ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ଥିବା ଜିଲ୍ଲାଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) ଗଠନ କରିଛନ୍ତି। ଏହି ଢାଞ୍ଚାରେ ଉତ୍ତର ଓଡ଼ିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଆର୍ଥିକ ବିକାଶ ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ(ଏନ୍ଓଡିସି) ଗଠନ କରାଯାଉ। ଏମିତି ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଏହି ଦାବି ପୂରଣ ପାଇଁ ପଦକ୍ଷେପ ନେବା ଲାଗି ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା ଆର୍ଥିକ କ୍ଷେତ୍ରରେ ଅବହେଳିତ ଏସବୁ ଜିଲ୍ଲାଗୁଡ଼ିକର ସନ୍ତୁଳିତ ବିକାଶ ସହ ଆଞ୍ଚଳିକ ବୈଷମ୍ୟ ଦୂର ହୋଇପାରିବ। ଏମିତିରେ ବି ପ୍ରାୟ ୧କୋଟି ଜନତା ବସବାସ କରୁଥିବା ଉତ୍ତର ଓଡ଼ିଶାର ଏହି ୪ ଜିଲ୍ଲା ଖଣି ଖାଦାନରେ ପରିପୂର୍ଣ୍ଣ। ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ରାଜକୋଷକୁ ଉତ୍ତର ଓଡ଼ିଶାର ଯୋଗଦାନ ସର୍ବାଧିକ। ତଥାପି ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ଉଭୟ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାରଙ୍କ ଦ୍ୱାରା ଉପେକ୍ଷିତ ହୋଇରହିଛି। ଦୀର୍ଘ ସମୁଦ୍ରତଟ, ଖଣିଜ ସଂପଦ, ଚାଷ ଜମି ଓ ଅନ୍ୟାନ୍ୟ ଆର୍ଥିକ ବିକାଶ ନିମନ୍ତେ ସମସ୍ତ ସୁଯୋଗ ଥିବା ସତ୍ତ୍ୱେ ସ୍ଥାନୀୟ ଯୁବପିଢ଼ି ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଭିତ୍ତିଭୂମି, ଦକ୍ଷତା, ତାଲିମ ଅଭାବ ଓ କମ୍ ପୁଞ୍ଜିନିବେଶ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶରେ ବାଧକ ସାଜିଛି।
ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କଂଗ୍ରେସ ନେତା ନବଜ୍ୟୋତି
ରାଜ୍ୟ ରାଜକୋଷ ଭରୁଥିବା ଉତ୍ତର ଓଡ଼ିଶା ଅବହେଳିତ
ବାଲେଶ୍ବରକୁ ମହାନଗର ନିଗମ ମାନ୍ୟତା କେବେ?
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଡବ୍ଲ୍ୟୁଓଡିସି ଗଠନ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ୨୫୦୦ କୋଟି ଟଙ୍କା ବ୍ୟୟରେ ୪୨୮୨୦ଟି ପ୍ରକଳ୍ପ ନିର୍ମାଣ ହୋଇଛି। ଏହାର ସିଧାସଳଖ ଲାଭ ପଶ୍ଚିମ ଓଡ଼ିଶାବାସୀ ପାଇଛନ୍ତି। ଠିକ୍ ସେହିଭଳି ସ୍ୱତନ୍ତ୍ର ଉତ୍ତର ଓଡ଼ିଶା ବିକାଶ ଗଠନ ହେଲେ ପଛୁଆ ଅଞ୍ଚଳଗୁଡ଼ିକୁ ଫୋକସ୍ କରାଯାଇପାରିବ ଏବଂ ସ୍ଥାନୀୟ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଏନ୍ଓଡିସି ଗଠନ ଦ୍ୱାରା କୃଷି କ୍ଷେତ୍ରର ବିକାଶ ଓ କୃଷକଙ୍କ କଲ୍ୟାଣ,
ଡିଜିଟାଲ ଦକ୍ଷତା ବିକାଶ, ନୂତନ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହନ, ବୟନ ଶିଳ୍ପ ସଂସ୍ଥାକୁ ସ୍ୱତନ୍ତ୍ର ଗୁରୁତ୍ୱ, ପର୍ଯ୍ୟଟନ ଶିଳ୍ପର ବିକାଶ, ଶିକ୍ଷା ସହ ତାଲିମକୁ ଯୋଡ଼ିବା, ଖଣି କ୍ଷେତ୍ରରେ ପ୍ରକ୍ରିୟାକରଣ, ଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହନ, ସୌର ଓ ପବନ ଶକ୍ତି ବିନିଯୋଗ ଦ୍ୱାରା ଅକ୍ଷୟ ଶକ୍ତି ଉତ୍ପାଦନ ହୋଇପାରିବ। କେବଳ ସେତିକି ନୁହେଁ, ‘ଉଡ଼ାନ’ ଯୋଜନାରେ ରାସଗୋବିନ୍ଦପୁରଠାରେ ନୂତନ ବିମାନବନ୍ଦର ନିର୍ମାଣ ଦ୍ୱାରା ଯାତାୟତ କ୍ଷେତ୍ରରେ ବ୍ୟାପକ ଉନ୍ନତି ଘଟିବ। ଶ୍ରୀ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି ଯେ ମଧ୍ୟ ଓଡ଼ିଶାର ଭୁବନେଶ୍ୱର, କଟକ, ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର, ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାଠାରେ ମହାନଗର ନିଗମ ଗଠନ ହୋଇଛି। ମାତ୍ର ଉତ୍ତର ଓଡ଼ିଶାର ବାଲେଶ୍ୱରକୁ ଏପର୍ଯ୍ୟନ୍ତ ମହାନଗର ନିଗମ ମାନ୍ୟତା ମିଳିପାରିନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ଉତ୍ତର ଓଡ଼ିଶାର ବାଲେଶ୍ୱର ସହରକୁ ଉପେକ୍ଷା କରାଯିବା ଲୋକଙ୍କୁ ନିରାଶ କରିଛି। ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ସମୟର ଆବଶ୍ୟକତା। ଏଣୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।