ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦ୍ମବେଶ ହେବେ ଠାକୁରେ: ସୋଲରେ ବେଶ ପ୍ରସ୍ତୁତ କରୁଛନ୍ତି ୫ ଶିଳ୍ପୀ

ପୁରୀ: ପଦ୍ମ ବେଶରେ ଦର୍ଶନ ଦେବେ ଭାବ ବିନୋଦିଆ। ପଦ୍ମରେ ଝଟକିବ ଶ୍ରୀମୁଖ। ରତ୍ନ ସିଂହାସନରେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ। ବେଶର ମହତ୍ତ୍ବ ହେଉଛି, ସମ୍ପୂର୍ଣ୍ଣ ବେଶ କାର୍ଯ୍ୟ ପାଣି ସୋଲରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ପଦ୍ମ ଫୁଲଠୁ ନେଇ ପଦ୍ମ ପାଖୁଡ଼ା, ପଦ୍ମ କେଶର, ଆମ୍ବକଷି, ଡାଳି, ୭ଟି ଗଛ, ୭ଟି ସିଂହାସନ, ୩ଟି ଶ୍ରୀମୁଖ ପଦ୍ମ ସବୁକିଛି ସୋଲ ଓ ଜରିରେ ପ୍ରସ୍ତୁତ ହେଉଛି। ଏହାବ୍ୟତୀତ ୩ଟି ବଡ଼ ଚୂଳ ମଧ୍ୟ ପ୍ରସ୍ତୁତ କରାଯାଉଛି। ସୋଲକୁ କାଗଜ ଭଳି କାଟି ପ୍ରସ୍ତୁତ କରିବା ପରେ ଏହାକୁ ପଦ୍ମର ରୂପ ଦିଆଯାଉଛି। ଏହାବ୍ୟତୀତ ସନ୍ତରାରେ ବଳା ତିଆରି କରାଯାଇଛି। ବେଶ ପ୍ରସ୍ତୁତ କରୁଥିବା ଶିଳ୍ପୀ ବସନ୍ତ କୁମାର ରଣାଙ୍କ କହିବା ଅନୁଯାୟୀ, ଶ୍ରୀମୁଖରେ ତୁଳସୀକୁ ବଳା ସଦୃଶ ପ୍ରସ୍ତୁତ କରି ସଜ୍ଜାଯାଏ। ପରେ ବେଶ ବନ୍ଧା ଯାଇଥାଏ। ତାଙ୍କ ସହ ସତ୍ୟନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ବାମଦେବ ମହାପାତ୍ର, ଜିତେନ୍ଦ୍ର ମହାରଣା ବେଶ ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି। ବଡ଼ଛତା ମଠ ପକ୍ଷରୁ ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଏ। ବେଶ ପାଇଁ ଆବଶ୍ୟକ ସୋଲ, ଜରି, କଇଁଥ ଅଠା, କନା, ବେତ, ବାଉଁଶ, ସନ୍ତରା ଆଦି ମଠ ତରଫରୁ ଯୋଗାଇ ଦିଆଯାଇଥାଏ। ପଣ୍ଡୁ ପୂର୍ଣ୍ଣିମାଠାରୁ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଏ। ଠାକୁରଙ୍କୁ ପରମ ଭକ୍ତମାନେ ଯେଉଁ ବେଶରେ ଦେଖିବାକୁ ଚାହିଁଛନ୍ତି ସେ ସେଇ ବେଶରେ ଦର୍ଶନ ଦେଇଛନ୍ତି। କଥିତ ଅଛି, ସପ୍ତଦଶ ଶତାବ୍ଦୀରୁ ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ। ସେବେଠୁ ନିରବଚ୍ଛିନ୍ନ ଭାବେ ଏହି ବେଶ କରାଯାଉଛି। ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତ ସରି ରାତିରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ସମୟରେ ଏହି ବେଶ ଅନୁଷ୍ଠିତ ହୁଏ। ବେଶ ପରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖିରି ଓ ଅମାଲୁ ଭୋଗ ଲାଗି ହୁଏ।

ବେଶକୁ ନେଇ କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁସାରେ ସାଧୁ ମନୋହର ଦାସ ବହୁ ଦୂରରୁ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। କ୍ଳାନ୍ତ ହୋଇ ତୃଷାର୍ତ୍ତ ଅବସ୍ଥାରେ ପୋଖରୀ ନିକଟରେ ଅଟକିଲେ। ପୁଷ୍କରିଣୀରେ ପଦ୍ମଫୁଲ ଫୁଟିଥିବା ଦେଖି ଏସବୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ ହୋଇଥିବା ଭାବି ସେ ପଦ୍ମଫୁଲ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୋଳିନେଲେ। ମାଘ ମାସ ଅମାବାସ୍ୟା ଦିନ ଶ୍ରୀମନ୍ଦିରରେ ପହଞ୍ଚି ଫୁଲଗୁଡ଼ିକୁ ମହାପ୍ରଭୁଙ୍କୁ ଲାଗି କରିବାକୁ ସେବକଙ୍କୁ ଅନୁରୋଧ କଲେ। କିନ୍ତୁ ମଇଳା ଗାମୁଛାରେ ବନ୍ଧା ଫୁଲମାନ ଶୁଖିଯାଇଥିବାରୁ ସେସବୁ ମହାପ୍ରଭୁଙ୍କୁ ଲାଗି କରିବାକୁ ସେବକମାନେ ମନା କରିଦେଲେ। ସାଧୁ ଜଣକ ଫେରି ଆସି ବଡ଼ଛତା ମଠ ନିକଟରେ ମୂର୍ଚ୍ଛା ଗଲେ। ସେଦିନ ରାତିରେ ମହାପ୍ରଭୁ ଗଜପତିଙ୍କୁ ସ୍ବପ୍ନରେ ସାଧୁ ଆଣିଥିବା ପଦ୍ମ ଫୁଲ ଲାଗି କରିବାକୁ କହିଲେ। ସେବକମାନେ ଶୁଖିଲା ଫୁଲଗୁଡ଼ିକ ଲାଗି କରିବା ପରେ ସେଗୁଡ଼ିକ ସତେଜ ହୋଇ ସଦ୍ୟ ପ୍ରସ୍ଫୁଟିତ ହୋଇଥିବା ଭଳି ଦୃଶ୍ୟମାନ ହେଲା। ଏହା ଦେଖି ସେବକମାନେ ସାଧୁ ମନୋହରଙ୍କୁ ରତ୍ନ ସିଂହାସନ ନିକଟକୁ ପାଛୋଟି ନେଲେ। ମହାପ୍ରଭୁଙ୍କୁ ପଦ୍ମବେଶରେ ଦେଖି ସାଧୁ ଜଣକ ବିମୋହିତ ହେଲେ। ଖିରି ମହାପ୍ରସାଦ ସେବନ କରି ପ୍ରସ୍ଥାନ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।