କୋଲକାତା, ୨୬/୦୧: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ବିଶିଷ୍ଟ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଶର ଶ୍ରେଷ୍ଠ ସମ୍ମାନ ପଦ୍ମ ପୁରସ୍କାର ଦେବା ନେଇ ଘୋଷଣା ହୋଇଛି । ମୋଟ ୧୨୮ ଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ପଦ୍ମଶ୍ରୀ ସୂଚୀରେ ପଶ୍ଚିମ ବଙ୍ଗର ପ୍ରସିଦ୍ଧ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ନାମ ମଧ୍ୟ ରହିଥିଲା । କିନ୍ତୁ ଏହାକୁ ଗ୍ରହଣ କରିବାକୁ ସେ ମନା କରିଦେଇଛନ୍ତି । ପଦ୍ମଶ୍ରୀ ତାଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି ।
ଗାୟିକାଙ୍କ ପାରିବାରିକ ସଂପର୍କୀୟ ଏନେଇ ସୂଚନା ଦେଇଛନ୍ତି ଯେ, ଯେତେବେଳେ ସନ୍ଧ୍ୟାଙ୍କୁ କେନ୍ଦ୍ର ସରକାରଙ୍କ ଅଧିକାରୀ ମଙ୍ଗଳବାର ଦ୍ୱିପ୍ରହରରେ ପୁରସ୍କାର ସମ୍ୱନ୍ଧରେ ସୂଚନା ଦେଇଥିଲେ ସେତେବେଳେ ସେ ଏହି ଆୱାର୍ଡ ନେବାକୁ ମନା କରିଦେଇଥିଲେ ।
୯୦ ବର୍ଷୀୟ ଏହି ଗାୟିକା କୋଲକାତାର ସାଉଥ୍ ଅଞ୍ଚଳର ଲେକ୍ ଗାର୍ଡେନ୍ରେ ରହୁଛନ୍ତି । ବଙ୍ଗଳା ଫିଲ୍ମରେ ସେ ପାଖାପାଖି ୧ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଏଥିସହିତ ଆଧୁନିକ ଏବଂ ସେମି-କ୍ଲାସିକାଲ୍ ମ୍ୟୁଜିକ୍ ଆଲ୍ବମ୍ରେ ସେ ଗୀତ ଗାଇ ବେଶ୍ ନାମ କମାଇଛନ୍ତି । ପ୍ରସିଦ୍ଧ ଗାୟକ ହେମନ୍ତ ମୁଖାର୍ଜୀଙ୍କ ସହିତ ଗାଇଥିବା ତାଙ୍କ ଗୀତ ବହୁତ ଲୋକପ୍ରିୟ ହୋଇଥିଲା ।
ହିନ୍ଦୁସ୍ତାନ ଟାଇମ୍ସକୁ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ପାରିବାରିକ ସାଙ୍ଗ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଦିଲ୍ଲୀର ଜଣେ ଅଧିକାରୀ ତାଙ୍କୁ ଦ୍ୱିପ୍ରହରରେ ଫୋନ୍ କରିଥିଲେ । ଅଧକାରୀଙ୍କୁ ସନ୍ଧ୍ୟା କହିଥିଲେ ପଦ୍ମଶ୍ରୀ ତାଙ୍କ ଭଳି ଜଣେ ଅନୁଭବୀ ବ୍ୟକ୍ତିଙ୍କୁ ଦିଆଗଲା ଭଳି ଆୱାର୍ଡ ନୁହେଁ । ଏହି ଆୱାର୍ଡକୁ ନେବା ଆପମାନ ଗ୍ରହଣ କରିବା ସହିତ ସମାନ ।