ରାଜ୍ୟ

ପାରାଦୀପ ନିର୍ବାଚନମଣ୍ଡଳୀ: ୫୦ ହଜାର କଂଗ୍ରେସ ଭୋଟ୍ ଯିବ କୁଆଡ଼େ?

କୁଜଙ୍ଗ: ଅରିନ୍ଦମ (ବାପି) ସାର୍ଖେଲଙ୍କ ପତ୍ନୀ ମନିଦୀପା ସାର୍ଖେଲ ବିଜେଡିରେ ସାମିଲ ହେବାପରେ ଏବେ ପାରାଦୀପରେ କଂଗ୍ରେସ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି। ଗଲା ଦୁଇଟି ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇ ଆସିଥିବା ବାପିଙ୍କ ସହ କଂଗ୍ରେସର ବହୁ କର୍ମୀ ବିଜେଡିକୁ ଯାଇଥିବା ବେଳେ ଏବେ କଂଗ୍ରେସ ଏକପ୍ରକାର ନେତୃତ୍ବଶୂନ୍ୟ ହୋଇପଡିଛି। କିନ୍ତୁ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନକୁ ଦେଖିଲେ, କଂଗ୍ରେସର ପାରାଦୀପରେ ୫୦ ହଜାର ପାଖାପାଖି ଭୋଟ ରହି ଆସିଛି। ଏହି ଭୋଟ ଏବେ କଂଗ୍ରେସରେ ରହିବ ନା ଅନ୍ୟ କାହା ସପକ୍ଷରେ ଯିବ, ତାହାକୁ ନେଇ ଆକଳନ ଆରମ୍ଭ ହୋଇଛି।

୨୦୦୯ରେ ସୀମା ପୁନନିର୍ଦ୍ଧାରଣ ପ୍ରକ୍ରିୟାରେ ନୂଆ ପାରାଦୀପ ନିର୍ବାଚନମଣ୍ତଳୀ ଗଠନ ହୋଇଥିଲା। ୨୦୦୯ରେ କଂଗ୍ରେସ ଦଳ ରମେଶ ଚନ୍ଦ୍ର ସାମନ୍ତରାୟଙ୍କୁ ଟିକେଟ ପ୍ରଦାନ କରିଥିଲା। ଦଳୀୟ ବ୍ୟାନର୍ ଓ କର୍ମକର୍ତ୍ତାଙ୍କ ସହିତ ସେ କୁଜଙ୍ଗ ପଞ୍ଚାୟତ ଭଣ୍ତୁଆଠାରେ କର୍ମୀସମାବେଶ କରୁଥିବା ବେଳେ ହଠାତ୍ ତାଙ୍କର ଟିକଟ କାଟି ରାଜନୀତିରେ ନବାଗତ ଇଂ. ପ୍ରମୋଦ କିଶୋର ଜେନାଙ୍କୁ ଟିକଟ ପ୍ରଦାନ କରାଯାଇଥିଲା। ଫଳରେ ରମେଶ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ୩୬ ହଜାରରରୁ ଅଧିକ ଭୋଟ ପାଇଥିବାବେଳେ ପ୍ରମୋଦ ଦଳୀୟ ଟିକଟରେ ୧୩ ହଜାରରୁ ଅଧିକ ଭୋଟ ପାଇଥିଲେ। ମୋଟାମୋଟି ଭାବେ କଂଗ୍ରେସର ଦୁଇ ନେତାଙ୍କ ଖାତାରେ ୫୦ ହଜାର ଭୋଟ ରହିଥିଲା। ୨୦୧୪ରେ ପାରାଦୀପର ଶ୍ରମିକନେତା ଅରିନ୍ଦମ ସାର୍ଖେଲ କଂଗ୍ରେସ ଟିକଟ୍ ପାଇଥିଲେ। ଅରିନ୍ଦମ ସାର୍ଖେଲ ୪୬ ହଜାରରୁ ଅଧିକ ଭୋଟ (୩୨ ପ୍ରତିଶତ) ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଡାକ୍ତର ଦାମୋଦର ରାଉତ ୮୫ ହଜାର ୨୦୬ ଖଣ୍ତ ଭୋଟ୍ (୫୯ ପ୍ରତିଶତ) ପାଇଥିଲେ। ବିଜେପି ପ୍ରାର୍ଥୀ ଦୀପ୍ତିରେଖା ୫ହଜାର ୮୩୨ ଖଣ୍ତ ଭୋଟ ପାଇଥିଲେ। ୨୦୧୯ରେ ଦାମଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡି ଟିକଟରେ ନିର୍ବାଚନ ଲଢ଼ି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଅରିନ୍ଦମ ସାର୍ଖେଲଙ୍କୁ ପରାସ୍ତ କରିଥିଲେ। ଶ୍ରୀ ରାଉତରାୟଙ୍କୁ ୬୯ ହଜାର ୮୭୧ଖଣ୍ଡ ଭୋଟ (୪୪.୭ ପ୍ରତିଶତ) ମିଳିଥିବା ବେଳେ ଅରିନ୍ଦମଙ୍କୁ ୪୮ ହଜାର ୮ ୭୯ ଖଣ୍ତ ଭୋଟ (୩୧ ପ୍ରତିଶତ) ମିଳିଥିଲା। ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କୁ ୩୫ହଜାର ୩୭ ଖଣ୍ତ ଭୋଟ (୨୨.୨୩ ପ୍ରତିଶତ) ମିଳିଥିଲା। ଏହି ହିସାବରେ ଦେଖିଲେ କଂଗ୍ରେସର ପାରାଦୀପ ନିର୍ବାଚନମଣ୍ତଳୀରେ ପାଖାପାଖି ୫୦ ହଜାର ଭୋଟ ରହି ଆସିଛି।

ଏଭଳି ସ୍ଥିତିରେ କଂଗ୍ରେସର ଏହି ୫୦,୦୦୦ ଭୋଟ୍‌ କୁଆଡ଼େ ଯିବ ବୋଲି ପ୍ରଶ୍ନ ଉଠିଥିବା ବେଳେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କୁଜଙ୍ଗ ବ୍ଳକ କଂଗ୍ରେସ ସଭାପତି ଆଡଭାକେଟ୍ ରମେଶ ଚନ୍ଦ୍ର ଦାସ। ସେ କହିଛନ୍ତି, ‘କଂଗ୍ରେସ ଏକ ଜାତୀୟ ଦଳ। ଏହି ଦଳକୁ କିଏ ଆସିଲା ଓ ଦଳ ଛାଡ଼ିଲା, ତାହା ଦଳପାଇଁ କୌଣସି ଫରକ ପଡ଼ିବନି। ଆମେ ଦଳୀୟ କର୍ମୀଙ୍କୁ ହତୋତ୍ସାହିତ ହେବାକୁ ଦେବୁନାହିଁ। ଦଳକୁ ସଙ୍ଗଠିତ କରିବା ସହିତ ଆମେ ପୂରା ଦମ୍‌ରେ ଆଗାମୀ ନିର୍ବାଚନ ଲଢ଼ିବୁ।’ ଅନ୍ୟପଟେ ଶ୍ରୀ ସାର୍ଖେଲ କହିଛନ୍ତି ଯେ, ୨୦୧୯ରୁ ସେ ଆଉ କଂଗ୍ରେସରେ ନଥିଲେ। ପାରାଦୀପ ପୌରପରିଷଦ ନିର୍ବାଚନରେ ‘ମୋ ପାରାଦୀପ ମୋ ପ୍ରଗତୀ’ ନାଁରେ ସେ ନିର୍ବାଚନ ଲଢ଼ିଥିଲେ। ଏପରିକି ପୌରପରିଷଦ ଉପାଧ୍ୟକ୍ଷ ପଦ ମଧ୍ୟ ହାତେଇ ଥିଲେ। ସେ ମଧ୍ୟ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ସ୍ପଷ୍ଟ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।