କଳା ଓ ସଂସ୍କୃତି ରାଜ୍ୟ

ପଦ୍ମବେଶରେ ମହାପ୍ରଭୁ: ପ୍ରଭୁଙ୍କ ପାଇଁ ପଦ୍ମ ଆଣିଲେ ଚିନ୍ତାମଣି

ପୁରୀ: ପଦ୍ମବେଶରେ ସଜେଇ ‌ହୋଇଛନ୍ତି ମହାପ୍ରଭୁ। ରସିକ ନାଗର କାଳିଆ ସାଆନ୍ତଙ୍କ ସମେତ ବଡ଼ଭାଇ ବଳଭଦ୍ର ଓ ଭଗିନୀ ସୁଭଦ୍ରା ମଧ୍ୟ ଏହି ମନୋହର ବେଶରେ ବିଭୂଷିତ ହୋଇଛନ୍ତି। ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଛି ଏହି ଦୁର୍ଲଭ ବେଶ। ଏନେଇ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଚନ୍ଦନ ଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ‌ଏହି ବେଶ କରାଯାଇଥିଲା। ପଦ୍ମ ବେଶରେ ହିଁ ଠାକୁରଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଛି। ଗତବର୍ଷ କରୋନା ଯୋଗୁଁ ଭକ୍ତମାନେ ଏହି ବେଶ ଦର୍ଶନର ସୁଯୋଗ ପାଇ ନଥିଲେ। ମାତ୍ର ଆସନ୍ତାକାଲି ମଙ୍ଗଳ ଆଳତି ପର୍ଯ୍ୟନ୍ତ ଏହି ବେଶ ରହିବାକୁ ଥିବାରୁ ଏଥର ଭକ୍ତ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ।
ବଡ଼ଛତା ମଠରୁ ଏହି ବେଶ ଶ୍ରୀମନ୍ଦିରକୁ ବିଜେ କରିଥିଲା। ଶ୍ରୀମୁଖ ବଳା ପାଇଁ ମଠରୁ ତୁଳସୀ ମାଳ, ଗେଣ୍ଡୁ ଫୁଲ ମାଳ ବି ଶ୍ରୀମନ୍ଦିର ଯାଇଥିଲା। ଏକ ପଣ ପଦ୍ମଫୁଲ, ଏକ ପଣ ଡାଳି, ଶ୍ରୀମୁଖ ପଦ୍ମ, ଶ୍ରୀହସ୍ତ ପଦ୍ମ କଢ଼, କଦମ୍ବ ଫୁଲରେ ପ୍ରସ୍ତୁତ କରପଲ୍ଲବ ମାଳ, ମଗର କୁଣ୍ଡଳ, ତିଳକ ଓ ହଂସରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଇଛି। ପଣ୍ଡୁ ପୂର୍ଣ୍ଣିମାଠାରୁ ବଡ଼ଛତା ମଠ ପକ୍ଷରୁ ଏହି ବେଶ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି କାରିଗରମାନେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ପରେ ନୀଳ‌ ଘୋଡ଼ ଲାଗି ସମୟରେ ଏହି ବେଶ କରାଯାଇଥିଲା। ସପ୍ତଦଶ ଶତାବ୍ଦୀରେ ବଡ଼ଛତା ମଠ ମହନ୍ତ ପଦ୍ମ ବେଶ ପରମ୍ପରା ଆରମ୍ଭ କରିଥିଲେ। ଭକ୍ତ ମନୋହର ଦାଶଙ୍କ ଭକ୍ତି ଅର୍ଘ୍ୟ ସ୍ବରୂପ ଏହି ପରମ୍ପରା ଅନୁଷ୍ଠିତ ହୋଇ ଆସୁଛି।

ପୁରୀ: ମହାପ୍ରଭୁଙ୍କୁ ପଦ୍ମରେ ସଜେଇବାକୁ ଫୁଲ ବେତା ଧରି ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ଚିନ୍ତାମଣି ଦାଶ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବମୟ ସମ୍ପର୍କର ଡୋରି ଏତେ ମଜଭୁତ ଯେ ବର୍ଷକ ଆଗରୁ ଏହି ଦିନକୁ ଚାହିଁ ରହିଥାଆନ୍ତି ସେ। ମାଘ ଶୁକ୍ଳ ଦ୍ବିତୀୟା ତିଥିର ଏହି ଅପୂର୍ବ ମୁହୂର୍ତ୍ତରେ ସେ ଫୁଲ ଆଣି ଆସିବା ବାଟରେ ମା’ବାଟ ମଙ୍ଗଳାଙ୍କୁ ପଦ୍ମରେ ପ୍ରସ୍ତୁତ ମାଳ ସମର୍ପଣ କରିଛନ୍ତି। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ସେ ନିଜେ ମୁଣ୍ଡରେ ଫୁଲ ବେତା ମୁଣ୍ଡେଇ ଶ୍ରୀମନ୍ଦିରକୁ ଯାଇଥିଲେ।
ଚିନ୍ତାମଣିଙ୍କ ଘର ଭୁବନେଶ୍ବର ଶାସ୍ତ୍ରୀନଗରରେ। ସଂସ୍କୃତ ଶିକ୍ଷକ ଭାବେ ୨୦୧୩ରେ କ୍ୟାପିଟାଲ୍‌ ହାଇସ୍କୁଲ୍‌ରୁ ଅବସର ନେଇଛନ୍ତି। ତାଙ୍କ କହିବା ମୁତାବକ, ଥରେ ଏକ ଖବରକାଗଜରୁ ସେ ଜାଣିବାକୁ ପାଇଲେ ଯେ ଶୀତଦିନରେ ପଦ୍ମଫୁଲ ଅଭାବରୁ ମହାପ୍ରଭୁଙ୍କୁ ସୋଲ ତିଆରି ପଦ୍ମ ଫୁଲରେ ବେଶ ହୁଅନ୍ତି। ଏ ଖବର ତାଙ୍କୁ ଏତେ ବ୍ୟଥିତ କଲା ଯେ ସେ ଶୋଇପାରିଲେ ନାହିଁ। କିଭଳି ଗୋଟିଏ ଦିନ ମହାପ୍ରଭୁଙ୍କୁ ସତେଜ ପଦ୍ମ ଫୁଲରେ ବେଶ କରିପାରିବେ ସେଇ ଉଦ୍ଦେଶ୍ୟ ନେଇ ଆରମ୍ଭ କଲେ ଅଭିଯାନ। ଧଉଳି ନିକଟରେ ୪ଟି ପଦ୍ମ ପୋଖରୀ ଲିଜ୍‌ ସୂତ୍ରରେ ନେଇଥିବା ବେଳେ ପ୍ରତିବର୍ଷ ବଡ଼ ବେତାରେ ଫୁଲ ଧରି ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଆସନ୍ତି। ବଡ଼ଦାଣ୍ଡରେ ପଦ୍ମ‌ଫୁଲ ବେତାକୁ ମୁଣ୍ଡେଇ ଯାଆନ୍ତି। ପ୍ରତିବର୍ଷ ଏଥିପାଇଁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆବେଦନ ବି କରନ୍ତି। ସେ କାଳେ ମହାପ୍ରଭୁଙ୍କ ଇଚ୍ଛାକୁ ଅନୁଭବ କରିପାରିଥିଲେ। ଏହା ହିଁ ତାଙ୍କୁ ୨୦୧୧ ମସିହାରୁ ଫୁଲ ଆଣିବାକୁ ପ୍ରେରିତ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,