ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଭୁଲ୍ କରିଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ବାଇଡେନ ୨ଟି ଭୁଲ୍ କରିଛନ୍ତି। ବାଇଡେନ୍ ୟୁକ୍ରେନକୁ ଇରାକ୍ କହିଛନ୍ତି ଏବଂ ଭାରତକୁ ଚୀନ୍ କହିଛନ୍ତି। ସାଉଥ ଲନ୍ରେ ସାମ୍ବାଦିକଙ୍କ ସହ କଥା ହେବା ସମୟରେ ବାଇଡେନଙ୍କୁ ସାମ୍ବାଦିକମାନେ ପୁଟିନଙ୍କ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ। ୱାଗ୍ନର ଗ୍ରୁପ୍ର ବିଦ୍ରୋହ ପରେ ପୁଟିନ ଦୁର୍ବଳ ହୋଇଛନ୍ତି କି ବୋଲି ପ୍ରଶ୍ନ କରିବାରୁ ଏହାର ଉତ୍ତରରେ ବାଇଡେନ କହିଥିଲେ, ପୁଟିନ ଇରାକ୍ ଯୁଦ୍ଧ ହାରିବା ସ୍ପଷ୍ଟ ଦେଖାଯାଉଛି। ଏହାର ଦିନକ ପୁର୍ବରୁ ବାଇଡେନ ଏକ କାର୍ଯ୍ୟକ୍ରମରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ତାଙ୍କର ନୂଆ ବେଷ୍ଟ୍ ଫ୍ରେଣ୍ଡ୍। ତେବେ ସେ ଭାରତ କହିବା ସ୍ଥାନରେ ଭୁଲ୍ରେ ଚୀନ୍ କହିଦେଇଥିଲେ। ବାଇଡେନ୍ କହିଥିଲେ ମୋଦୀ ହେଉଛନ୍ତି ଚୀନ୍ରୁ ମୋର ବେଷ୍ଟ୍ ଫ୍ରେଣ୍ଡ୍। ତେବେ ସେ ତୁରନ୍ତ ତାଙ୍କର ଭୁଲ୍ ସୁଧାରି ନେଇଥିଲେ। ପୂର୍ବରୁ ମଧ୍ୟ ବାଇଡେନ୍ ଏମିତି ଭୁଲ୍ ଅନେକ ଥର କରିଛନ୍ତି।
ବହୁଚର୍ଚ୍ଚିତ ଭୁଲ୍
୨୦୨୧ରେ ସାଉଥ୍ କାରୋଲିନା ଷ୍ଟେଟ୍ ୟୁନିଭର୍ସିଟିରେ ଭାଷଣ ଦେଉଥିବା ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭୁଲ୍ରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ‘ପ୍ରେସିଡେଣ୍ଟ୍ ହାରିସ୍’ କହିଥିଲେ।
୨୦୨୧ ନଭେମ୍ବର ୨୦ରେ ନିଜର ୭୯ତମ ଜନ୍ମଦିନକୁ ସେ ଭୁଲ୍ରେ ୫୮ତମ ଜନ୍ମଦିନ କହିଥିଲେ। ସାମ୍ବାଦିକଙ୍କ ସହ କଥା ହେବା ସମୟରେ ସେ କହିଥିଲେ, ଆଗକୁ ମୁଁ ୫୮ତମ ଜନ୍ମଦିନ ପାଳନ କରିବାକୁ ଯାଉଛି।
ହ୍ବାଇଟ୍ ହାଉସରେ ବାଇଡେନ୍ ୧୯୬୭ ମସିହାର ୬ ଦିନିଆ ଯୁଦ୍ଧ ଏବଂ ୧୯୭୩ ମସିହାର ୟମ କିପ୍ପୁର ଯୁଦ୍ଧକୁ ନେଇ ଦ୍ବନ୍ଦ୍ବରେ ପଡ଼ିବା ସହ ଆରବ-ଇସ୍ରାଏଲ ଇତିହାସ ଭୁଲି ଯାଇଥିଲେ।
ଗତବର୍ଷ ବାଇଡେନ ବ୍ରିଟେନରେ ଜି-୭ ସମ୍ମିଳନୀରେ ଲିବିୟା ଏବଂ ସିରିୟାକୁ ନେଇ ୩ ଥର ଦ୍ବନ୍ଦ୍ବରେ ପଡ଼ିଥିଲେ ।ୱାସିଂଟନରେ ଏକ ସମାବେଶରେ ସେ ଜଣେ ମୃତ କଂଗ୍ରେସ ସଦସ୍ୟଙ୍କୁ ଜୀବିତ ଭାବି ଖୋଜିଥିଲେ। ୟୁକ୍ରେନରେ ରୁଷ୍ ଆକ୍ରମଣକୁ ସମାଲୋଚନା କରି ବାଇଡେନ ୟୁକ୍ରେନ ନାଗରିକଙ୍କୁ ଭୁଲ୍ରେ ଇରାନ ନାଗରିକ କହିଥିଲେ।