କଲିକତା: ପଶ୍ଚିମବଙ୍ଗରେ ଗତ ବର୍ଷ ହୋଇଥିବା ରାମନବମୀ ହିଂସା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ବଡ଼ ସଫଳତା ମିଳିଛି। ରାମନବମୀ ଶୋଭାଯାତ୍ରା ସମୟରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଏନଆଇଏ ୧୬ ଜଣଙ୍କୁ ଗିରଫ କରିଛି। ତଦନ୍ତ ବେଳେ ସାମ୍ନାକୁ ଆସିଥିବା ତଥ୍ୟ ଏବଂ ଜବତ ହୋଇଥିବା ହିଂସାକାଣ୍ଡର ଭିଡିଓ ଫୁଟେଜରୁ ଅଭିଯୁକ୍ତଙ୍କ ପରିଚୟ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର ଡାଲଖୋଲାଠାରେ ୨୦୨୩ ମାର୍ଚ୍ଚ ୩୦ ତାରିଖରେ ରାମ ନବମୀ ପାଳନ ଶୋଭାଯାତ୍ରା ବେଳେ ଏହି ଘଟଣା ଘଟିଥିଲା। ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଦସ୍ୟଙ୍କ ଉପରେ ହୋଇଥିବା ଆକ୍ରମଣରେ ଅଭିଯୁକ୍ତମାନେ ସାମିଲ ଥିଲେ।
ଉତ୍ତର ଡାଲଖୋଲାର ତାଜାମୂଳ ଛକରେ ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସା କାଣ୍ଡ ଘଟିବା ପରେ ରାଜ୍ୟ ପୁଲିସ ପ୍ରଥମେ ୧୬୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ କାଲକାଟା ହାଇକୋର୍ଟ ୨୦୨୩ ଏପ୍ରିଲ ୨୭ ରେ ରାମନବମୀ ପାଳନ ସମୟରେ ସାମ୍ପ୍ରଦାୟିକ ହିଂସା ସମ୍ବନ୍ଧୀୟ ମାମଲାକୁ ଏନଆଇଏକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏନଆଇଏ ଜରୁରୀ ମାମଲା ସମେତ ଏଭଳି ୬ଟି ମାମଲାର ତଦନ୍ତ କରିଥିଲା।