ଭୁବନେଶ୍ବର : ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ଆଇନ ବ୍ୟତୀତ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ଯାଜପୁର ଓ ପୁରୀଠାରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ ମଂଜୁରୀ ମିଳିଛି ।
ପୁରୀଠାରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସପିଟାଲ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ୨୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ କରିବେ। ସେହିପରି ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ କରାଯିବ । କୋଠା ଓ ଅନ୍ୟଭିତ୍ତିଭୂମି ଲାଗି ରାଜ୍ୟ ସରକାର ୪୨୬ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରିବେ । ଆସନ୍ତା ୩ ବର୍ଷରେ ଏହି ଦୁଇଟି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏଲଏଣ୍ଡଟି ଏହି ଦୁଇଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ ।
ବର୍ତ୍ତମାନ ଓଡ଼ିଶାରେ ୧୨ଟି ମେଡିକାଲ କଲେଜ ଥିବା ବେଳେ ସେଥିମଧ୍ୟରୁୁ ୮ଟି ସରକାରୀ ଓ ୪ଟି ଘରୋଇ ମେଡିକାଲ କଲେଜ ରହିଛି । ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁରରେ ମେଡିକାଲ କଲେଜ ଥିଲା ଏବଂ ଏହାପରେ କୋରାପୁଟ, ବାରିପଦା, ବାଲେଶ୍ବର ଓ ବଲାଙ୍ଗୀରରେ ମେଡିକାଲ କଲେଜ ସ୍ଥାପନ ହୋଇଥିଲା। ଆଜି ରାଜ୍ୟ ସରକାର ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ନିର୍ମାଣ ଲାଗି ଟେଣ୍ଡରକୁ ଅନୁମୋଦନ କରିଥିବା ବେଳେ ପୂର୍ବରୁ କନ୍ଧମାଳରେ ମେଡିକାଲ ନିର୍ମାଣ ଘୋଷଣା କରିଥିଲେ ସରକାର। ଅନ୍ୟପକ୍ଷରେ କଳାହାଣ୍ଡି ଓ କେନ୍ଦୁଝରେ ନୂତନ ମେଡିକାଲ ସ୍ଥାପନ କାର୍ଯ୍ୟ ଆଗେଇ ଚାଲିଛି ।