ରାଜ୍ୟ

ପାଣିପାଗ ପରିବର୍ତ୍ତନର ଭୀଷଣ ପ୍ରଭାବ: ଜାଲରେ ପଡ଼ୁନାହାନ୍ତି ମାଛ

ଭୋଗରାଇ: ପାଣିପାଗରେ ଅନିୟମିତତାର ଭୀଷଣ ପ୍ରଭାବ ପରିଲକ୍ଷିତ ହେଲାଣି। ମାଛ ଉତ୍ପାଦନ ଢେର ହ୍ରାସ ପାଇଛି। ଫଳରେ ସମୁଦ୍ର ଉପରେ ନିର୍ଭର କରୁଥିବା ଚାରି ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଛି। ବର୍ଷର ୧୦ ମାସ ସମୁଦ୍ରରୁ ମାଛ ଧରି ଗୁଜୁରାଣ ମେଣ୍ଟାଉଥିବା ଏହି ମତ୍ସ୍ୟଜୀବୀ ପରିବାରଗୁଡ଼ିକ ଆଗାମୀ ଦିନରେ କିପରି ଜୀବିକା ନିର୍ବାହ କରିବେ, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଭୋଗରାଇ ବ୍ଲକ୍‌ର ଉଦୟପୁରଠାରୁ କୀର୍ତ୍ତନିଆ ଯାଏ ଦୀର୍ଘ ୧୦ କିଲୋମିଟର ସମୁଦ୍ର ବେଳାଭୂମି ରହିଛି। ଏହା ମଧ୍ୟରେ ଉଦୟପୁର, ତାଳସାରି, ରଣସିଂହପୁର ଓ କୀର୍ତ୍ତନିଆଠାରେ ୪ଟି ସାମୁଦ୍ରିକ ମତ୍ସ୍ୟ ଅବତରଣ କେନ୍ଦ୍ର ମଧ୍ୟ ରହିଛି। ଏହି ସବୁ ମତ୍ସ୍ୟ ଅବତରଣ କେନ୍ଦ୍ର ଉପରେ ଭୋଗରାଇ ବ୍ଲକ୍‌ର ସାହାବାଜିପୁର, ବାଜିତପୁର, ହୁଗୁଳି, ଗୋଛିଦା ତେଘରୀ, ଶ୍ରଦ୍ଧାପୁର, କାନ୍ଥିଭଉଁରୀ, ନାରାୟଣମହାନ୍ତିପଡିଆ, କୁମ୍ଭୀରଗଡି, ଜୟରାମପୁର, ଆରୁହାବୃତି ଆଦି ପଞ୍ଚାୟତର ୪ ହଜାର ମତ୍ସ୍ୟଜୀବୀ ପରିବାରର ୧୭ ହଜାରରୁ ଅଧିକ ଲୋକ ପେଟପାଟଣା ପାଇଁ ନିର୍ଭର କରିଥାନ୍ତି। ସମୁଦ୍ରରୁ ମାଛ ଧରିବା ପାଇଁ ଏହି ସବୁ ଅଞ୍ଚଳରେ ୪ଟି ମଟରଚାଳିତ ଲଞ୍ଚ, ୧୫୧ଟି ଯନ୍ତ୍ରଚାଳିତ ଭୁଟୁଭୁଟି, ୧୭୨ଟି ଦେଶୀ ଡଙ୍ଗା ପଞ୍ଜିକୃତ ହୋଇଛି।

ସଙ୍କଟରେ ଭୋଗରାଇର ୪ ହଜାର ମତ୍ସ୍ୟଜୀବୀ ପରିବାର
ମତ୍ସ୍ୟ ଅବତରଣ କେନ୍ଦ୍ରରେ ଭିତ୍ତିଭୂମି ବି ଅସଜଡା
ଇଲିଶି, ବାଉଲ ପ୍ରଜାତିର ମାଛ ଏବେ ଦୁଷ୍ପ୍ରାପ୍ୟ

ପ୍ରତିବର୍ଷ ଏପ୍ରିଲ ମାସ ୧୫ରୁ ଜୁନ ୧୪ ତାରିଖ ଯାଏ ମାଛର ପ୍ରଜନନ ଋତୁ ଥିବାରୁ ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ର ଯିବା ଲାଗି ସରକାରୀ କଟକଣା ଲଗାଯାଇଥାଏ। ହେଲେ ଚଳିତବର୍ଷ କଟକଣା ଉଠିବାକୁ ଏହା ଭିତରେ ୨୦ ଦିନ ବିତିଗଲାଣି। ଗଭୀର ସମୁଦ୍ରକୁ ଦେଶୀ ଓ ଯନ୍ତ୍ରଚାଳିତ ଡଙ୍ଗାରେ ଯାଇ ନୀଳ ଜଳରାଶିରେ ଜାଲ ବିଛାଉଥିବା ମତ୍ସ୍ୟଜୀବୀମାନେ ଆଶାନୁରୂପ ମାଛ ଧରି ପାରୁନାହାନ୍ତି। ଏହି ସମୟରେ ପ୍ରଚୁର ପରିମାଣରେ ଲୁଣି ମାଛ ମିଳିଥାଏ। ଏବେ ଏସବୁ ଆଉ ଦେଖିବାକୁ ମିଳୁନାହିଁ। ଅନେକ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗାକୁ ସମୁଦ୍ରକୂଳରେ ବାନ୍ଧି ଅନ୍ୟ କାମଧନ୍ଦା ଖୋଜିଲେଣି। ଆଉ କିଏ ଅନ୍ୟ ରାଜ୍ୟକୁ ଦାଦନ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ଏହି ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ର ହିଁ ସବୁକିଛି ଥିଲା। ପ୍ରତି ମାସରେ ସେମାନେ ସର୍ବନିମ୍ନ ୩୦ରୁ ୪୦ ଟନ୍‌ କେବଳ ଲୁଣି ଚୁନାମାଛ ଧରୁଥିଲେ। ବଡ଼ ମାଛ ତ ତା’ଠାରୁ ଅଧିକ ପରିମାଣର ଥିଲା।

ବିଶେଷକରି ବାଉଲ, ଇଲିସି, ଶିଳା, ରୁଳି, ଚିଙ୍ଗୁଡି, ବାଜରା, ତାମ୍ପୁଡି, ପାଟିଆ, କଡ଼ମା, ଶଙ୍କି, ଟାଉରି, ମଞ୍ଜାରି, ଫାସି, ଆଞ୍ଜି, ଛେଚା, ପତା, ଖଣ୍ଡା, କଙ୍କଡା ଇତ୍ୟାଦି ନିଆରା ସ୍ବାଦ ପାଇଁ ପରିଚିତ। ଏବେ ସେ ମଧ୍ୟରୁ ବାଉଲ, ଇଲିଶି, ତେଲିଆ ଆଦି ମାଛ ଏବେ ଜାଲରେ ପଡ଼ିବା ସ୍ବପ୍ନ ହୋଇଛି। ମାଛ ଭିତରେ ଇଲିଶିକୁ ମାଛରାଣୀ ବୋଲି କୁହାଯାଉଥବା ବେଳେ ତାହା ଏବେ ଆଈମା କାହାଣୀ ହେବାକୁ ବସିଲାଣି। ଆଗରୁ ଏହି ସମୟରେ ଟନ୍‌ ଟନ୍‌ ଇଲିଶି ମାଛ ଜାଲରେ ପଡ଼ୁଥିବା ବେଳେ ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଓ ସମୁଦ୍ରଜଳ ପ୍ରଦୂଷିତ ହେଉଥିବା କାରଣରୁ ଅଧିକ ମାଛ ଉତ୍ପାଦନ ସମ୍ଭବ ହେଉନାହିଁ। ଏହା ଛଡା ବାତ୍ୟା ‘ୟାସ ପରେ ତାଳସାରୀଠାରେ ସମୁଦ୍ରର ଗତିପଥ ପରିବର୍ତ୍ତନ, ମାଛଧରା ଜେଟି ସହିତ ସୁବର୍ଣ୍ଣରେଖା ନଦୀର କୀର୍ତ୍ତନିଆ ମୁହାଣ ପୋତି ହୋଇଯିବା ଫଳରେ ସାମୁଦ୍ରିକ ମାଛ ପରିମାଣ ଦିନକୁ ଦିନ ହ୍ରାସ ପାଉଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଚନ୍ଦନେଶ୍ୱର ସହକାରୀ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଅନନ୍ତ କୁମାର ଜେନାଙ୍କ କହିବା ଅନୁସାରେ, ପାଣିପାଗରେ ଅନିୟମିତତା ଯୋଗୁଁ ମାଛଧରା ପ୍ରଭାବିତ ହୋଇଛି। ତେବେ ମତ୍ସ୍ୟଜୀବୀଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।