ଅଦୃଶ୍ୟ ଶତ୍ରୁ କରୋନା ପାଇଁ ଦୀର୍ଘ ଦୁଇ ବର୍ଷ କଟକଣା, ଭୟ ତଥା ସଂଶୟରେ କଟିଥିଲା। ଦୁର୍ଭାଗ୍ୟଜନକ ଭାବେ ‘୨୦୨୨’ ମଧ୍ୟ ସେହି କରୋନା ମହାମାରୀର ଭୟ ଓ ଆତଙ୍କ ଭିତରେ ଆରମ୍ଭ ହୋଇଥିଲା। କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଆତଙ୍କିତ ହୋଇଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତରେ ୨୦୨୨ରେ ଜିଲ୍ଲାବାସୀଙ୍କୁ କିଛି ଖୁସି ଖବର ବି ମିଳିଥିଲା। ଏବର୍ଷ ରେକର୍ଡ ୧୦ ଲକ୍ଷ ୭୪ ହଜାର ବିଦେଶାଗତ ପକ୍ଷୀ ଚିଲିକାକୁ ଆସିବାର ଆକଳନ ତଥା ଖବର ପ୍ରକୃତିପ୍ରେମୀଙ୍କ ହୃଦୟ ଜିତି ନେଇଥିଲା। ସେହିଭଳି ଜିଲ୍ଲା ଯୋଜନା କମିଟି ୨୦୨୨ ପାଇଁ ରେକର୍ଡ ୨୬୦୦ କୋଟି ୬୯ ଲକ୍ଷ ୩୭ହଜାର ଟଙ୍କାର ବଜେଟ୍ କରିବା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲା। ଅନେକ ପ୍ରତିବନ୍ଧକ ସତ୍ତ୍ବେ ଜିଲ୍ଲାର ରାଜନୈତିକ ମହଲ ସହ ସାମାଜିକ ଓ ସାଂସ୍କୃତିକ ଦୃଶ୍ୟପଟ୍ଟ ମଧ୍ୟ ବେଶ୍ ଚଳଚଞ୍ଚଳ ରହିଥିଲା। ତେବେ ଖୋର୍ଦ୍ଧା ସହର ଏବଂ ଆଖପାଖରେ ନିଶା କାରବାର ବୃଦ୍ଧି ସହ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ ହେବା ପୁଣି ଥରେ ଚିନ୍ତାର କାରଣ ହୋଇଥିଲା। ଜିଲ୍ଲାବାସୀଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ଥିଲା ବହୁ ପ୍ରତୀକ୍ଷିତ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା।
ପ୍ରସ୍ତୁତି ସହାୟତା: ଲମ୍ବୋଦର ପ୍ରସାଦ ଦାଶ
ଚର୍ଚ୍ଚାରେ ଚିଲିକା ବିଧାୟକ
୨୦୨୨ରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବେଶ୍ ଚର୍ଚ୍ଚାରେ ରହିଥିଲେ। ବାଣପୁର ବ୍ଲକ୍ ଅଧ୍ୟକ୍ଷ ମନୋନୟନ ବେଳେ ଯେଉଁ ବିସ୍ଫୋରକ ଓ ରକ୍ତରଂଜିତ ପରିସ୍ଥିତି ସୃଷ୍ଟି ହେଲା, ତା’ର ଆପାତତଃ ମୂଳଦୁଆ ପଂଚାୟତ ନିର୍ବାଚନ ପ୍ରଚାର ସମୟରେ ପଡ଼ିଥିଲା। ଗମ୍ଭାରୀମୁଣ୍ତାର ପଲ୍ଲୀ ସାଂସ୍କୃତିକ ଅନୁଷ୍ଠାନରେ ବିଜେପିର ବୈଠକ ଚାଲିଥିବା ବେଳେ ବିଧାୟକ ଜଗଦ୍ଦେବ ଏହାକୁ ସେଠାରେ ବିରୋଧ କରିଥିଲେ। ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏହାପରେ ବେଟେଶ୍ବର ପଂଚାୟତ ସରପଂଚ ପ୍ରାର୍ଥୀ ରଶ୍ମିତା ପଲାଇଙ୍କ ଘର ଉପରେ ଶତାଧିକ ବ୍ୟକ୍ତି ଆକ୍ରମଣ କରିଥିଲେ। ପେଣ୍ତୁରାପଲ୍ଲୀ ଗାଁର ଦୁଇଜଣଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହାକୁ ନେଇ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ନେତୃତ୍ବରେ ବିଜେଡି ଏବଂ ଅନ୍ୟପଟେ ବିଜେପି କର୍ମୀମାନେ ବାଣପୁର ଥାନା ପରିସରରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ମାର୍ଚ୍ଚ ୧୨ ତାରିଖରେ, ବିଜେପିର ପ୍ରାର୍ଥୀ ପ୍ରାୟତଃ ଜିତିବା ସମ୍ଭାବନା ଥିଲା। ପ୍ରାର୍ଥୀଙ୍କୁ ନେଇ ବିଜେପି ସମର୍ଥକମାନେ ବାଣପୁର ବ୍ଲକ୍ କାର୍ଯ୍ୟାଳୟରେ ପହଂଚିଥିଲେ। ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗେଦ୍ଦବ ନିଜେ କାର ଚଳାଇ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ପହଂଚିଥିଲେ। ଏହାପୂର୍ବରୁ ଅଧ୍ୟକ୍ଷ ନିର୍ବାଚନରେ ବିଧାୟକ ବିଜେପିର କେତେକ ପାର୍ଥୀଙ୍କୁ ନିଜ ହାତକୁ ନେଇ ଅଧ୍ୟକ୍ଷ ପଦକୁ ହାତେଇବାକୁ ଚେଷ୍ଟା କରୁଥିବା ପ୍ରଚାର ହୋଇଥିଲା। ଏହି ପରିସ୍ଥିତିରେ ବିଧାୟକଙ୍କୁ କାର୍ଯ୍ୟାଳୟ ପରିସରରେ ଦେଖି ବିଜେପି କର୍ମୀ ବିରୋଧ କରିବା ସହ ବିଧାୟକଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏଥିରେ ବିଧାୟକ ଉତ୍କ୍ଷିପ୍ତ ହୋଇ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ। ଏଥିରେ ୧୫ ବିଜେପି କର୍ମୀ ସହ ୭ ପୁଲିସ କର୍ମୀ ଆହତ ହୋଇଥିଲେ। ପରେ ଉତ୍ୟକ୍ତ ଜନତା ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୂରମାର କରିଦେବା ସହ ବିଧାୟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବିଧାୟକ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। କେନ୍ଦ୍ରାଂଚଳ ଆଇଜି, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ, ୨ ପ୍ଲାଟୁନ୍ ପୁଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତ୍ତ କରିଥିଲେ ହେଲେଇ ରାଜନୈତିକ ଉଷ୍ମତା ଦୀର୍ଘ ଦିନ ଧରି ଲାଗିରହିଥିଲା। ବିଧାୟକ ଜଗେଦ୍ଦବଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷରେ ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୮ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।
ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ହଲଚଲ୍
ଅଟକି ରହିଥିବା ପୌର ପରିଷଦ ନିର୍ବାଚନ ପୁଣିଥରେ ହେବା ଓ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ରାଜନୈତିକ ଚଳଚଂଚଳତା ଆରମ୍ଭ ହୋଇଥିଲା। ପ୍ରଥମ ଥର ପାଇଁ ସରକାର ନିର୍ବାଚନରେ ପଛୁଆ ବର୍ଗ ସଂରକ୍ଷଣ ଘୋଷଣା କରିଥିଲେ, ଏହାକୁ ନେଇ ରାଜ୍ୟସ୍ତରରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲା। ତେବେ ଜାନୁଆରୀ ପ୍ରଥମ ସପ୍ତାହ ଶେଷ ବେଳକୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ପୂର୍ବର ତାଲିକା ସଂଶୋଧନ କରାଯାଇଥିଲା। ଜାନୁଆରୀ ୧୧ ତାରିଖରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେଲା। ୩୦ ଜିଲ୍ଲା ପରିଷଦ ସଦସ୍ୟ, ୧୯୦ ସରପଂଚ, ୧୯୦ ସମିତି ସଭ୍ୟ, ୨୭୧୧ ୱାର୍ଡ଼ ସଭ୍ୟ ପାଇଁ ୧୦ଟି ବ୍ଲକର ୧୦ଲକ୍ଷ ୩୦ହଜାର ୬୦୯ ଜଣ ଭୋଟର ନିଜର ମତଦାନ କରବା ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ତାରିଖ ଘୋଷଣା ହେଲା। ଏଥିପାଇଁ ୧୦୦୫ ଜଣ ସରପଂଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ୮୦୯ ଓ ୱାର୍ଡ ସଭ୍ୟ ପାଇଁ ୫୫୮୩ଟି ନାମାଙ୍କପତ୍ର ଦାଖଲ ହୋଇଥିବା ବେଳେ ୩୦ ଜିଲ୍ଲା ପରିଷଦ ପାଇଁ ୧୫୩ଟି ନାମାଙ୍କନପତ୍ର ଦାଖଲ ହୋଇଥିଲା। ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ହାତକୁ ସର୍ବାଧିକ ୨୮ଟି ଆସନ ଯାଇଥିବା ବେଳେ ବିଜେପି କେବଳ ୨ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ନିର୍ବାଚନ ପରିପ୍ରେକ୍ଷୀରେ, ୨୭୧୧ଟି ମତଦାନ କେନ୍ଦ୍ରରୁ ୧୨ଶହ ସମ୍ପ୍ରେଦନଶୀଳ ଓ ୫ଶହ ଅତି ସମ୍ପ୍ରେଦନଶୀଳ ବୁଥ ଘୋଷଣା କରାଯାଇଥିଲା। ନିର୍ବାଚନୀ ହିଂସାରେ ବାଲୁଗାଁରେ ଗୋଟିଏ ଓ ବାଣପୁରରେ ୬ଟି ମାମଲା ରୁଜୁ ହୋବା ସହ ୨୧ଜଣଙ୍କୁ ଗିରଫ କରାଯାଇଥିଲା।
ବଡ଼ପୋଖରିଆରେ ନୂଆ ଇତିହାସ
ଖୋର୍ଦ୍ଧାର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ପଂଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା। ଏହାପୂର୍ବରୁ ପ୍ରତିବର୍ଷ ବଡ଼ପୋଖରିଆ ପଂଚାୟତର ସମସ୍ତ ବୁଥ୍ ଜିଲ୍ଲାର ଅତି ସମ୍ପ୍ରେଦନଶୀଳ ବୁଥ୍ ଭାବେ ଘୋଷିତ କରାଯାଉଥିଲା। ନିର୍ବାଚନୀ ହିଂସାରେ ଏକାଧିକ ମୃତାହତ ହେଉଥିଲେ, ଘରଆଦି ପୋଡ଼ୁଥିଲା। କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜେଡି ସମର୍ଥିତ ୧୪ ୱାର୍ଡ ସଭ୍ୟ, ସମିତି ସଭ୍ୟ ଓ ସରପଂଚ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।
ପାତ୍ରପଡ଼ା ଶବରସାହିରେ ଭୋଟବର୍ଜନ
ଖୋର୍ଦ୍ଧା ଗ୍ରାମାଂଚଳରେ ତ୍ରିସ୍ତରୀୟ ପଂଚାୟତ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲେ ମଧ୍ୟ ଟାଙ୍ଗୀ ବ୍ଲକ୍ ନୂଆଗଡ଼ ପଂଚାୟତର ପାତ୍ରପଡ଼ା ଶବରସାହିର ୫୦୦ ଭୋଟର ଫେବ୍ରୁଆରୀ ୧୬ ତାରିଖର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ଗାଁରେ ସରକାରୀ ସୁବିଧାସୁଯୋଗ ନପହଂଚିବା, ନଳକୂଅ ଆଦି ମରାମତି ହେଉନଥିବା ଓ ପାନୀୟ ଜଳର ସୁବିଧା ନଥିବା, ଫନି ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ନମିଳିବା ପ୍ରତିବାଦରେ ଏହି ଭୋଟ ବର୍ଜନ କରିଥିଲେ।