ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ମାତିଛନ୍ତି ନକଲି ପୁଲିସ: ଲୁଟିନେଲେ ୪ ଲକ୍ଷ ଟଙ୍କାର ମୁଦି, ଚେନ୍‌

କଟକ: କଟକ ସହରରେ ପୁଣି ମାତିଛନ୍ତି ନକଲି ପୁଲିସ। ପୁଲିସ ପରିଚୟ ଦେଇ ଜଣେ ଲୁହା ବ୍ୟବସାୟୀଙ୍କ ନିକଟରୁ ପ୍ରାୟ ୩ ଲକ୍ଷ ୨୪ ହଜାର ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଦିନ ଦ୍ବିପ୍ରହରରେ ବଜ୍ରକବାଟୀ ନିକଟରେ ଏଭଳି ଘଟଣା ଘଟିଛି। ଲୁହା ବ୍ୟବସାୟୀ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, କଲେଜ ଛକରେ ଲୁହା ବ୍ୟବସାୟ କରୁଥିବା ଜୁନୁସପାଟଣା ଅଞ୍ଚଳର ୬୬ ବର୍ଷୀୟ ବିଜୟ କୁମାର ସାହୁ ବୁଧବାର ଦିନ ପ୍ରାୟ ୧୧ଟା ବେଳେ କଲେଜ ଛକରୁ ନିଜ ହୋଣ୍ଡା ଆଭିଏଟର୍ ସ୍କୁଟିରେ ରାଣୀହାଟ ଦେଇ ଦୋଳମୁଣ୍ଡାଇ ଆଡ଼କୁ ଯାଉଥିଲେ। ବୋର୍ଡ ସ୍କୁଲ ନିକଟରୁ ଦୁଇ ଜଣ ଯୁବକ ଏକ ୟାମା ବାଇକରେ ତାଙ୍କର ପିଛା କରିଥିଲେ। ବଜ୍ରକବାଟୀ ପୋଲ ନିକଟରେ ସେମାନେ ତାଙ୍କୁ ଅଟକାବାକୁ ଉଦ୍ୟମ କରିଥିଲେ। କିନ୍ତୁ ଜରୁରୀ କାମରେ ଯାଉଥିବାରୁ ସେ ଅଟକି ନଥିଲେ। ସେମାନେ ଅମ୍ବର ଏନଏକ୍ସ ନିକଟରେ ତାଙ୍କୁ ପୁଣି ଥରେ ଅଟକାଇବାକୁ ଉଦ୍ୟମ କରିବାରୁ ବିଜୟ ଗାଡ଼ି ରଖିଥିଲେ। ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ଏକ ପୁଲିସ ପରିଚୟପତ୍ର ଦେଖାଇଥିଲା। ଆଗରେ ଛିନତାଇ ହେଉଛି, ସୁନା କାଢି ରଖନ୍ତୁ ବୋଲି ତାଙ୍କୁ ହିନ୍ଦୀରେ କହିଥିଲା। ବିଜୟ ପିନ୍ଧିଥିବା ଏକ ୫୦ ଗ୍ରାମର ଚେନ୍ ଓ ୧୦ ଗ୍ରାମର ମୁଦିକୁ ଖୋଲି ରଖିବାକୁ ସେମାନେ କହିଥିଲେ। ବିଜୟ ସ୍କୁଟି ଡିକିରେ ଥିବା ଏକ କାଗଜ କାଢ଼ି ଏଥିରେ ସୁନା ଅଳଙ୍କାର ଗୁଡ଼ାଇ ସାର୍ଟ ପକେଟରେ ରଖିଥିଲେ। କିନ୍ତୁ ଚୋର ମାତିଥିବାରୁ ଏହାକୁ କାଢ଼ି ଡିକିରେ ରଖିବାକୁ ସେମାନେ କହିଥିଲେ। ବିଜୟ ଡିକିରେ ରଖିବା ସମୟରେ ଏହି ଦୁଇ ଜଣ କୌଶଳକ୍ରମେ ସୁନା ଅଳଙ୍କାର କାଗଜ ପୁଡ଼ିଆକୁ ଗାଏବ କରି ସେଠାରୁ ଫେରାର୍ ହୋଇଯାଇଥିଲେ।

ବିଜୟଙ୍କ କହିବା ଅନୁଯାୟୀ, ଏହି ଗାଡ଼ି ନମ୍ବର ପ୍ଲେଟରେ ଝାଡ଼ଖଣ୍ଡ ବୋଲି ଉଲ୍ଲେଖ ରହିଥିଲା। ଲୁଟ୍ ସୁନା ଅଳଙ୍କାରର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଏହି ଦୁଇ ଅଭିଯୁକ୍ତ ହେଲମେଟ୍ ପିନ୍ଧିଥିବା ବେଳେ ଦୁଇ ଜଣ ଡେଙ୍ଗା ଏବଂ ଜଣେ ଶ୍ୟାମଳ ଓ ଅନ୍ୟ ଜଣେ ଗୋରା ରଙ୍ଗର ବୋଲି ବିଜୟ କହିଛନ୍ତି।

ଅନ୍ୟପଟେ ସହରରେ ପୂର୍ବ ଘଟିଥିବା ସମାନ ଧରଣର ଦୁଇଟି ମାମଲାରେ ବି ଅଭିଯୁକ୍ତଙ୍କ ପତ୍ତା ମିଳିନାହିଁ। ୨୦୨୨ ନଭେମ୍ବର ୨୮ ତାରିଖରେ ଲାଲବାଗ ଥାନା ଅନ୍ତର୍ଗତ ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ଏଭଳି ଘଟଣା ଘଟିଥିଲା। ଅଲିଶାବଜାର ଅଞ୍ଚଳର ୬୪ ବର୍ଷୀୟା ସରସ୍ବତୀ ମହାରଣା ମନ୍ଦିରରୁ ଫେରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ପୁଲିସ ପରିଚୟ ଦେଇ ତାଙ୍କ ସହିତ କଥା ହୋଇଥିଲେ। ସେ ପିନ୍ଧିଥିବା ଚୁଡ଼ି, ମୁଦି ଖୋଲି ନିଜ ପାଖରେ ରଖିବାକୁ କହି ସେମାନେ ତାଙ୍କ ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଲାଲବାଗ ଥାନାରେ ମାମଲା ରୁଜୁ ହୋଇଥିଲା। ସେହିଭଳି ୨୦୨୩ ଏପ୍ରିଲ ୧୧ ତାରିଖରେ ମାଲଗୋଦାମ ପାଟରାସାହିର ନିଳାମ୍ବର ମିଶ୍ର ପୂଜା କରିବାକୁ ଘରୁ ସାଇକେଲରେ ଶିଖରପୁର ଆଡ଼କୁ ଯାଉଥିବା ବେଳେ ବମ୍ବେ ହୋଟେଲ୍ ନିକଟରେ ଦୁଇ ଜଣ ଯୁବକ ସେଠାରେ ପହଞ୍ଚି ପୁଲିସ ପରିଚୟ ଦେଇଥିଲେ। ଲୁଟେରା ମାତିଥିବାରୁ ଅଳଙ୍କାର କାଢ଼ି ବ୍ୟାଗରେ ରଖିବାକୁ କହିଥିଲେ। ନିଳାମ୍ବର ଅଳଙ୍କାର ରଖିବା ସମୟରେ ଦୁର୍ବୃତ୍ତମାନେ କୌଶଳକ୍ରମେ ଏହାକୁ ଲୁଟି ନେଇଥିଲେ। ମାଲଗୋଦାମ ଥାନାରେ ସେହି ମାମଲା ରୁଜୁ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।