ଅପରାଧ ରାଜ୍ୟ

ପାଇପ୍‌ରେ ଆସୁନି, ବନ୍ଧ ପାଣି ପିଉଛନ୍ତି ବନ୍ଧହୁଡ଼ାବାସୀ

ନରସିଂହପୁର: ଗାଁକୁ ପାଇପ୍‌ ସଂଯୋଗ ହୋଇଛି। ସେଥିରୁ ବାହାରୁନି ପାଣି। ବାଧ୍ୟ ହୋଇ ଗାଁ ଲୋକମାନେ ବନ୍ଧ ପାଣି ପିଉଛନ୍ତି। ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଗୁହାରି କରି ନିରାଶ ହୋଇଗଲେଣି ଗ୍ରାମବାସୀ। କିନ୍ତୁ, ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକମାନେ ଦୂଷିତ ଜଳ ବ୍ୟବହାର କରି ନାନା ରୋଗରେ ପୀଡ଼ିତ ହେଉଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ବନ୍ଧହୁଡ଼ା ଗ୍ରାମରେ। କଟକ-ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର ନୁଖାପଡ଼ା ଛକରୁ ୫୦୦ ମିଟର ଦକ୍ଷିଣକୁ ଗଲେ ପଡ଼ିବ ବନ୍ଧହୁଡ଼ା। ରାଜତନ୍ତ୍ର ସମୟରୁ ବନ୍ଧହୁଡ଼ା ଗ୍ରାମକୁ ଯିବା ପାଇଁ ଦୀର୍ଘତମ ବନ୍ଧର ହୁଡ଼ା ଅତିକ୍ରମ କରିବାକୁ ପଡିଥାଏ। ଫଳରେ ଗ୍ରାମର ନାମ ବନ୍ଧହୁଡ଼ା ରଖାଯାଇଛି ବୋଲି ଗ୍ରାମବାସୀ କୁହନ୍ତି। ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ସାଢ଼େ ୪ ହଜାର। ଗ୍ରାମବାସୀ ମୁଖ୍ୟତଃ ଚାଷକାର୍ଯ୍ୟ ଉପରେ ନିର୍ଭର କରନ୍ତି। ଏଠାରେ ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜଣାଯାଇଛି। ସେମାନଙ୍କ ମୁଖ୍ୟ ସମସ୍ୟା ମଧ୍ୟରେ ପାନୀୟଜଳ ଅନ୍ୟତମ। ଏହି ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଛି। କିନ୍ତୁ, ପାଣି ଟୋପାଏ ପାଇଁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ମେଗା ଲିଫ୍‌ଟ ପାନୀୟଜଳ ଯୋଗାଣ ପାଇଁ ଗାଁରେ ପାଇପ୍‌ ସଂଯୋଗ କରାଯାଇଛି। ସେଥିରେ ଆଜି ପର୍ଯ୍ୟନ୍ତ ପାଣି ଆସୁ ନ ଥିବା ଦେଖିବାକୁ ମିଳିଛି। ସେହିପରି ଅକ୍ଷୟ ଜଳ ଯୋଜନାରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା। ଏଥିପାଇଁ ୧୦ ଲିଟର ପିଛା ୫ ଟଙ୍କା ଓ ୨୦ ଲିଟର ପିଛା ୧୦ ଟଙ୍କା ଲେଖାଏଁ ଆଦାୟ ହେଉଥିଲା। ତାହା ମଧ୍ୟ ଏବେ ଅଚଳ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି।

ନିରୁପାୟ ହୋଇ ଗ୍ରାମବାସୀ ଅନାବନା ଘାସ ଓ ଦଳରେ ପରିପୂର୍ଣ୍ଣ ବନ୍ଧହୁଡ଼ା ବନ୍ଧ ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି। ରାଜତନ୍ତ୍ର ସମୟରୁ ଏହି ବନ୍ଧର ପାଣିକୁ ଗ୍ରାମର ମହିଳାମାନେ ଡେକ୍‌ଚି, ବାଲ୍‌ଟି, ଗରା ଆଦିରେ ଭର୍ତ୍ତି କରି ଘରକୁ ନେଇ ବ୍ୟବହାର କରୁଛନ୍ତି। ଅପରିଷ୍କାର ପାଣିକୁ ପିଇବା ପାଇଁ ବ୍ୟବହାର କରିବାରୁ ଅଞ୍ଚଳବାସୀ ଝାଡ଼ା, ବାନ୍ତି, ଜ୍ୱର ଆଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗାଁରେ ନଳକୂଅ ଅଛି। ହେଲେ, ସେଥିରୁ ନାଲି ରଙ୍ଗର ପାଣି ବାହାରୁଛି। କିଡ୍‌ନି ରୋଗ ଭୟରେ ଲୋକେ ନଳକୂଅ ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁ ନାହାନ୍ତି। ମେଗା ଲିଫ୍‌ଟ ପ୍ରକଳ୍ପ ମାଧ୍ୟମରେ ଗାଁକୁ ପାନୀୟଜଳ ଯୋଗାଇ ଦିଆଗଲେ ଲୋକଙ୍କ ଦୁଃଖ ଦୂର ହୋଇପାରିବ ବୋଲି ଗ୍ରାମର ବାସନ୍ତୀ ବେହେରା, ଶୈଳ ପ୍ରଧାନ, ଗୀତାଞ୍ଜଳି ବେହେରା, ଶୈଳବାଳା ସାହୁ, ସୁପି ମଲ୍ଲିକ, ମୀନା ସାହୁ, ଘରମଣି ସାହୁ, ସାବିତ୍ରୀ ବାରିକ, ପଦ୍ମାବତି ସାହୁ, ରଞ୍ଜୁବାଳା ସାହୁ, ବଂଶୀଧର ସାହୁ, କୁବେର ସାହୁ, ଗଦାଧର ମଲ୍ଲିକ, ସଞ୍ଜୟ କୁମାର ପ୍ରଧାନ, ସୁବାସଚନ୍ଦ୍ର ସାହୁ, ରଘୁନାଥ ସାହୁଙ୍କ ସମେତ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ଗାଁ ଲୋକେ ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ସେଠୀ, ବିଡିଓ ପ୍ରଦୀପ କୁମାର ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ, ଦିନ ପରେ ଦିନ ବିତି ଯାଉଥିଲେ ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।