ଭୁବନେଶ୍ବର: ଗତ କିଛି ବର୍ଷ ହେଲା ରାଜଧାନୀରେ ଅଜଣା ମୃତଦେହ ଠାବ ମାମଲା ବଢ଼ିବାରେ ଲାଗିଛି। କେତେବେଳେ ପୋଖରୀରୁ ମୃତଦେହ ମିଳିଲାଣି ତ କେତେବେଳେ ନଦୀରୁ ବା ପଠାରୁ। ପୁଣି କେବେ ଜଙ୍ଗଲ ଭିତରୁ ତ କେବେ ପରିତ୍ୟକ୍ତ ଘରୁ ଶବ ମିଳୁଛି। ବସ୍ଷ୍ଟାଣ୍ଡ ହେଉ କି ରେଳଷ୍ଟେସନ୍ ହେଉ, ଅପରିଚିତ ଶବ ଜବତ କରାଯାଉଛି। କେତେବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶବ ମିଳୁଛି ତ କେତେବେଳେ ପୁଣି ଗଳିତ ଅବସ୍ଥାରେ। ୨୦୧୩ ମସିହାରୁ ଏପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୨ଶହରୁ ଊର୍ଧ୍ବ ଅଜଣା ମୃତଦେହ ଜବତ ହେଲାଣି।
ଏହା ଭିତରୁ ଅନେକ ହତ୍ୟାକାଣ୍ଡ ମାମଲା ଥିବା ସ୍ପଷ୍ଟ। କିନ୍ତୁ ମୃତକଙ୍କ ପରିଚୟ ମିଳୁ ନଥିବାରୁ ହତ୍ୟାକାରୀମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି। କମିସନରେଟ୍ ପୁଲିସ ତଦନ୍ତ ଏମିତି କରୁଛି ଯେ ମୃତକଙ୍କ ପରିଚୟ ମିଳୁନି। ତେଣୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭୁବନେଶ୍ବରରେ ନଦୀ କି ବଣରେ ଫୋପାଡ଼ି ଦେଇ ପାର୍ ହୋଇଯାଉଥିବା ହତ୍ୟାକାରୀମାନେ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଯାଇଛନ୍ତି। ଶବ ଚିହ୍ନଟ ହୋଇପାରୁ ନଥିବା ବାହାନାରେ ବର୍ଷ ବର୍ଷ ବିତିଯାଉଛି ଏବଂ ତଦନ୍ତ ଆଗକୁ ବଢ଼ିପାରୁନି। ଏମିତି ନୁହେଁ ଯେ କମିସନରେଟ୍ ପୁଲିସ ପାଖରେ ଜ୍ଞାନକୌଶଳ ନାହିଁ। ପୂର୍ବରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ହାଇପ୍ରୋଫାଇଲ୍ ଆପରାଧିକ ମାମଲାର ପର୍ଦ୍ଦାଫାସ୍ କରିଛି କମିସନରେଟ୍ ପୁଲିସ। କିନ୍ତୁ ଅପରିଚିତ ଶବ ଜବତ ମାମଲାକୁ ନେଇ ବହୁ କ୍ଷେତ୍ରରେ କମିସନରେଟ୍ ପୁଲିସ ଖିଅ ପାଉନାହିଁ। ପୁଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ବସି ଯାଇଛି। ନିକଟରେ ଘଟିଥିବା କିଛି ଘଟଣା ଏହା ସ୍ପଷ୍ଟ ବୟାନ କରୁଛି।
ଜଙ୍ଗଲରୁ ଗଳିତ ମୃତଦେହ ଜବତ
ଏପ୍ରିଲ୍ ୪: ସନ୍ଦେହଜନକ ଅବସ୍ଥାରେ ଚନ୍ଦକା ଥାନା ପୁଲିସ କୁଜିମହଲ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଥିଲା। ମୃତଦେହଟି ଏକ ଗଛରେ ଝୁଲି ରହିଥିଲା ଏବଂ ପ୍ରାୟ ଗୋଟିଏ ସପ୍ତାହ ତଳର ମୃତଦେହ ବୋଲି ଜଣାପଡ଼ିଥିଲା। ହେଲେ ଶବର ପରିଚୟ ମିଳି ପାରିନଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ବସିଗଲା। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏବେ ବି ରହସ୍ୟ ହୋଇ ରହିଛି।
ଧାନବାଦ୍ ଏକ୍ସପ୍ରେସ୍ରେ ମହିଳାଙ୍କୁ ହତ୍ୟା
ଏପ୍ରିଲ୍ ୧୩: ଧାନବାଦ ଏକ୍ସପ୍ରେସ୍ର ଟଏଲେଟ୍ରୁ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଜବତ କରାଯାଇଥିଲା। କେହି ଦୁର୍ବୃତ୍ତ ମହିଳାଙ୍କ ଗଳାକାଟି ହତ୍ୟା କରିବା ପରେ ପାଇଖାନାରେ ଫିଙ୍ଗି ଫେରାର୍ ହୋଇଯାଇଥିଲା। ଏକ ଏକ୍ସପ୍ରେସ୍ରେ ହତ୍ୟା କରିବା ପରେ ଭୁବନେଶ୍ବର ରେଳ ଷ୍ଟେସନରୁ ଖସିଗଲା ଦୁର୍ବୃତ୍ତ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ୨ ମାସ ବିତି ସାରିଥିଲେ ବି ପୁଲିସ ମହିଳାଙ୍କ ପରିଚୟ ପାଇପାରିନାହିଁ। ତେଣୁ ହତ୍ୟାକାରୀକୁ ଧରିବା ବି ସମ୍ଭବ ହୋଇପାରିନାହିଁ। ଏ ପର୍ଯ୍ୟନ୍ତ ଘଟଣାଟି ରହସ୍ୟରେ ରହି ଯାଇଛି।
କୁଆଖାଇରୁ ପୁଣି ଅଜଣା ମୃତଦେହ ଜବତ
ଜୁନ୍ ୯: କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହକୁ ମଞ୍ଚେଶ୍ବର ଥାନା ପୁଲିସ ଜବତ କରିଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଫୋନ୍ କରି ଜଣାଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ମୃତଦେହକୁ ଜବତ କରି କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ତେବେ ପୁଲିସ ମୃତକଙ୍କ ପରିଚୟ ପାଇଲା ନାହିଁ। ତେଣୁ ତାଙ୍କ ମୃତ୍ୟୁର କାରଣ ବି ଜଣାପଡ଼ିଲା ନାହିଁ। ସେ ନଦୀକୁ ଡେଇଁ ଆତ୍ମହତ୍ୟା କଲେ କି ଦୁର୍ବୃତ୍ତମାନେ ତାଙ୍କୁ ପାଣିରେ ବୁଡ଼ାଇ ମାରିଦେଲେ, କିଛି ଜଣାପଡ଼ିଲା ନାହିଁ।
କ୍ୟାବିନ୍ରେ ରକ୍ତାକ୍ତ ମୃତଦେହ
ଜୁନ୍ ୧୪: ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥ ଏକ ପରିତ୍ୟକ୍ତ କ୍ୟାବିନ୍ରୁ ପୁଲିସ ଜଣେ ବ୍ୟକ୍ତିଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କ ମୁଣ୍ଡ ଏବଂ ଶରୀରରେ କ୍ଷତ ଚିହ୍ନ ଥିଲା। ପୁଲିସ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଯାଏ ତାଙ୍କର ପରିଚୟ ମିଳିପାରି ନାହିଁ। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲେ ବି ମାମଲା ରହସ୍ୟରେ ରହି ଯାଇଛି। ତାଙ୍କୁ କିଏ ହତ୍ୟା କଲା, ହତ୍ୟାକାରୀ କିଏ, ଏହାକୁ ନେଇ ସାଧାରଣରେ ଉତ୍ସୁକତା ଥିଲେ ବି ପୁଲିସ ନିରବ।
ନଦୀରୁ ଗଳିତ ମୃତଦେହ ଜବତ
ଜୁନ୍ ୨୨: କୁଆଖାଇ ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ବଡ଼ଗଡ଼ ଥାନା ପୁଲିସ ଜବତ କରିଥିଲା। ତାଙ୍କ ବୟସ ପାଖାପାଖି ୪୫ରୁ ୫୦ବର୍ଷ ହେବ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ପୁଲିସ ତାଙ୍କ ପରିଚୟ ପାଇଲା ନାହିଁ। ତେଣୁ ସ୍ବାଭାବିକ ଭାବେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ଯୁବକଙ୍କ ପରିଚୟ ମିଳି ପାରୁନଥିବାରୁ ତଦନ୍ତ ଆଗକୁ ବଢ଼ିପାରୁନାହିଁ।
କ’ଣ ରହିଛି ନିୟମ?
ନିୟମାନୁଯାୟୀ ଅଜଣା ଶବ ଜବତ ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷଣ ଗୃହରେ ରଖାଯାଏ। ଏହା ପରେ ଶବ ବ୍ୟବଚ୍ଛେଦ କରାଯାଇ ଅନ୍ତିମ ସଂସ୍କାର କରି ଦିଆଯାଏ। ଅଧିକାଂଶ କ୍ଷେତ୍ରରେ ଶବକୁ ପୋତି ଦିଆଯାଏ। ସେହିଭଳି ପରିଚୟ ପାଇବା ପାଇଁ ମୃତକଙ୍କ ଫଟୋକୁ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଥାନାକୁ ପଠାଇ ଦିଆଯାଏ ଏବଂ ବିଭିନ୍ନ ଗଣମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କ ଫଟୋଚିତ୍ର ସହ ବିସ୍ତୃତ ସୂଚନା ଦିଆଯାଏ। ସେହିଭଳି ଶବ ନିକଟରୁ ମିଳିଥିବା ସମସ୍ତ ସାମଗ୍ରୀର ଫଟୋଚିତ୍ର ସହ ପୋଷ୍ଟର୍ରେ ରଖି କରି ବିଭିନ୍ନ ଅଞ୍ଚଳ, ପ୍ରମୁଖ ଛକରେ ଲଗାଯାଏ। ନିୟମିତ ବ୍ୟବଧାନରେ ଶବ ବାବଦରେ ପୋଷ୍ଟର୍ ବା ସୂଚନା ଲୋକଙ୍କୁ ପ୍ରଦାନ କରିବା କଥା। ହେଲେ ପୁଲିସ ଯେଉଁ ସମୟରେ ଶବ ଜବତ କରୁଛି, କେବଳ ସେହି ସମୟରେ ପୋଷ୍ଟର୍ ମାରି କାମ ସାରିଦେଉଛି। ପରେ ଏହାର ପୁନରାବୃତ୍ତି କରାଯାଉ ନାହିଁ। ଫଳରେ ଠିକଣା ବିହୀନ ଶବ ସେମିତି ସବୁ ଦିନ ପାଇଁ ଅପରିଚିତ ହୋଇ ରହିଯାଉଛି। ତା’ ସହିତ ଖସିଯାଉଛନ୍ତି ହତ୍ୟାକାରୀ।