ରାଜ୍ୟ ସ୍ପେଶାଲ ରିପୋର୍ଟ

ପିଏମ୍‌ କିଷାନରେ ନୂଆ କେଁ: ୪୫% ହିତାଧିକାରୀଙ୍କୁ ମିଳିନି ସହାୟତା

ଭୁବନେଶ୍ବର : ବର୍ଷାଧିକ କାଳ ଧରି ହୋଇନଥିବା ଜମି ବନ୍ଦୋବସ୍ତ, ଚକବନ୍ଦୀ ଓ ମ୍ୟୁଟେସନ୍‌ ଏବେ ଓଡ଼ିଶା ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛି। ଏହାର ସିଧାସଳଖ ପ୍ରଭାବ ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହିତାଧିକାରୀଙ୍କ ଉପରେ ପଡ଼ିଛି। ରାଜ୍ୟର ପାଖାପାଖି ୪୫ ପ୍ରତିଶତ ଚାଷୀ ଏହି ଯୋଜନାରେ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଏହି ଯୋଜନାର ଲାଭ ନେବା ପାଇଁ କେନ୍ଦ୍ର ସରକାର ଗତବର୍ଷ ନିୟମରେ କିଛିଟା ପରିବର୍ତ୍ତନ ଆଣିଥିବାରୁ ଏହି ସମସ୍ୟା ହୋଇଥିବା ଜଣାଯାଇଛି। ନୂଆ ନିୟମ ଅନୁଯାୟୀ, ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ ଜମି ରେକର୍ଡର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ଜମିର ମାଲିକାନା ଏବଂ ପ୍ଲଟ୍ ନମ୍ବର ସହ ଅନ୍ୟାନ୍ୟ ବିଷୟ ଉଲ୍ଲେଖ କରିବାକୁ ହେବ। କିନ୍ତୁ ଅଧିକାଂଶ ଚାଷୀଙ୍କ ନାମରେ ଜମିର ମାଲିକାନା ନାହିଁ। ବହୁ ଚାଷୀଙ୍କ ଜମି ସେମାନଙ୍କ ବାପା, ଜେଜେ ବାପାଙ୍କ ନାମରୁ ପରିବର୍ତ୍ତନ ହୋଇନାହିଁ। ଏଥିଯୋଗୁଁ ସେମାନଙ୍କୁ ଜମି ମାଲିକାନାର ପ୍ରମାଣ ଦାଖଲ କରିବାକୁ ଅସୁବିଧା ହେଉଛି। ଫଳରେ ଆଗରୁ ସହାୟତା ପାଇ ଆସୁଥିବା ଓଡ଼ିଶାର ବହୁ ଚାଷୀ ଗତବର୍ଷର ଅଗଷ୍ଟ-ନଭେମ୍ବର କିସ୍ତି ଟଙ୍କା ବି ପାଇନାହାନ୍ତି। ତେବେ ଏଥିପାଇଁ ରାଜ୍ୟ କି କେନ୍ଦ୍ର ସରକାର ଯିଏ ବି ଦାୟୀ ହୁଅନ୍ତୁ, ଚାଷୀଙ୍କ ପାଇଁ କିନ୍ତୁ ଏହି ଯୋଜନା ପ୍ରହସନ ପାଲଟିଛି।

ଆଉ ଏକ ସମସ୍ୟା ହେଲା, ୩ବର୍ଷ ହେଲା ପିଏମ୍‌ କିଷାନ ଯୋଜନା ପଞ୍ଜୀକୃତ ହିତାଧିକାରୀ ଚାଷୀଙ୍କ ସଂଖ୍ୟା‌ ବଢ଼ି ପାରିନାହିଁ। ୨୦୨୦ ମସିହାରୁ ଅନେକ ଚାଷୀ ଏଥିପାଇଁ ଅନଲାଇନ୍‌ରେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ଆବେଦନ ବିଚାରାଧୀନ ହୋଇ ରହିଛି। ଏହାକୁ ନେଇ ଚାଷୀମହଲ‌ରେ କ୍ଷୋଭ ପ୍ରକାଶ ପାଇଛି।

ଜମି ରେକର୍ଡ ବଢ଼ାଇଛି ସମସ୍ୟା
୪ବର୍ଷ ହେଲା ବଢ଼ିନି ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା
ଅନ୍ୟ ରାଜ୍ୟରେ ବି ଶତପ୍ରତିଶତ ମିଳୁନି

ସୂଚନାନୁଯାୟୀ, ପିଏମ୍‌ କିଷାନ ଯୋଜନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଚାଷୀମାନଙ୍କୁ ତିନୋଟି କିସ୍ତି ଅର୍ଥାତ୍‌ ଏପ୍ରିଲ-ଜୁଲାଇ, ଅଗଷ୍ଟ-ନଭେମ୍ବର, ଡିସେମ୍ବର-ମାର୍ଚରେ ୨ ହଜାର ଟଙ୍କା ଲେଖାଏଁ କରି ସମୁଦାୟ ୬ହଜାର ଟଙ୍କା ଦିଆଯାଇଥାଏ। ଉକ୍ତ ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଜମା ହୁଏ। ଏଥିପାଇଁ ରାଜ୍ୟର ୪୦ ଲକ୍ଷ ୯୨ ହଜାର ୧୯୦ ଚାଷୀ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଗତ ବର୍ଷର ଅଗଷ୍ଟ-ନଭେମ୍ବର କିସ୍ତି ଏ ପର୍ଯ୍ୟନ୍ତ ଚାଷୀଙ୍କୁ ମିଳି ପାରିନାହିଁ। ତେଣୁ ଡିସେମ୍ବର-ଜାନୁଆରିର କିସ୍ତି କେବେ ମିଳିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ରେକର୍ଡକୁ ଅପଡେଟ୍ ରଖିବା ପାଇଁ କୃଷକ ପୋର୍ଟାଲ ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟ ସମାପ୍ତ ହେବାକୁ ଆହୁରି ଅନେକ ଦିନ ଲାଗିବ। ବ୍ୟାଙ୍କ ଲିଙ୍କେଜ୍‌ ଜନିତ ସମସ୍ୟା ଯୋଗୁଁ ମଧ୍ୟ ଅନେକ ଚାଷୀ ପ୍ରାପ୍ୟ ଟଙ୍କାରୁ ବଞ୍ଚିତ ହେଉଛନ୍ତି। ଏଥିଯୋଗୁଁ କେବେ ମଧ୍ୟ ଟଙ୍କା ପ୍ରଦାନ ଶତପ୍ରତିଶତ ହୋଇପାରୁନାହିଁ। ପିଏମ୍‌ କିଷାନ ନେଇ ଗବେଷଣା କରୁଥିବା ସମୀକ ପଣ୍ଡାଙ୍କ ଅନୁସାରେ, ୨୦୧୯ ମସିହା ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷ ଜନିତ ଖର୍ଚ୍ଚ ସହାୟତା ଦେବା ପାଇଁ ୨୦୧୮ ଡିସେମ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଏବଂ ୨୦୧୯ ମସିହା ଫେବ୍ରୁଆରି ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କିଷାନ ଯୋଜନା କାର୍ଯ୍ୟକାରୀ ହେଲା। କାଳିଆରେ ଭୂମିହୀନ ଚାଷୀ ମଧ୍ୟ ଏହି ଲାଭ ନେଇପାରିଲେ, କିନ୍ତୁ ବଡ଼ ଚାଷୀଙ୍କ ପାଇଁ ଏହି ବ୍ୟବସ୍ଥା ରହିଲା ନାହିଁ। କିନ୍ତୁ ପିଏମ୍‌ କିଷାନରେ ଛୋଟ ବଡ଼, ସବୁ ପ୍ରକାର ଜମି ମାଲିକ ଥିବା ଚାଷୀ ଏହି ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି। ୨୦୧୯ ମସିହାରେ କାଳିଆର ହିତାଧିକାରୀଙ୍କ ରେକର୍ଡ କେନ୍ଦ୍ର ସରକାରଙ୍କୁ ଦିଆଯାଇ ସେହି ଅନୁଯାୟୀ ସେମାନେ ଟଙ୍କା ଦେବା ପାଇଁ କୁହାଗଲା। କିନ୍ତୁ ଏହା ପରଠାରୁ ପିଏମ୍‌ କିଷାନ ଯୋଜନା ପାଇଁ ଚାଷୀ ଅନଲାଇନ୍‌ରେ ପଞ୍ଜୀକରଣ କରିଥିଲେ ମଧ୍ୟ ବ୍ଲକ୍‌ କିମ୍ବା ଜିଲ୍ଲାସ୍ତରରେ ଏହି ଆବେଦନ ପଡ଼ି ରହିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଅତି ତରବରିଆ ଭାବେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିବାରୁ ଏଥିରେ ଅନେକ ତ୍ରୁଟି ରହିଯାଇଛି।

ସୂଚନା‌‌‌ଯୋଗ୍ୟ, ଏହି ଯୋଜନାରେ ପଶ୍ଚିମବଙ୍ଗର ୮୭ ପ୍ରତିଶତ, ବିହାରର ୯୫ ପ୍ରତିଶତ, ଅରୁଣାଚଳପ୍ରଦେଶର ୯୩ ପ୍ରତିଶତ, ମଧ୍ୟପ୍ରଦେଶର ୮୯ ପ୍ରତିଶତ, ମହାରାଷ୍ଟ୍ରର ୮୧ ପ୍ରତିଶତ, ଆସାମର ୨୩ ପ୍ରତିଶତ, ଉତ୍ତରପ୍ରଦେଶର ୬୫ ପ୍ରତିଶତ, ଆନ୍ଧ୍ରପ୍ରଦେଶର ୪୩ ପ୍ରତିଶତ, ତାମିଲନାଡ଼ୁର ୪୬ ପ୍ରତିଶତ ପଞ୍ଜୀକୃତ ହିତାଧିକାରୀଙ୍କୁ ସହାୟତା ମିଳିଛି। କେବଳ ଚଳିତ ବର୍ଷ ନୁହେଁ, ପୂର୍ବରୁ ମଧ୍ୟ କେବେ ହେଲେ ରାଜ୍ୟର ଶତପ୍ରତିଶତ ହିତାଧିକାରୀଙ୍କୁ ଏହି ଟଙ୍କା ମିଳି ନାହିଁ। ଅର୍ଥାତ୍‌ ୨୦୨୨ ମସିହା ଏପ୍ରିଲ-ଜୁଲାଇର ୮୭ ପ୍ରତିଶତ, ୨୦୨୧-୨୨ ମସିହାର ଡିସେମ୍ବର-ମାର୍ଚର ୯୪ ପ୍ରତିଶତ, ୨୦୨୦ ମସିହାର ଡିସେମ୍ବର-ମାର୍ଚର ୭୫ ପ୍ରତିଶତ ଏବଂ ୨୦୧୯ ମସିହାର ଡିସେମ୍ବର-ମାର୍ଚ ମାସରେ ସମୁଦାୟ ପଞ୍ଜୀକରଣର ୬୩ ପ୍ରତିଶତ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିଛି। ଚଳିତ ବର୍ଷର ସ୍ଥିତି ସର୍ବାଧିକ ନିରାଶାଜନକ ହୋଇ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।