯାଇଥିଲା। ଏହାଛଡ଼ା ତାଙ୍କର ବ୍ୟାଙ୍କ ଓ ପୋଷ୍ଟାଲ୍ ଜମା, ଇନ୍ସ୍ୟୁରାନ୍ସ ବଣ୍ଡ ଏବଂ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ପୁଲିସ ଠାବ କରିଛି। ତେବେ ୨୦୦୫ରୁ ୨୦୨୨ ମଧ୍ୟରେ ଶ୍ରୀ ଜେନାଙ୍କ ଆୟ ବହିର୍ଭୂତ ସମ୍ପତ୍ତିକୁ ସିବିଆଇ ହିସାବ କରିଛି। ହିସାବରୁ ଜଣାପଡ଼ିଛି ଯେ, ୧କୋଟି ୯୨ଲକ୍ଷ ୨୧ହଜାର ଟଙ୍କା ସମ୍ପତ୍ତି ଆୟ ବହିର୍ଭୂତ। ଯାହାକି ତାଙ୍କ ଆୟର ୫୯%। ଏନେଇ ସିବିଆଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।