‘ଚାଷ କାମ ଯାହାର କେତେ ସୁଖ ତାହାର, ସେହି ସିନା ଯୋଗାଉଛି ଦୁନିଆକୁ ଆହାର’। କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ସ୍କୁଲ ପିଲାମାନଙ୍କ ଲାଗି ଉଦ୍ଦିଷ୍ଟ ସାହିତ୍ୟ ବହିରେ ଥିବା ଏହି ପଂକ୍ତି ପଛରେ କେତେ ବଡ଼ ଦୂରଦୃଷ୍ଟି ଥିଲା, ତାହା ବ୍ୟକ୍ତ କରିବା ମୁସ୍କିଲ୍ ବ୍ୟାପାର। ସେହି ପିଲା ଯେବେ ବଡ଼ ହୋଇ ସାହିତ୍ୟ ବହିର ପ୍ରତି ପଂକ୍ତି ପଛର ସତ ଖୋଜିବସେ, ସେବେ…। ପ୍ରକୃତରେ ଚାଷକୁ ନେଇ ଚାଷୀ କେତେ ଖୁସିଥାଏ? କାହିଁକି ନିୟମିତ ବ୍ୟବଧାନରେ ଚାଷୀ ଆତ୍ମହତ୍ୟା ଗଣମାଧ୍ୟମ ଶିରୋନାମା ପାଲଟେ? ବାସ୍ତବତା ହେଲା- ଗତ ଦଶନ୍ଧି ଭିତରେ ରାଜ୍ୟ କୃଷି ବଜେଟ୍ ୪ଗୁଣରୁ ଅଧିକ ବଢ଼ିଛି। ହେଲେ ଏବର୍ଷ ବି ଚାଷୀକୁ ବିହନ, ସାର ଓ କୀଟନାଶକ ଅଭାବ ଯନ୍ତ୍ରଣା ଭୋଗିବାକୁ ପଡ଼ିଛି। ପ୍ରାକୃତିକ ବିପର୍ଯ୍ୟୟ ଓ ଚକଡ଼ା ପୋକ ଦୌରାତ୍ମ୍ୟରେ ଚାଷୀ ସ୍ଥିତି ବେହାଲ୍। ପାଣି ସମସ୍ୟା ସମାଧାନରେ ସରକାର ଶହେ ପ୍ରତିଶତ ସଫଳ ହୋଇପାରିନାହିଁ। ଯେତିକି ବି ଉତ୍ପାଦନ ହେଉଛି, ତା’ ପାଇଁ ବଜାର ନାହିଁ। ସାହିତ୍ୟରେ ଚାଷୀଙ୍କୁ ନେଇ କବି ଗଦ୍ ଗଦ୍ ହୋଇପଡ଼ିଛନ୍ତି। ହେଲେ ଚାଷୀକୁ ତା’ର ପ୍ରାପ୍ୟ ନ ମିଳିବା ପ୍ରସଙ୍ଗଟି ଯେମିତି ସତ, ତାକୁ ସମ୍ମାନ ମିଳୁନଥିବା କଥାଟି ମଧ୍ୟ ଅସତ୍ୟ ନୁହେଁ। ଚାଷୀ ଆତ୍ମହତ୍ୟା ଅଭିଯୋଗଟି ମନଗଢ଼ା ହୋଇପାରେ, ମାତ୍ର ଚାଷକୁ ଅଣଦେଖା ବା ପଛ କରି ଚାଷୀକୁ ପ୍ରତିଦିନ ହତ୍ୟା ଲାଗି ଷଡ଼ଯନ୍ତ୍ର ଚାଲିଛି, ୨୦୨୩ ଏଭଳି ଉଦାହରଣକୁ ପ୍ରତ୍ୟକ୍ଷ କରିଛି। ପ୍ରସ୍ତୁତି: ଗାର୍ଗୀ ଶତପଥୀ।
ଉତ୍ପାଦନ ବଢ଼ିଲା, ଆୟ ବଢ଼ିନି
ଚାଷକୁ ଚାଷୀ ମୁହଁମୋଡ଼ିବା ପଛର ମୁଖ୍ୟ କାରଣ କ୍ଷତି। ରାଜ୍ୟ ସରକାର ଚାଷୀର ଅଣ୍ଟାସଳଖ ପାଇଁ ୨୦୧୩ ମସିହାରୁ ସ୍ବତନ୍ତ୍ର କୃଷି ବଜେଟ୍ କରୁଛନ୍ତି। ବଜେଟ୍ ପରିମାଣ ଚାରିଗୁଣରୁ ଅଧିକ ବଢ଼ି ୨୪ ହଜାର କୋଟି ଛୁଇଁଲାଣି। ଏହାର ସୁଫଳ କହିଲେ, ଧାନ ଉତ୍ପାଦନ ୫୬.୭୩%, ମକା ୧୦.୪୯%, ମାଣ୍ଡିଆ ୫୭.୮୭%, ଲଘୁଶସ୍ୟ ୧୪୦.୩୫%, ହରଡ଼ ୧୪.୧୪%, ମୁଗ ୬.୦୬%, କୋଳଥ ୨.୩୧%, ଚଣା ୯.୭୯%, ମସୁର ୨୬.୧୨%, କପା ୧୩୫.୬୯%, ପରିବା ୪.୩୦% ବଢିଛି। ହେଲେ ଚାଷୀ ଆୟରେ ସୁଧାର ଆସିନି ବରଂ ବାର୍ଷିକ ଆୟ ଏବେ ବି ୫୧୧୨ ଟଙ୍କା। ଦେଶର ଦ୍ବିତୀୟ ସର୍ବନିମ୍ନ ଅଟେ। ଶ୍ରମିକଙ୍କ ଆୟଠୁ ମଧ୍ୟ ଚାଷୀଙ୍କ ଆୟ କମ୍।
କମିଲାନି ବିହନ କଷ୍ଟ
ରାଜ୍ୟରେ ଚାଷୀଙ୍କୁ ବାର୍ଷିକ ୧୦ ଲକ୍ଷ କ୍ବିଣ୍ଟାଲ୍ ବିହନର ଆବଶ୍ୟକତା ଥାଏ। ଏଥିରୁ ୪ ଲକ୍ଷ କ୍ବିଣ୍ଟାଲ ବିହନ ନିଗମ ଯୋଗାଏ। ଏବେ କିନ୍ତୁ ଓଟିପି କଷ୍ଟ ଯୋଗୁଁ ସରକାରୀ ବିହନ କ୍ରୟ କମୁଛି। ସେପଟେ ଅଣଧାନ ବିହନରେ ରାଜ୍ୟ ଆଜି ପର୍ଯ୍ୟନ୍ତ ସ୍ବାବଲମ୍ବୀ ହୋଇ ନାହିଁ। ୧୦ ବର୍ଷରେ କପା ଉତ୍ପାଦନ ୧୩୫% ବଢିଛି, ଅଥଚ ବିହନ ଅଭାବ ଜଳ ଜଳ। ବାର୍ଷିକ ୧୦ରୁ ୧୨ ହଜାର କ୍ବିଣ୍ଟାଲ୍ ମୁଗ, ୫ ହଜାର କ୍ବିଣ୍ଟାଲ୍ ବିରି, ୧ ହଜାର କ୍ବିଣ୍ଟାଲ୍ ହରଡ଼, ୧୫ ହଜାର କ୍ବିଣ୍ଟାଲ୍ ଚିନାବାଦାମ, ୨୦୦ କ୍ବିଣ୍ଟାଲ୍ ସୂର୍ଯ୍ୟମୁଖୀ, ୧ ହଜାର କ୍ବିଣ୍ଟାଲ୍ ସୋରିଷ, ୨୦୦ରୁ ୨୫୦ କ୍ବିଣ୍ଟାଲ୍ ରାଶି ବିହନ ଆବଶ୍ୟକ। ଜାତୀୟ ବିହନ ନିଗମ ଓ କମ୍ପାନିମାନଙ୍କ ସହ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। ପରିବା କ୍ଷେତ୍ରରେ ଚଳିତ ବର୍ଷ ପ୍ରଥମ କରି ଓୟୁଏଟି ପକ୍ଷରୁ ୫ଟି ଅଣଧାନ ବିହନ କିସମ, ବାଇଗଣ, ଲଙ୍କାମରିଚ, ବିଲାତି ବାଇଗଣ ଓ ଶିମ୍ବର ଗୋଟିଏ ଲେଖାଏଁ କିସମ, ଅଦାର ୩ଟି କିସମ ଓ ହଳଦୀର ୨ଟି ବିକଶିତ କିସମକୁ ଅନୁମୋଦନ ମିଳିଛି।
ସାର ଦର ଲଗାମ ଛଡ଼ା
ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ବଢ଼ିଥିବା ପଟାସ ଦର ନିୟନ୍ତ୍ରଣକୁ ଆସିନି। ଏପଟେ କେନ୍ଦ୍ର ସରକାର ଆବଶ୍ୟକତାଠାରୁ କମ ସାର ଯୋଗାଣ କରୁଛନ୍ତି। ୭୫ ହଜାର ମେଟ୍ରିକ ଟନ୍ ବଦଳରେ ୫୯ ହଜାର ମେଟ୍ରିକ ଟନ୍ ପଟାସ ମିଳୁଛି। ରାସାୟନିକ ସାର ହ୍ରାସ ବଦଳରେ ଜୈବିକ ସାରକୁ ପ୍ରୋତ୍ସାହିତ କରାଯାଉଛି। ଅଥଚ କମ୍ପାନିମାନେ ଜୈବିକ ସାର ନାଁରେ ପଥର ବିକ୍ରି କରୁଛନ୍ତି।
ଶୀତଳଭଣ୍ଡାର ସ୍ବପ୍ନ
ଉତ୍ପାଦିତ ଫସଲ ଓ ବଜାର ମଧ୍ୟରେ ସବୁଠାରୁ ବଡ଼ ପାଚେରି ଭାବେ ଛିଡ଼ା ହୋଇଛି ଶୀତଳଭଣ୍ଡାର। ଅଭାବୀ ବିକ୍ରି ପଛର ଅନ୍ୟତମ କାରଣ। ଓଡ଼ିଶାରେ ପ୍ରତି ୪୯ହଜାର ୪୧୨ ହେକ୍ଟର ଚାଷ ଜମି ଲାଗି ଗୋଟିଏ ଶୀତଳଭଣ୍ଡାର ରହିଛି। ପଶ୍ଚିମବଙ୍ଗ, ବିହାରରେ ଆମଠାରୁ ସ୍ଥିତି ଢେର୍ ଭଲ। ଓଡ଼ିଶାରେ ୧୭୭ଟି ଶୀତଳ ଭଣ୍ଡାର ରହିଥିବା କୁହାଯାଉଥିଲେ ହେଁ ମାତ୍ର ୪୯ଟ କାର୍ଯ୍ୟକ୍ଷମ ରହିଛି। ୧୩ ବର୍ଷ ତଳେ ଘୋଷଣା ହୋଇଥିଲା ସବୁ ବ୍ଲକରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ହେବ। ପୁଣି ଗତବର୍ଷ ସରକାର କହିଲେ, ପ୍ରତି ପଞ୍ଚାୟତରେ ସୌର କୋଲ୍ଡ ରୁମ୍ ନିର୍ମାଣ ହେବ। ଚାଷୀ ଏସବୁ ଖୋଜୁଛି।
ବିଷ ବାଣ୍ଟୁଛି ଚାଷ
ଉତ୍ପାଦନ ବୃଦ୍ଧି ପଛର ଅନେକ କାରଣ ମଧ୍ୟରୁ ପ୍ରମୁଖଟି ହେଲା ହାଇବ୍ରିଡ୍, ହାଏଇଲ୍ଡ ବିହନ, ସାର ଏବଂ କୀଟନାଶକ। ଏବେ କିନ୍ତୁ ରସାୟନିକ ସାର ଯୁକ୍ତ ଖାଦ୍ୟ କିଡନି, ଲିଭର, ପ୍ରଜନନ, ଶ୍ବାସକ୍ରିୟା, ହୃଦ୍ରୋଗ, ହଇଜା, ଗ୍ୟାଷ୍ଟିକ ଏବଂ କର୍କଟ ରୋଗ ଦେଖାଯାଉଥିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେବା ପରେ ଚାଷୀର ନିଦ ହଜିଗଲାଣି। କେବଳ ସେତିକି ନୁହେଁ, କୃଷି ବିଜ୍ଞାନୀମାନେ ମଧ୍ୟ କହିଲେଣି ଯେ ଚାଷ ବ୍ୟୟ ବହୁଳ ହୋଇଛି ଏବଂ ମାଟିର ସ୍ବାସ୍ଥ୍ୟ ଗଭୀର ଭାବେ ଏହି କାରଣରୁ ପ୍ରଭାବିତ ହୋଇଛି। ଏହାର ପରିବେଶ ଉପରେ ପ୍ରଭାବ ପଡ଼ୁଛି, ସମାନ୍ତରାଳ ଭାବେ ଜିଆ, ଅଣୁଜୀବ ଓ ଜଳଚରମାନଙ୍କ ପ୍ରତି ମଧ୍ୟ ଭୀଷଣ ବିପଦ ଆଣୁଛି। ଏବର୍ଷ ଚାଷ କୌଶଳ ପରିବର୍ତ୍ତନ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି। ସରକାର ୨୪ ହଜାର ହେକ୍ଟର ଜମିରେ ସାରମୁକ୍ତ ପ୍ରାକୃତିକ ଚାଷ ଆରମ୍ଭ କରିଛନ୍ତି। ସରକାର ପାଦେ ଆଗକୁ ଯାଇ ଜୈବିକ ସାରକୁ ପ୍ରୋତ୍ସାହିତ କରୁଛନ୍ତି ଓ ନିର୍ଦ୍ଦେଶନାମା ଜାରି ହୋଇଛି ଯେ କୃଷି ଅଧିକାରୀଙ୍କ ବିନା ପ୍ରେସକ୍ରିପସନରେ କୀଟନାଶକ କ୍ରୟ କରାଯାଇ ପାରିବ ନାହିଁ। ଏହା ସହିତ ତୃଣନାଶକ ପାରାକ୍ବେଟ୍ ଉପରେ କଟକଣା ଲାଗିଛି। ସ୍ଥାୟୀ କଟକଣା ପାଇଁ ବି ଆରମ୍ଭ ହୋଇଛି ପ୍ରସ୍ତୁତି।
କିନ୍ତୁ ବର୍ଷା ନହେଲେ ସବୁ ଶୁଖିଲା…
ରାଜ୍ୟର ସମୁଦାୟ ୬୧ ଲକ୍ଷ ୮୦ ହଜାର ୨୪୬ ହେକ୍ଟର୍ରୁ ୪୭ ଲକ୍ଷ ୯୭ ହଜାର ହେକ୍ଟର୍ ଚାଷ ଜମିକୁ ଜଳସେଚନର କ୍ଷମତା ସୃଷ୍ଟି କରାଯାଇଥିବା ସରକାର ଦାବି କରିଆସୁଛନ୍ତି। ଏଥିରୁ କେବଳ ବଡ଼ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଜରିଆରେ ୧୫ ଲକ୍ଷ ୩୩ ହଜାର ହେକ୍ଟର, ମେଗା ଉଠାଜଳସେଚନ ପ୍ରକଳ୍ପରେ ୨ ଲକ୍ଷ ୫୨ ହଜାର ହେକ୍ଟର, କ୍ଷୁଦ୍ର ପ୍ରକଳ୍ପରେ ୭ ଲକ୍ଷ ୪୩ ହଜାର ହେକ୍ଟର, ଉଠାଜଳସେଚନ ପ୍ରକଳ୍ପରେ ୮ ଲକ୍ଷ ୯୬ ହଜାର ହେକ୍ଟର, ଭୂତଳ ନଳକୂଅରେ ୬ ଲକ୍ଷ ୨ ହଜାର, ଅନ୍ୟ ସୂତ୍ର ଜରିଆରେ ୭ ଲକ୍ଷ ୬୯ ହଜାର ହେକ୍ଟର ଜମି ଜଳସେଚିତ ହୋଇ ପାରୁଛି। କିନ୍ତୁ ବର୍ଷା ନ ହେଲେ ସବୁ ଶୁଖିଲା ପଡ଼ୁଛି। ଜୁନ ଏବଂ ଜୁଲାଇ ମାସରେ ଆବଶ୍ୟକତାଠାରୁ କମ୍ ବର୍ଷା ହେବାରୁ ଚାଷ ଜମିଗୁଡ଼ିକ ଯେଉଁଭଳି ଶୁଖିଲା ପଡ଼ିଥିଲା, ଜଳସେଚନର ପ୍ରକୃତ ସ୍ବରୂପ ପଦାରେ ପଡ଼ିଥିଲା। ୧୩୦% ଜଳସେଚିତ ବୌଦ୍ଧ ଜିଲ୍ଲାରେ ପାଣି ଅଭାବରେ ମାଟି ଫାଟି ଆଁ କରିଥିଲା। ତଥାପି ଲୋୟର ସୁକତେଲ୍ ପ୍ରକଳ୍ପ ଅନେକ ଆଶା ଦେଖାଇଛି। ସରକାର ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଅନେକ ଜମିକୁ ପାଣି ମଡ଼ାଇବା ପାଇଁ ରାସ୍ତା ଖୋଲିଛନ୍ତି। ଅନେକ ପ୍ରକଳ୍ପ ଆରମ୍ଭ ହୋଇ ଅଧାପନ୍ତରିଆ ପଡ଼ିଛି, ଆଉ କିଛି ପ୍ରସ୍ତାବ ଅବସ୍ଥାରେ ସରକାରୀ ଫାଇଲରେ ରହିଛି। ଅନ୍ୟଦିଗଟି ହେଲା, ଓଡ଼ିଶାର ଚାଷୀ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ପ୍ରାକୃତିକ ବିପର୍ଯ୍ୟୟ। ଓଡ଼ିଶା ଦେଇ ଘଷି ହୋଇଯାଇଥିବା ତିନିଟି ବାତ୍ୟା ଜନିତ ବର୍ଷା ଗଭୀର କ୍ଷତି ପହଞ୍ଚାଇଛି। କେଉଁଠି ବିଲରେ ଧାନ ପାଚି ଥିବା ବେଳେ ପାଣି ପଶିଯାଇଛି, ଆଉ କେଉଁଠି ଖଳାରେ ଫସଲ ଓଦା ହୋଇଛି। ସରକାର ଜିଲ୍ଲାପାଳମାନଙ୍କୁ କ୍ଷତିକ୍ଷତି ରିପୋର୍ଟ ମାଗିଛନ୍ତି।
ଏବେ ବି ପରହାତ ଟେକା ଭରସା
ଧାନ ଉତ୍ପାଦନରେ ଓଡ଼ିଶା ଆଗରେ। କେବଳ ଧାନ ନୁେହଁ ପିଆଜ, ଖାଇବା ତେଲ, ଡାଲି ଜାତୀୟ ଶସ୍ୟ କ୍ଷେତ୍ରରେ ମଧ୍ୟ ଆବଶ୍ୟକତାଠାରୁ ଢେର ଅଧିକ ଉତ୍ପାଦନ କରେ ଓଡ଼ିଶା। ଅଥଚ ଗହମ ପାଇଁ ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର ଉପରେ ନିର୍ଭରଶୀଳ। ଡାଲି ଜାତୀୟ ଶସ୍ୟ ମହାରାଷ୍ଟ୍ର, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗରୁ ଆମଦାନୀ ହେଉଛି। ଖାଇବା ତେଲ ପାଇଁ ଓଡ଼ିଶା ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ଅପେକ୍ଷା ରଖୁଛି। ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ରାଜ୍ୟରେ ଆଳୁ ଦର ଭାଗ୍ୟ ନିର୍ଦ୍ଧାରଣ କରନ୍ତି। ପିଆଜରେ ରାଜ୍ୟ ବଳକା। ହେଲେ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ଗୁଜରାଟ, ପଶ୍ଚିମବଙ୍ଗ ହାତଟେକାକୁ ଅପେକ୍ଷା ରଖେ ଓଡ଼ିଶା। ୨୦୨୩ ବର୍ଷରେ ଏ ସମସ୍ୟାର ସମାଧାନ କରିପାରିନାହିଁ ରାଜ୍ୟ ସରକାରଙ୍କ କୃଷି ବିଭାଗ।
ଆତ୍ମହତ୍ୟା ଅଭିଯୋଗ ହୋଇଛି
ଦେଶରେ ସମସ୍ତଙ୍କ ପେଟକୁ ଖାଦ୍ୟ ଯୋଗାଉଥିବା ଚାଷୀର ପେଟ ଚିହ୍ନିବା ଲାଗି କେହି ନାହିଁ। ଏହାଠାରୁ ଆଉ ସମ୍ବେଦନଶୀଳ ପ୍ରସଙ୍ଗ କ’ଣ ହୋଇପାରେ? ଏଇଥିରୁ ସାମ୍ନାକୁ ଆସୁଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ନିକଟରେ ପ୍ରକାଶ ପାଇଥିବା ଏନ୍ସିଆର୍ବି ରିପୋର୍ଟ ଅନୁସାରେ ଓଡ଼ିଶାରେ ଏବର୍ଷ ଜଣେ ବି କେହି ଚାଷୀ ଆତ୍ମହତ୍ୟା କରିନାହାନ୍ତି। ଯଦିଓ ଅନେକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି, କୌଣସି ଚାଷୀର ମୃତ୍ୟୁ ଚାଷ ଜନିତ ନୁହେଁ ବୋଲି ସରକାରୀ ଅଧିକାରୀମାନେ ରିପୋର୍ଟ ଦେଇଆସିଛନ୍ତି। ଏହା ସତ୍ତ୍ବେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଚମରୁ ବାଗ(୪୯) କୀଟନାଶକ ପିଇ ଆତ୍ମହତ୍ୟା କରିବା ପଛର କାରଣ ଫସଲହାନୀ କୁହାଯାଇଛି। ପୁଇଁତଲା ବ୍ଲକ ଅନ୍ତର୍ଗତ ବୁବେଲ ଗାଁରେ ଚାଷୀ ରମେଶ ଭୋଇ ଆତ୍ମହତ୍ୟା କରିବା ପଛରେ ଯେଉଁ କାରଣ ସଂପର୍କରେ ଅଭିଯୋଗ କରାଯାଇଥିଲା, ତାହା ଥିଲା -ଚକଡ଼ା ପୋକ ଜନିତ କ୍ଷତିଏବଂ ଋଣ ଭାର। ସେହିଭଳି ଯାଜପୁର ଜିଲ୍ଲା ବାଜବାଟି ମୌଜା ଚାଷୀ ନିତ୍ୟାନନ୍ଦ ପରିଡ଼ା(୫୦) ଆତ୍ମହତ୍ୟା କରିବା ପଛର ଧାନ ଚାଷ ଉଜୁଡ଼ିଯିବା କାରଣ ଥିଲା ବୋଲି ଗଣମାଧ୍ୟମରେ ରିପୋର୍ଟ ହୋଇଛି। ସେହିଭଳି ଗଜପତି ଜିଲ୍ଲା ମୋହନା ବ୍ଲକର ଗୌରଚନ୍ଦ୍ର କାର୍ଜି କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ଫସଲ କ୍ଷତି ସହିତ ସାହୁକାରଙ୍କଠାରୁ ଅଧିକ ସୁଧରେ ଋଣ ଆତ୍ମହତ୍ୟାର କାରଣ ବୋଲି ଅଭିଯୋଗ ହୋଇଥିଲା।
କମିଛି କ୍ଷୀର ସଂଗ୍ରହ, ବଢ଼ିଛି ମାଛ ଖାଇବା
ଆଇସିଏମଆରର ରିପୋର୍ଟ ଅନୁଯାୟୀ, ମୁଣ୍ଡପିଛା କ୍ଷୀର ଚାହିଦା ଦୈନିକ ୩୦୦ ଗ୍ରାମ। ଜାତୀୟ ସ୍ତରରେ ଦୁଗ୍ଧର ଉପଲବ୍ଧତା ୪୪୪ ଗ୍ରାମ କିନ୍ତୁ ଓଡ଼ିଶାରେ ଏହା ୧୪୪ ଗ୍ରାମ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସରକାର କ୍ଷୀର କ୍ଷେତ୍ରରେ ଚାଷୀକୁ ନ୍ୟାୟ ଦେବା ପାଇଁ ଓମ୍ଫେଡ୍ର ଆକାର ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ କିନ୍ତୁ ଓମ୍ଫେଡ୍ର କ୍ଷୀର ସଂଗ୍ରହ କମିବା ଆରମ୍ଭ କରିଛି। ସେହିଭଳି ୪ବର୍ଷରେ ଅଣ୍ଡା ଉତ୍ପାଦନ ୫୮ ପ୍ରତିଶତ ବଢ଼ିଥିଲେ ହେଁ ଆଜି ବି ଓଡ଼ିଶା ଏ କ୍ଷେତ୍ରରେ ସ୍ବୟଂସମ୍ପୂର୍ଣ୍ଣ ହୋଇନାହିଁ। ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇଁ ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡ଼ୁଛି। ସେପଟେ କିନ୍ତୁ ମାଛ ଉତ୍ପାଦନ ଓ ମାଛ ଖାଇବାରେ ଓଡ଼ିଶା ରେକର୍ଡ କରିଛି। ଉତ୍ପାଦନରେ ଦେଶର ଚତୁର୍ଥ ସ୍ଥାନରେ ଅଛି। ଓଡ଼ିଶାର ଲୋକଙ୍କ ମାଛ ଖାଇବା ଗତ ୨୩ବର୍ଷ ମଧ୍ୟରେ ଅଢ଼େଇଗୁଣ ବଢ଼ିଛି।
ସବୁଠି ଓଡ଼ିଶା ମିଲେଟ୍ ଚର୍ଚ୍ଚା
ମିଲେଟ୍ ଭିତରେ କେବଳ ମାଣ୍ଡିଆକୁ ଗୁରୁତ୍ବ ମିଳୁଥିଲା। ହେଲେ ମିଲେଟ୍ ଅର୍ଥ କାଙ୍ଗୁ, ସୁଆଁ, କୁଦୋ, ଗୁର୍ଜି ବି। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଆଦିବାସୀ ବହୁଳ ଏବଂ ଅନାବୃଷ୍ଟି ଅଞ୍ଚଳର ଏହି ଚାଷ ଏବେ ଓଡ଼ିଶାର ନୂଆ ପରିଚୟ ପାଲଟିଛି। ଗୋଟିଏ ସମୟରେ ଚାଉଳ ସଙ୍କଟ ମୁକାବିଲା ଦିଗରେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା। ପରବର୍ତ୍ତୀ କାଳରେ ସବୁଜ ବିପ୍ଳବ ସମୟରେ ଏହି ଚାଷ ନିଶ୍ଚିହ୍ନ ହେବାକୁ ଯାଉଥିଲା। ହେଲେ ଓଡ଼ିଶା ସରକାର ମିଲେଟ୍କୁ ପୁନର୍ଜନ୍ମ ଦେବା ସହିତ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ଚଳିତ ବର୍ଷ ୩୦ ଜିଲ୍ଲାକୁ ମିଲେଟ୍ ଚାଷ ଛୁଇଁଛି। ୧୭୭ ବ୍ଲକର ଚାଷୀ ଏହା ସହିତ ଯୋଡ଼ି ହୋଇଛନ୍ତି। ହେଲେ ଦୁଃଖ ହେଲା, କେନ୍ଦ୍ର ସରକାର କେବଳ ମାଣ୍ଡିଆର ଏମଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଧାର୍ଯ୍ୟ କରିଛନ୍ତି। ଅନ୍ୟ କ୍ଷେତ୍ରରେ ଚାଷୀକୁ ମୂଲ୍ୟ ମିଳୁନି। ତେବେ ଚଳିତବର୍ଷ ଭୁବନେଶ୍ବରରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀର ଆୟୋଜନ ହୋଇଥିଲା। ଜି-୨୦ରେ ମିଲେଟ୍ ରାଣୀ ଭାବରେ ପରିଚିତ କୋରାପୁଟ ଜିଲ୍ଲାର ରାଏମତି ଏବଂ ସୁବାସ ମହନ୍ତଙ୍କୁ ସାମିଲ କରାଯାଇଥିଲା।