କୋଲକାତା : ପଶ୍ଚିମବଙ୍ଗ ବିଜେପି ବିଧାୟକ ସ୍ବପନ ମଜୁମଦାର ଶନିବାର ବନଗାଓଁ ଦକ୍ଷିଣ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଏକ ଥାନାକୁ ଜାଳି ଦେବା ପାଇଁ ଧମକ ଦେଇଛନ୍ତି। ବିଧାୟକଙ୍କ ଏଭଳି ବୟାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗର ଅଞ୍ଚଳରେ ଏକ ରାଲିରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମଜୁମଦାର କହିଥିଲେ ଯେ ସ୍ଥାନୀୟ ଥାନାର ଇନ୍ସପେକ୍ଟର ଏବଂ ଅଫିସର୍-ଇନ୍-ଚାର୍ଜ ବିଜେପି କର୍ମୀମାନଙ୍କୁ ହଇରାଣ କରୁଛନ୍ତି। ଅଯଥାରେ ସେମାନଙ୍କୁ ଗିରଫ କରୁଥିବା ବେଳେ ତୃଣମୂଳ କଂଗ୍ରେସ କର୍ମୀମାନଙ୍କୁ ବେଆଇନ କାର୍ଯ୍ୟକଳାପ କରିବା ପାଇଁ ଅନୁମତି ଦେଉଛନ୍ତି। ବିଜେପି କର୍ମୀଙ୍କୁ ଟିଏମ୍ସି କର୍ମୀମାନେ ଲଗାତାର ଆକ୍ରମଣ କରୁଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଉ ନାହିଁ। ଏହି ଅନ୍ୟାୟ ଅଧିକ ଦିନ ବରଦାସ୍ତ କରାଯିବ ନାହିଁ। ପୁଲିସ ତା ଆଚରଣରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଆମେ ଥାନାରେ ନିଆଁ ଲଗାଇବାକୁ ବାଧ୍ୟ ହେବୁ ବୋଲି ସେ କହିଥିଲେ।
ବିଧାୟକଙ୍କ ଏହି ଭାଷଣ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ଟିଏମ୍ସି ନେତାମାନେ ବିଜେପି ନେତାଙ୍କ ଦ୍ବାରା ଏହା ଉତ୍ତେଜକ ଭାଷଣ ବୋଲି କହିଛନ୍ତି।