କେନ୍ଦ୍ରାପଡ଼ା: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍ ହୋଇଛନ୍ତି। ଶାସକ ଦଳରେ ତାଙ୍କର ଯୋଗଦାନ ସହିତ ପାଟକୁରାରେ ରାଜନୈତିକ ଚିତ୍ର ବଦଳି ଯାଇଛି। ସେ ବିଜେଡି ଟିକଟ୍ରୁ ଏଠାରେ ନିର୍ବାଚନ ଲଢ଼ିବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି। ସେପଟେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଯଦି ମେଣ୍ଟ ହୁଏ, ତେବେ ପାଟକୁରାର ଭୋଟ ଗଣିତ ଯାହା, ସେଥିରେ କଂଗ୍ରେସ ଅଣ୍ଟା ସଳଖି ମୁକାବିଲା ଦେବାରେ କେତେ ସମର୍ଥ ହେବ, ତାହା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।
୨୦୧୯ ଉପନିର୍ବାଚନରେ ଦିବ˚ଗତ ଭେଟେରାନ୍ ନେତା ବେଦପ୍ରକାଶ ଅଗ୍ରଵାଲ୍ଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲ୍ ବିଜେଡି ଟିକଟ୍ରୁ ଲଢ଼ି ଜିତିଥିଲେ। ତାଙ୍କ ବିରୋଧରେ ବିଜେପିରୁ ବରିଷ୍ଠନେତା ବିଜୟ ମହାପାତ୍ର ଓ କ˚ଗ୍ରେସରୁ ଜୟନ୍ତ କୁମାର ମହାନ୍ତି ପ୍ରାର୍ଥୀ ହୋଇଥିଲେ। ସାବିତ୍ରୀଙ୍କୁ ମୋଟ ୯୬ ହଜାର ୩୦ ଖଣ୍ତ ଭୋଟ୍ ମିଳିଥିବା ବେଳେ ବିଜୟଙ୍କ ସପକ୍ଷରେ ପଡ଼ିଥିଲା ୭୮ ହଜାର ୧୩୨ ଖଣ୍ତ ଭୋଟ୍। କ˚ଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଜାତୀୟ ଦଳର ପ୍ରାର୍ଥୀ ଜୟନ୍ତଙ୍କୁ ମିଳିଥିଲା ମାତ୍ର ୨ ହଜାର ୧୦୬ଖଣ୍ତ ଭୋଟ୍। କ˚ଗ୍ରେସ ଏଭଳି ଦୟନୀୟ ସ୍ଥିତିରେ ଥିବା ବେଳେ ସ˚ପ୍ରତି ଯଦି ବିଜେଡି-ବିଜେପି ମେଣ୍ଟ ହୁଏ ଏବ˚ ମେଣ୍ଟ ପ୍ରାର୍ଥୀ ଭାବେ ବିଜେଡି ଟିକଟ୍ରୁ ଅରବିନ୍ଦ ମହାପାତ୍ର ନିର୍ବାଚନ ଲଢ଼ନ୍ତି, ତେବେ ବିରୋଧୀ ଦଳ ଭାବେ କ˚ଗ୍ରେସ ଏହାକୁ କିଭଳି ମୁକାବିଲା କରିବ?
୨୦୧୯ ନିର୍ବାଚନ ଫଳାଫଳ ଅନୁସାରେ ଯଦି ବିଜେଡି-ବିଜେପିର ଭୋଟ୍କୁ ମିଶାଇ ଦିଆଯାଏ, ତେବେ ସ˚ଖ୍ୟା ହେଉଛି ୧ ଲକ୍ଷ ୭୪ ହଜାର ୧୬୨। ଏହା କ˚ଗ୍ରେସକୁ ମିଳିଥିବା ସମୁଦାୟ ଭୋଟ୍ଠୁ ପାଖାପାଖି ୮୩ ଗୁଣ ଅଧିକ। ଗଲା ୫ ବର୍ଷ ଭିତରେ କଂଗ୍ରେସ ବି ସେଭଳି କିଛି ସାଂଗଠନିକସ୍ତରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିନାହିଁ। ରତିକାନ୍ତ କାନୁନ୍ଗୋ ଯଦିଓ କଂଗ୍ରେସ ପ୍ରାର୍ଥୀ ହେବା ଆଶାରେ ପାଟକୁରା ନିର୍ବାଚନମଣ୍ତଳୀରେ ସକ୍ରିୟ ରହିବା ସହିତ ବିଭିନ୍ନ ପ୍ରକାର ଆନ୍ଦୋଳନ କରି ସ˚ଗଠନ ସଜାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି, କିନ୍ତୁ ଭୋଟ ଗଣିତ ତାଙ୍କ ପାଇଁ ଏବେବି ସେତେଟା ଉତ୍ସାହଜନକ ହୋଇପାରୁ ନୁହେଁ। ଅନ୍ୟପଟେ ଯଦି ବିନାମେଣ୍ଟରେ ଉଭୟ ବିଜେଡି, ବିଜେପି ନିର୍ବାଚନକୁ ଓହ୍ଲାନ୍ତି, ତେବେ ବିଜୟଙ୍କ ପରେ ବିଜେପିରୁ ରାଜ୍ୟ ମୁଖପାତ୍ର ତେଜେଶ୍ବର ପରିଡ଼ା, ଉମାକାନ୍ତ ପଟ୍ଟନାୟକ, ମନୀଷା ପଣ୍ତାଙ୍କ ନାମ ଚର୍ଚ୍ଚାରେ ରହିଛି।