ଅପରାଧ ରାଜ୍ୟ

ପାଉଁଶରେ ପୋତି ହେଲା ଚାଷୀଙ୍କ ଭାତହାଣ୍ଡି: ଗଦାଧର ଓ ଅନ୍ୟମାନେ ଏବେ କରିବେ କ’ଣ?

ସୁନ୍ଦରଗଡ଼ : ଗତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ିର ସମ୍ମୁଖୀନ ହୋଇଥିବା ଟାଙ୍ଗରପାଲି ବ୍ଲକ୍ ଅବନକେଲା ଗାଁର କ୍ଷୁଦ୍ର ଚାଷୀ ଗଦାଧର ପଟେଲ ଏ ବର୍ଷ ଚାଷ ପାଇଁ ଗାଁ ମହାଜନଙ୍କ ଠାରୁ ୨୨ ହଜାର ଟଙ୍କା ଋଣ ନେଇଥିଲେ। ବେଳାବେଳି ତଳି ପକାଇବା ସହ ୧ ଏକର ଜମିକୁ ପ୍ରସ୍ତୁତ କରିଥିଲେ। ଅଗଷ୍ଟ ୧୪ରେ ତଳି ରୋଇବାକୁ ସଜବାଜ ହୋଇଥିଲେ। କିନ୍ତୁ, ଲଘୁଚାପଜନିତ ଲଗାଣ ବର୍ଷାରେ ଉପର ମୁଣ୍ଡରେ ଗଦା ହୋଇଥିବା ବିଶାଳ କାରଖାନା ବର୍ଜ୍ୟ ପାଉଁଶ (ଫ୍ଲାଏଆସ୍) ଧୋଇହୋଇ ଜମିରେ ମାଡ଼ି ଯାଇଥିଲା। ପରଦିନ ସକାଳୁ ଗଦାଧର ପହଞ୍ଚିଲା ବେଳକୁ ଜମି ଆଣ୍ଠୁଏ ପାଉଁଶରେ ପୋତି ହୋଇଥିବା ଦେଖିବାକୁ ପାଇଥିଲେ। ଏକରେ ଜମିରେ ଆଉ ଚାଷ କରିବା ସମ୍ଭବ ନୁହେଁ। ଆଣ୍ଠୁଏ ବହଳ ପାଉଁଶ ଭିତରେ ତାଙ୍କ ଭାତହାଣ୍ଡି ପୋତି ହୋଇଯାଇଥିବାରୁ ସେ ମୁଣ୍ଡରେ ହାତ ଦେଇଛନ୍ତି। ଇବ୍‌ନଦୀର ଭଷ୍ମା ସେତୁ କଡ଼ରେ ଗଦା କରାଯାଇଥିବା ଝାରସୁଗୁଡାର ଏକ କମ୍ପାନିର ବର୍ଜ୍ୟ ପାଉଁଶ ଗଦାଧରଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି।
କେବଳ ଏକା ଗଦାଧରଙ୍କ ଭାତହାଣ୍ଡି ପୋତି ହୋଇଛି ନୁହେଁ, ଗାଁର ସୁରେଶଚନ୍ଦ୍ର ପଟେଲଙ୍କ ୨ ଏକର, ଫିରୋଜ ପଟେଲଙ୍କ ୨ ଏକର, ଶେଷଦେବ ପଟେଲଙ୍କ ୧ ଏକର, ପ୍ରେମାନନ୍ଦ ନାଏକଙ୍କ ୩ ଏକର, ରୋହିତ ନାଏକଙ୍କ ୩ ଏକର, ଯଦୁମଣି ପଟେଲଙ୍କ ୧ ଏକର, ସନାତନ ପଟେଲଙ୍କ ୧ ଏକର ଓ ନାରାୟଣ ପଟେଲଙ୍କ ୩ ଏକର ଚାଷ ଜମିରେ ପାଉଁଶ ମାଡ଼ିଯାଇଛି। କିଛି ଜମି ପୋତି ହୋଇ ଯାଇଥିବାବେଳେ ଆଉ କିଛି ଜମିରେ ବୁଣା ଧାନ ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି। ପାଉଁଶ ବିଷ ପ୍ରଭାବରେ ଆଗକୁ ବୁଣା ଜମିରେ ବି ଆଉ ଚାଷ ହେବା ସମ୍ଭବ ନୁହେଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ଚାଷୀମାନେ ଅଭିଯୋଗ କରିଛନ୍ତି , ଗତବର୍ଷ ଇବନଦୀର ଭଷ୍ମା ସେତୁ କଡ଼ରେ କିଛି ଜମି ନେଇ କିଛି ଠିକାଦାର ଝାରସୁଗୁଡ଼ାର ଏକ କମ୍ପାନିର ବର୍ଜ୍ୟ ପାଉଁଶ ଗଦା କରିଥିଲେ। ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ବେ ପାହାଡ଼ ଭଳି ପାଉଁଶ ଗଦା କରାଯାଇଥିଲା। ଏପରିକି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ବିଧାନସଭାରେ ଏହାକୁ ବିରୋଧ କରିଥିଲେ। ଝାରସୁଗୁଡ଼ାର କାରଖାନା ପାଉଁଶ ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଭାବେ ଡମ୍ପିଂ କରାଯିବାକୁ ନେଇ ପ୍ରଶ୍ନ କରିଥିଲେ। କିନ୍ତୁ, ପାଉଁଶ ଡମ୍ପିଂ ବନ୍ଦ ହୋଇ ନଥିଲା। ସେତୁ କଡ଼ ସହ ରେମଣ୍ଡା ଇବ୍‌ନଦୀ କଡେ କଡେ ପାଉଁଶର ପାହାଡ଼ ଠିଆ କରିଦିଆଗଲା। ଖରାଦିନେ ପାଉଁଶ ଉଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବାବେଳେ ବର୍ଷାରେ ଚାଷଜମିକୁ ନଷ୍ଟ କରିଦେଇଛି। କେବଳ ସେତିକି ନୁହେଁ, ଇବ୍‌ନଦୀ କଡେ ଗଦା ହୋଇଥିବା ପାଉଁଶ ବର୍ଷାରେ ଧୋଇହୋଇ ନଦୀପାଣିରେ ପ୍ରବେଶ କରିଛି। ଯାହାଫଳରେ, ତଳମୁଣ୍ଡରେ ପାଉଁଶ ମିଶା ପାଣି ବ୍ୟବହାର କରୁଥିବା ଲୋକେ ନାନାଦି ରୋଗର ଶିକାର ହେବା ଆଶଙ୍କା ପ୍ରକାଶ ପାଇଛି।

ଏକ ଉଦ୍‌ବେଗଜନକ ସୂଚନା ଅନୁସାରେ, ପାଉଁଶ ଗଦା ଠାରୁ ୫ କିଲୋମିଟର ତଳେ ଇବ୍‌ନଦୀ ପାଣି ଉଠାଇ ଝାରସୁଗୁଡା ଜନସ୍ବାସ୍ଥ୍ୟ ବିଭାଗ ସହରକୁ ଯୋଗାଇ ଦିଆଯାଉଛି। ଏବେ ପାଉଁଶ ପାଣି ଇବ୍ ନଦୀରେ ମିଶିଥିବାବେଳେ ସେହି ପାଣି ଝାରସୁଗୁଡା ସହରବାସୀ ବ୍ୟବହାର କରୁଥିବା ଅଭିଯୋଗରୁ ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।