ରାଜ୍ୟ

ପାଠପଢ଼ା ପାଇଁ ମୂଲ ଲାଗୁଛନ୍ତି ବଣ୍ଡାଝିଅ: ଯୁକ୍ତଦୁଇ ପରୀକ୍ଷାରେ ଟପର୍‌ ହୋଇଥିଲେ

ମାଲକାନଗିରି: ଆଦିମ ଜନଜାତିର ଝିଅ କର୍ମା ମୁଦୁଲି ଗତବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଜିଲ୍ଲ‌ା ଟପର୍‌ ହୋଇଥିଲେ। ବଣ୍ଡା ଜନଜାତିର ଏହି ସୁନାଝିଅ ‌ଏବେ ପଢ଼ା ଖର୍ଚ୍ଚ ପାଇଁ ଦିନ ମଜୁରିଆ ପାଲଟି ଯାଇଛନ୍ତି। ଟାଣ ଖରାରେ ବାଲି, ସିମେଣ୍ଟ, ଇଟା ଓ ପଥର ବୋହିବା ସହ ପାଠପଢ଼ା ମଧ୍ୟ ଜାରି ରଖିଛନ୍ତି। ଅକ୍ଳାନ୍ତ ପରିଶ୍ରମ ପରେ ଯାହା ମୂଲ ମିଳୁଛି ତାହାକୁ ହଷ୍ଟେଲ ଏବଂ ହାତଖର୍ଚ୍ଚ ପାଇଁ ସାଇତି ରଖୁଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ବଣ୍ଡାଘାଟିର ପଡ଼େଇଗୁଡ଼ାରେ କର୍ମା ମୁଦୁଲିଙ୍କ ଘର। ବୁଦା ଓ ଶୁକ୍ରୁ ମୁଦୁଲିଙ୍କ ୪ପୁଅଝିଅଙ୍କ ମଧ୍ୟ‌ରୁ କର୍ମା ଦ୍ବିତୀୟ ସନ୍ତାନ। ଅର୍ଥାଭାବରୁ ଗୋଟିଏ ପୁଅ ଓ ଝିଅକୁ ଅଧିକ ପଢ଼ାଇ ପାରିନଥିଲେ ବାପା। କିନ୍ତୁ, କର୍ମାଙ୍କ ପାଠପଢ଼ା ପ୍ରତି ରହିଥିବା ଆଗ୍ରହ ଏବଂ ନିଷ୍ଠା ଯୋଗୁ ମନା କରିପାରିନଥିଲେ। ଖଇରପୁଟ ବ୍ଲକ୍‌ ବଡବେଲ୍ ସରକାରୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଥିଲେ। ମାଟ୍ରିକ୍‌ ପରେ ଗୋବିନ୍ଦପାଲ୍ଲୀ ସରକାରୀ ଏସ୍‌ଏସ୍‌ଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟରେ କର୍ମା ନାମ ଲେଖିଥିଲେ। ପରିବାରର ପରିସ୍ଥିତି ଓ ସୀମିତ ସାଧନ ସତ୍ତ୍ବେ ପାଠପଢ଼ାରୁ ଆଦୌ ଧ୍ୟାନ ହଟିନଥିଲା। ଯାହାଫଳରେ, ବଣ୍ଡା ଜନଜାତିଙ୍କ ପାଇଁ ଉଦାହରଣ ଭାବେ ଉଭା ହୋଇ ଗତବର୍ଷ ୪୯୬ (୮୨.୬୬ ପ୍ରତିଶତ) ନମ୍ବର ରଖି ଯୁକ୍ତ୨ ଜିଲ୍ଲା ଟପର୍‌ ହେବାର ଉପଲବ୍ଧି ହାସଲ କଲେ।

ବଡ଼ ସଫଳତା ସତ୍ତ୍ବେ ଆଗକୁ ପାଠ ପଢ଼ି‌ବା ତାଙ୍କ ପକ୍ଷେ ଆଦୌ ସମ୍ଭବ ନଥିଲା। ଏତିକି ବେଳେ ଗୋଟିଏ ଟ୍ରଷ୍ଟ ଆର୍ଶୀବାଦ ହୋଇ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା। ଯାହାଫଳରେ, ଭୁବନେଶ୍ବର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବାର ସ୍ବପ୍ନ ପୂରଣ ହୋଇଛି। ପ୍ରତି ମାସରେ ଛାତ୍ରୀନିବାସ ବାବଦ ଖର୍ଚ୍ଚ ହଜାରେ ଟଙ୍କା ଉକ୍ତ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦେଉଛି। ଏଥିପାଇଁ ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ‌ଫୋନ୍‌ କରି ହଷ୍ଟେଲ ଖର୍ଚ୍ଚ ଜମା କରିବାକୁ କହିବାକୁ ପଡ଼ୁଛି। ସେହିପରି, ହଷ୍ଟେଲରେ ଦିନରେ ଦୁଇବେଳା ଖାଇବାକୁ ଦିଆଯାଉଛି। ବାକି ଖାଦ୍ୟ ନିମନ୍ତେ ନିଜକୁ ଟଙ୍କା ଯୋଗାଡ଼ କରିବାକୁ ପଡ଼ୁଥିବା କର୍ମା କହିଛନ୍ତି। ବହି, ଖାତା, କଲମ ସହ ଅନ୍ୟ ଖର୍ଚ୍ଚ ମଧ୍ୟ ଯୋଗାଇଦେବାକୁ ପରିବାର ଅକ୍ଷମ।

ଖରାଛୁଟି ଯୋଗୁ ଘରକୁ ଫେରିବା ପରେ ନିଜ ପାଇଁ ନିଜେ ଏକା ସଂଘର୍ଷ କରିବାକୁ ନିଷ୍ପତ୍ତି ନେଇଥିଲେ। ମେଧାବୀ ଛାତ୍ରୀରୁ ଦିନ ମଜୁରିଆ ପାଲଟି ଘର ଛାଡ଼ିଛନ୍ତି। ଯେଉଁଠି କାମ ମିଳିଲା ସେଠାରେ କିଛି ଦିନ କାମ କରୁଛନ୍ତି। ଅନ୍ୟ ଶ୍ରମିକଙ୍କ ସହ ମୁଠେ ଖାଇ ଝୁମ୍ପୁଡ଼ିରେ ରାତି ବିତାଉଛନ୍ତି। ଦୈନିକ ମଜୁରି ବାବଦରେ ୨୨୦ଟଙ୍କା ମିଳୁଛି। ଗତ ୧୯ତାରିଖରୁ କାମ ଆରମ୍ଭ କରିଥିବା ବେଳେ କଲେଜ ଖୋଲିବା ବେଳକୁ କିଛି ମାସର ହଷ୍ଟେଲ ଖର୍ଚ୍ଚ ସହ ହାତଖର୍ଚ୍ଚ ବାହାରି ପଡ଼ିବ ବୋଲି ଏହି ମେଧାବୀ ଛାତ୍ରୀ ଜଣକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।