ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ବସ୍‌ଷ୍ଟାଣ୍ଡ୍‌: ବଦଳୁନି ୯୦ ଦଶକର ଚିତ୍ର

ପୁରୀ : ପୁରୀ ସହରର ଦୃଶ୍ୟପଟ୍ଟ ବଦଳୁଛି। ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ପର୍ଯ୍ୟଟକଟିଏ ଆସି ପ୍ରଥମେ ପାଦ ଥାପୁଥିବା ବସ୍‌ଷ୍ଟାଣ୍ଡର ଚିତ୍ର ନବେ ଦଶକରେ ଯାହା ଥିଲା ଆଜି ବି ସେୟା ରହିଯାଇଛି। ନା ବିଲ୍‌ଡିଂର ନବୀକରଣ ହେଉଛି, ନା ବିକାଶ ବସ୍‌ଷ୍ଟାଣ୍ଡକୁ ଛୁଇଁପାରିଛି। ବିଡ଼ମ୍ବନା ଏହି ଯେ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଦୋକାନ ଘର ନେଇଥିବା ଦୋକାନ ମାଲିକ ବର୍ଷ ବର୍ଷ ଧରି ପୌରସଂସ୍ଥାକୁ ଘର ଭଡ଼ା ଦେଉନାହାନ୍ତି। ଏପରିକି ବସ୍‌ ସଂଘ ଉପରେ ମଧ୍ୟ ଲକ୍ଷାଧିକ ଟଙ୍କାର ବକେୟା ଗଡ଼ି ଚାଲିଛି। ବହୁ ଦୋକାନ ଘରଗୁଡ଼ିକ ପ୍ରାୟ ୫ରୁ ୧୦ ବର୍ଷ ହେବ ଭଡ଼ା ଦେଉନାହାନ୍ତି। ମାତ୍ର ପୌରପାଳିକା ଆଜିଯାଏ କଡ଼ା ଆଭିମୁଖ୍ୟ ଆପଣାଇ ନାହିଁ। ଭଡ଼ା ଆଦାୟ ତ ଦୂରର କଥା ବହୁ ବସ୍‌ ମାଲିକ ଦୈନିକ ‌୨୦ ଟଙ୍କା ଲେଖାଏଁ ଫି’ ବାବଦରେ ମଧ୍ୟ ଦେଉନାହାନ୍ତି। ଫଳରେ ଆୟ ତୁଳନାରେ ବସ୍‌ଷ୍ଟାଣ୍ଡରେ ପୌରପାଳିକାର ଖର୍ଚ୍ଚ ଆଶାତୀତ ଭାବେ ବଢ଼ିଚାଲିଛି। କେବଳ ବସ୍‌ଷ୍ଟାଣ୍ଡର ୨ କୋଟିରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ୍‌ ବକେୟା ପଡ଼ି ରହିଛି।

ବସ୍‌ଷ୍ଟାଣ୍ଡ୍‌ ପରିଚାଳନା ଦାୟିତ୍ବ ତୁଲାଉଥିବା ପୌରପାଳିକା ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଦୋକାନ ଘରମାନଙ୍କରୁ ଭଡ଼ା ସଂଗ୍ରହ ସହ ବସ୍‌ଠାରୁ ଦୈନିକ ଫି ଆଦାୟର ନିୟମ ରହିଛି। ବସ୍‌ଷ୍ଟାଣ୍ଡ୍‌ ପରିସରରେ ୧୩ଟି ଦୋକାନ ଘର ରହିଥିବା ବେଳେ କିଛି ଘର ରହିଛି। ଦୋକାନ ଘର ଓ ବସ୍‌ ସଂଘକୁ ଦିଆଯାଇଥିବା ଘର ବର୍ଗଫୁଟ ପିଛା ୨୦ ଟଙ୍କା ଦରରେ ଦିଆଯାଇଛି। ମାତ୍ର ଭଡ଼ା ଦେଉନଥିବାରୁ, ଏହା ବଢ଼ିବଢ଼ି ୩୦ ଲକ୍ଷ ଟଙ୍କା ଅତିକ୍ରମ କରିଗଲାଣି। ତଥାପି ବାବୁମାନେ ନିରବତା ଜାରି ରଖିବା ପରେ ଏବେ ନୋଟିସ୍‌ ଜାରି କରିଛନ୍ତି। ବସ୍‌ଷ୍ଟାଣ୍ଡ ବିକାଶ କଥା ଜିଲ୍ଲାପାଳ ଆଲୋଚନା ପରିସରକୁ ଆଣିବା ଏବଂ ଏଥିପାଇଁ ବଜେଟ୍‌ କଥା ଉଠିବା ପରେ ପୌରପାଳିକା ପକ୍ଷରୁ ଦୋକାନ ଘର ଓ ବସ୍‌ ସଂଘକୁ ନୋଟିସ୍‌ ଜାରି କରାଯାଇଛି। ୩ ଦିନ ମଧ୍ୟରେ ସମସ୍ତ ବକେୟା ଦେବାକୁ କୁହାଯାଇଛି। ବକେୟା ନଦେଲେ ଦୋକାନରୁ ହଟାଇ ଦେବାକୁ ନୋଟିସ୍‌ କରାଯାଇଛି। ତେବେ ବିଳମ୍ବରେ ହେଉ ପଛେ, ଦୀର୍ଘ ବର୍ଷ ପରେ‌ ପୌରପାଳିକାର ନିଦ ଭାଙ୍ଗିଛି।

ବସ୍‌ଷ୍ଟାଣ୍ଡ ପରିସରରେ ୧୩ଟି ଦୋକାନ ଘର ଭଡ଼ା ଦିଆଯାଇଥିବା ବେଳେ ବିଭିନ୍ନ ବସ୍‌ ସଂଘକୁ ୧୧ଟି ଘର ଦିଆଯାଇଛି। ସଂଘ ଗୁଡ଼ିକ ଉପରେ କ୍ରମାନ୍ବୟରେ ୩ଲକ୍ଷ ୮୦ ହଜାର, ୨ଲକ୍ଷ ୬୧ ହଜାର, ୧ଲକ୍ଷ ୫୮ ହଜାର ଓ ୧ଲକ୍ଷ ୧୪ ହଜାର ଟଙ୍କାର ବକେୟା ପଡ଼ିଛି। ଖାଲି ସେତିକି ନୁହେଁ ପୌରପାଳିକା ପକ୍ଷରୁ ମାତ୍ର ୧୧୫ଟା ବସ୍‌ ନିକଟରୁ ଦୈନିକ ‌୨୦ ଟଙ୍କା ଲେଖାଏଁ ଫି ବାବଦ ଆଦାୟ କରାଯାଉଛି। କିନ୍ତୁ ଅଧିକାଂଶ ଟୁରିଷ୍ଟ ବସ୍‌ ଏହି ଉନ୍ନୟନ ଫି ବାବଦ ଟଙ୍କା ଦେବା ପାଇଁ ସିଧା ମନା କରି ଦେଉଛନ୍ତି। ପୌରପାଳିକାର ଜଣେ ଅଧିକାରୀଙ୍କ କହିବା ମୁତାବକ, ଟୁରିଷ୍ଟ ବସ୍‌ଠାରୁ ଉନ୍ନୟନ ଫି ମାଗିଲେ ସେମାନଙ୍କ ପାଇଁ ଭିନ୍ନ ଏକ ବସ୍‌ଷ୍ଟାଣ୍ଡ ଦାବି କରୁଛନ୍ତି। କିଛି ବସ୍‌ ଚଳାଚଳ ନକରୁଥିଲେ ବି ବସ୍‌ଷ୍ଟାଣ୍ଡରେ ଜୋର ଜବରଦସ୍ତ ଆସ୍ଥାନ ଜମାଇଛନ୍ତି। ଫଳରେ ବସ୍‌ଷ୍ଟାଣ୍ଡ ପରିସରରୁ କେବଳ ବସ୍‌ଠାରୁ ଉନ୍ନୟନ ଫି ବାବଦରେ ଦୈନିକ ୨୭୦୦ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ ହୋଇପାରୁଛି। ଏଥିରେ ବସ୍‌ଷ୍ଟାଣ୍ଡର ଉନ୍ନତିମୂଳକ କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୌରପାଳିକା ଯେଉଁ ନୋଟିସ ୫ ବର୍ଷ ପୂର୍ବରୁ ଜାରି କରିବାର ଥିଲା, ତାହା ଆଜି ଜାରି କରୁଛି। ଫଳରେ ଅନେକ ଏହାର ଫାଇଦା ନେଇ ଭଡ଼ା ଟଙ୍କା ଫାଙ୍କିବାର ସୁଯୋଗ ପାଇଛନ୍ତି। ପୌରପାଳିକାର କୋହଳ ନୀତି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏନେଇ ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଦୋକାନ ଘର ଓ ସଂଘର ଘରଗୁଡ଼ିକ ଉପରେ ପଡ଼ିଥିବା ବକେୟା ଭଡ଼ା ଆଦାୟ ପାଇଁ ନୋଟିସ ଜାରି କରାଯାଇଛି। ଭଡ଼ା ବାବଦ ବକେୟା ଦେବାକୁ ନିର୍ଦିଷ୍ଟ ସମୟସୀମା ଦିଆଯାଇଛି। ସମୟ ସୀମା ମଧ୍ୟରେ ଭଡ଼ା ନଦେଲେ ସେମାନଙ୍କୁ ଉକ୍ତ ଜାଗାରୁ ହଟାଇ ଦିଆଯିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।