ପର୍ଯ୍ୟଟନ ରାଜ୍ୟ

ପରିବେଶ ଓ ବନ୍ୟପ୍ରାଣୀ ଆଇନାରେ ୨୦୨୧: ଭୂସ୍ୱର୍ଗରେ ବିଦେଶୀ ପକ୍ଷୀ

ଏବର୍ଷ ବି ବିଦେଶାଗତ ପକ୍ଷୀଙ୍କ ଭୂସ୍ବର୍ଗ ପାଲଟିଛି ଚିଲିକା। ଜାନୁଆରି ମାସରେ ହୋଇଥିବା ପକ୍ଷୀ ଗଣନା ଅନୁଯାୟୀ ଚିଲିକାକୁ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଥିଲେ। ଶୀତ ଆରମ୍ଭ ହେବା କ୍ଷଣି ବର୍ଷ ଶେଷ ଆଡ଼କୁ ପୁଣିଥରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ଡିସେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଚିଲିକାକୁ ପ୍ରାୟ ୪ ଲକ୍ଷ ପକ୍ଷୀ ଆସିଥିବା ବନ ବିଭାଗ ସୂଚନା ଦେଇଛି। ୨୦୨୧ ପ୍ରାରମ୍ଭରେ ଓଡ଼ିଶାର ଅନ୍ୟତମ ଆକର୍ଷଣ ଭିତରକନିକାକୁ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିଲେ। ଯାହାକି ଗତ ୧୩ ବର୍ଷ ଭିତରେ ସର୍ବାଧିକ।

ବାଘ, ହାତୀ ଗଣନା

୨୦୨୨ରେ ସାରା ଦେଶରେ ହାତୀ ଓ ବାଘ ଗଣନା କରାଯିବ। ଏଥିଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘନଘନ ବୈଠକ କରିବା ସହ ଗଣନାର ରୂପରେଖ ପ୍ରସ୍ତୁତ କରିଛନ୍ତି। ବନ କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମ ଇତିମଧ୍ୟରେ ଶେଷ ହୋଇଛି। ପ୍ରତି ଅଭୟାରଣ୍ୟରେ କେତେ କର୍ମଚାରୀ ନିୟୋଜିତ ହେବେ, କେଉଁ ପଦ୍ଧତି ଆପଣାଯିବ ସେନେଇ ବି ଯୋଜନା ପ୍ରସ୍ତୁତ କରାଯାଇଛି।


କଇଁଛଙ୍କ ସୁରକ୍ଷାରେ ଆପ୍‌
ଓଡ଼ିଶା ଉପକୂଳରେ ଅଣ୍ଡାଦାନ ପାଇଁ ପ୍ରତିବର୍ଷ ଲକ୍ଷାଧିକ ଅଲିଭ-ରିଡ୍‌ଲେ ଆସନ୍ତି। ସେମାନଙ୍କ ସୁରକ୍ଷା ନେଇ ନଭେମ୍ବର ପହିଲାରୁ ୨୦୨୨ ମେ’ ୩୧ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସୁମଦ୍ର ଉପକୂଳରୁ ୨୦ କିମି ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ନିଷେଧ ହୋଇଛି। ମତ୍ସ୍ୟଜୀବୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ନିମନ୍ତେ ପସ୍ତୁତ ମୋବାଇଲ୍ ଆପ୍ ଦ୍ବାରା ମତ୍ସ୍ୟଜୀବୀମାନେ ମାଛମରା ନିଷିଦ୍ଧ ସୀମା ଦେଖିପାରିବେ। ନିଷିଦ୍ଧ ଅଞ୍ଚଳକୁ ପଶିବା ସଙ୍ଗେ ସଙ୍ଗେ ସେମାନେ ଆଲର୍ଟ ମେସେଜ୍ ପାଇବେ। ଏ ବର୍ଷ ୬୬ଟି ପାଟ୍ରୋଲିଂ କ୍ୟାମ୍ପ୍‌ ହୋଇଛି। ଭଦ୍ରକ, ରାଜନଗର, ପୁରୀ ଓ ବ୍ରହ୍ମପୁର ବନ୍ୟଜନ୍ତୁ ବନଖଣ୍ଡକୁ ୫ଟି ତୀବ୍ରଗତି ସଂପନ୍ନ ବୋଟ୍ ସହ ୧୩ଟି ଟ୍ରଲର୍ ଓ ସହାୟକ ବୋଟ୍ ଯୋଗାଇ ଦିଆଯାଇଛି।

ରେଡିଓ କଲାର୍‌ ଫେଲ୍‌
ଜନବସତିରେ ଉତ୍ପାତ କରୁଥିବା ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ହାତୀଙ୍କ ବେକରେ ରେଡ଼ିଓ କଲାର୍‌ ଲଗାଇବାକୁ ବନ ବିଭାଗ ଉଦ୍ୟମ କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଚନ୍ଦକା, ଖୋର୍ଦ୍ଧା ଓ ଆଠଗଡ଼ ଅଞ୍ଚଳର ୩ଟି ଏବଂ ଶିମିଳିପାଳର ୪ଟି ହାତୀଙ୍କ ବେକରେ ଲଗାଯିବାର ଥିଲା। ମାତ୍ର ତାହା ଫେଲ୍‌ ମାରିଥିଲା। ଚନ୍ଦକା, ଶିମିଳିପାଳରେ ଫେଲ୍‌ ହେବା ପରେ ଖୋର୍ଧାରେ ଝାଳ ବୁହାଇଥିଲା ବନ ବିଭାଗ। ରାତି ଅନିଦ୍ରା ହୋଇ କର୍ମଚରୀ ଲାଗିପଡ଼ିଥିଲେ। ମାତ୍ର ଟ୍ରାଙ୍କୁଲାଇଜ୍‌ କାମ ଦେଇ ନଥିଲା। ସକାଳୁ ହାତୀ ଦୌଡ଼ିବାରୁ ତଳେ ପଡ଼ି ୫ ଜଣ ଅଧିକାରୀ ଆହତ ହେବା ପରେ ଯୋଜନାକୁ ସ୍ଥଗିତ ରଖିଲା ବନ ବିଭାଗ।


ନନ୍ଦନକାନନ ପାଇଁ ଅଶୁଭ
ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଥିଲା ଅଶୁଭ ବର୍ଷ। କରୋନା କଟକଣା ମଧ୍ୟରେ ପ୍ରାଣୀଉଦ୍ୟାନ ଖୋଲିଥିଲେ ମଧ୍ୟ ବେଶି ଦିନ ରହି ନଥିଲା। ଦ୍ବିତୀୟ ଲହର ପାଇଁ ପ୍ରାୟ ୪ ମାସ ଧରି ପୁଣି ବନ୍ଦ ହୋଇଥିଲା। ବହୁଦିନ ଧରି ଅଚଳ ହୋଇପଡ଼ିଥିବା ଟଏ ଟ୍ରେନ୍ ସେବା ପୁଣିଥରେ ଆରମ୍ଭ ହେଲା। ମାତ୍ର ବେଶି ଦିନ ଚାଲିପାରି ନ ଥିଲା। କେବେ ନିଆଁ ଲାଗିଥିଲା ତ ଆଉ କେବେ ଟ୍ରାକ୍‌ରୁ ବାହାରି ଯାଇଥିଲା। ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ନିଆଁ ଲାଗିଥିଲା। ସଫାରି ଭିତରେ ପର୍ଯ୍ୟଟକଙ୍କୁ ଭାଲୁ କାମୁଡ଼ିଥିଲା। ଗୋଲ୍ଡେନ ପିଜାଣ୍ଟ, ହିମାଳୟ ଭାଲୁ, ବାଘୁଣୀ ରେଣୁକା, ଆନିନୀ ମୃତ୍ୟୁବରଣ କରିଥିଲେ। ପାଚେରି ଭାଙ୍ଗି ବଣୁଆ ହାତୀ ବାରମ୍ବାର ନନ୍ଦନକାନନ ଭିତକୁ ପ୍ରବେଶ କରିଥିଲେ। ମହାବଳ ‘ରାଜେଶ’ ତାରବାଡ଼ ଭାଙ୍ଗି ସଫାରି ଭିତରକୁ ଆସିଥିଲା। ବର୍ଷ ଆରମ୍ଭରୁ ବାର୍ଡ-ଫ୍ଲୁ ଭୟ ବି ଦେଖିବାକୁ ମିଳିଥିଲା। ବହୁତଳ ପାର୍କିଂ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ତାହାରି ଭିତରେ କେତେକ ଖୁସି ଖବର ଆଣି ଦେଇଥିଲା ଆଶ୍ବସ୍ତି। ଧଳା ବାଘୁଣୀ ‘ବିଜୟା’ ଓ ‘ମେଘା’ କୋଳରୁ ୩ଟି ଲେଖାଏଁ ଶାବକ ଜନ୍ମ ହୋଇଥିଲେ। ଘଡ଼ିଆଳ କୁମ୍ଭୀର ଦେହରେ ଟ୍ରାନ୍ସମିଟର ଲଗାଯାଇ ସାତକୋଶିଆରେ ଛଡ଼ାଯାଇଥିଲା। ସଫାରି ବସ୍ ଗଡ଼ିଥିଲା। ମିଜୋରାମରୁ ୫ ପ୍ରଜାତିର ୧୮ ଜୀବଜନ୍ତୁ ଆସିଥିଲେ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ