ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଣି ପାଇଁ ଅଧା ରାଜଧାନୀ କଲବଲ: ପାଣି ଯୋଗାଇ ପାରିଲେନି, ବିଭିନ୍ନ ସ୍ଥାନରେ ଉତ୍ତେଜନା

ଭୁବନେଶ୍ବର: କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟ ସରକାରଙ୍କ ସ୍ବପ୍ନର ପ୍ରକଳ୍ପ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକାରୀ ହେଉଥିବା ତଥା ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ପାଣି ପାଇଁ ହାହାକାର ପଡ଼ିଛି। ଅଧା ଭୁବନେଶ୍ବରରେ ଆଜି ଜଳ ଯୋଗାଣ ବନ୍ଦ ରହିଛି। କୁଆଖାଇରୁ ପାଣି ଉଠାଉଥିବା ପାଇପ୍‌ ଫାଟି ଯିବାରୁ ସହରର ଅଧା ଅଞ୍ଚଳରେ ଥିବା ପ୍ରାୟ ୮୦ ହଜାର ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି। ସକାଳ ୬ରୁ ଜଳ ଯୋଗାଣ ବନ୍ଦ ରହିଛି। ସରକାରଙ୍କ ନାକ ତଳେ ପାନୀୟଜଳ ଭଳି ମୌଳିକତମ ଆବଶ୍ୟକତା ପୂରଣ କରିବାରେ ୱାଟ୍‌କୋ ବିଫଳ ହୋଇଛି। ଫଳରେ ପଳାସୁଣିରୁ କଳ୍ପନା, ମଞ୍ଚେଶ୍ବରରୁ ଆଚାର୍ଯ୍ୟବିହାର, ଲକ୍ଷ୍ମୀସାଗରରୁ ସତ୍ୟନଗର ସବୁଠି ପାଣି ପାଇଁ ହାହାକାର ହୋଇଛି। ପାଇପ ପାଣି ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ବସ୍ତି ବାସିନ୍ଦା କେବଳ ନୁହନ୍ତି, ଯେଉଁମାନେ ବେଆଇନ ଭାବରେ ମାଟି ଖୋଳି ଭୂତଳ ଜଳ ବ୍ୟବସ୍ଥା କରିନାହାନ୍ତି ସେମାନଙ୍କ ଭଳି ମଧ୍ୟବିତ୍ତ ମଧ୍ୟ ପାଣିପାଇଁ ଆଜି ଚିତ୍କାର କରିଛନ୍ତି। ଆଜି ଦିନସାରା ପାଣିକୁ ନେଇ ପ୍ରଭାବିତ ଅଞ୍ଚଳର ଲୋକେ ଭୀଷଣ ଦହଗଞ୍ଜ ହୋଇଛନ୍ତି।

ସକାଳୁ ପାଣି ବନ୍ଦ ଥିବା ଜାଣି ଲୋକେ ଅସନ୍ତୁଷ୍ଟ ହୋଇଥିଲେ, ତେବେ କିଛି ସମୟ ପରେ ପାଣି ଆସିବ ବୋଲି ଆଶାରେ ବସିଥିଲେ। କିନ୍ତୁ ପରେ ସ୍ପଷ୍ଟ ହୋଇ ଯାଇଥିଲା ଯେ ଆଜି ଆଉ ପାଣି ଆସିବାର ନାହିଁ। ତେଣୁ ଲୋକେ ବ୍ୟସ୍ତ ହୋଇ ଉଠିଥିଲେ। ଅନେକ ଲୋକ ଛୁଆପିଲାଙ୍କୁ ନେଇ ପାଣି ଆସୁଥିବା ସହରର ଅନ୍ୟ ଅଞ୍ଚଳର ପରିଚିତ ଲୋକଙ୍କ ଘରକୁ ପଳାଇଥିଲେ। ଲୋକଙ୍କ ଶୋଷକୁ ପରିହାସ କରିବାଭଳି ୧୩ଟି ଟ୍ୟାଙ୍କର ଜରିଆରେ ୱାଟ୍‌କୋ ୮୦ ହଜାର ପରିବାରକୁ ପାଣି ଯୋଗାଇବାକୁ ଉଦ୍ୟମ କରିଥିଲା। ହେଲେ ଫଳ ଯାହା ମିଳିଛି, ନ କହିବା ଭଲ। ତାହା ସମାଧାନ ପରିବର୍ତ୍ତେ ଗଣ୍ଡଗୋଳ ସୃଷ୍ଟି କରିଛି। ଜୋରଜବରଦସ୍ତ କେହି କେହି ଏକାଧିକ ପାତ୍ର ରଖି ପାଣି ବୋହି ନେଇ ଯାଇଥିବା ବେଳେ କେହି କେହି ଧାଡ଼ିବାନ୍ଧି ମଧ୍ୟ ପାଣି ପାଇନାହିଁ। ଫଳରେ ପାଣିପାଇଁ ନାହିଁ ନଥିବା ସ୍ଥିତି ଉପୁଜିଛି। ପୂର୍ବରୁ ସ୍ବେରେଜ୍‌ ପାଇପ୍‌ ବିଛାଇବା ପାଇଁ ଖୋଳା ଯାଇଥିବା ଗାତରେ ମହିଳା ଗଳି ପଡ଼ିବା ଭଳି ଅଘଟଣକୁ ନେଇ ୱାଟ୍‌କୋ ବିବାଦରେ ଥିବା ବେଳେ ଏହି ପ୍ରସଙ୍ଗରେ ୱାଟ୍‌କୋ ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ପ୍ରତ୍ୟେକ ଘରେ ବିଶୁଦ୍ଧପାନୀୟ ଜଳ ପହଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ସରକାରଙ୍କର ଏହା ଏକ ଦୂରଦର୍ଶୀ ଯୋଜନା। ଏହି ଯୋଜନା ପାଇଁ ସାରା ଭାରତବର୍ଷରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେଉଛି। ହେଲେ ଭିତ୍ତିଭୂମି ଅଭାବ ଓ ବିଭାଗୀୟ ଅଧିକାରୀମାନଙ୍କ ସମ୍ବେଦନହୀନତା ଏବଂ ଅବହେଳା ଯୋଗୁଁ ଏଭଳି ମହତ୍‌ ଯୋଜନା ଫେଲ୍‌ ମାରିବା ଭଳି ସ୍ଥିତି ହେଉଛି। ଆଜି ଏହି ଘଟଣା ଏହାର ଏକ ବଡ଼ ଉଦାହାରଣ। ୱାଟେ୍‌କୋ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି। ସଫେଇ ଦେଇଛି ଯେ କୁଆଖାଇରୁ ପାଣି ଉଠାଉଥିବା ପାଇପ୍‌ ଫାଟି ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭୋର୍‌ରୁ ମରାମତି ଚାଲିଛି, ସରିପାରୁ ନାହିଁ। ତେବେ ପ୍ରଶ୍ନ ଉଠୁଛି, ପାନୀୟଜଳ ଭଳି ଏକ ମୌଳିକ ଆବଶ୍ୟକତା ପୂରଣ କରୁଥିବା ପୁରୁଣା ପାଇପ୍‌ର ବିକଳ୍ପ କଥା ପୂର୍ବରୁ କାହିଁକି ଚିନ୍ତା କରାଗଲା ନାହିଁ? ବର୍ଷା ବା ଅତି ପାଣି ଜନିତ ସମସ୍ୟା ନଥିବା ଶୁଖିଲା ପାଗରେ ରାଜଧାନୀରେ ଯଦି ୨୪ ଘଣ୍ଟା ଭିତରେ ପାଇପ୍‌ ମରାମତି ହୋଇ ପାରୁନାହିଁ, ତେବେ ୱାଟ୍‌କୋ କେତେ ପ୍ରସ୍ତୁତ? ଆଜି ଅଧାସହର ପ୍ରଭାବିତ ହୋଇଛି, ୱାଟ୍‌କୋ ଏଭଳି ବେପରୁଆ ରହିଲେ ଆଗକୁ କେବେ ସାରା ସହର ଯେ ପ୍ରଭାବିତ ନ ହେବ, ସେ କଥା କିଏ କହିବ? ଏଭଳି ଅନେକ ପ୍ରଶ୍ନ ଏବେ ୱାଟ୍‌କୋକୁ ବିବାଦର ସରାତଳକୁ ଟାଣି ନେଇଛି। ଆଜି ସାରାରାତି ମରାମତି କାମ ଚାଲିଛି। ୧୮ ଫୁଟ୍‌ ତଳେ ପାଇପ୍‌ ରହିଥିବାରୁ କାମ ବିଳମ୍ବିତ ହୋଇଛି। ଆସନ୍ତାକାଲି ମଧ୍ୟ ଜଳ ଯୋଗାଣ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।