ଦୁବାଇ: ଚଳିତ ଆଇପିଏଲ୍ରେ କେଏଲ୍ ରାହୁଲ୍ ଅଗ୍ରଣୀ ରନ୍ ସ୍କୋରର୍ ଅଛନ୍ତି। କିନ୍ତୁ ଆସନ୍ତା ଋତୁରେ ସେ ପଞ୍ଜାବ କିଙ୍ଗ୍ସ ସହିତ ରହିବେ କି ନା ସ୍ପଷ୍ଟ ହୋଇନାହିଁ। ମେଗା ନିଲାମ ବେଳକୁ ତାଙ୍କୁ ଅନ୍ୟ କିଛି ଫ୍ରାଞ୍ଚାଇଜ୍ ନେବାକୁ ଆଗ୍ରହ ଦେଖାଇଛନ୍ତି। ଅବଶ୍ୟ ବିସିସିଆଇ ଏ ପର୍ଯ୍ୟନ୍ତ ପରବର୍ତୀ ଋତୁ ପାଇଁ ବଜାୟ ରଖିବା ନୀତି ଘୋଷଣା କରିନାହିଁ। ବଜାୟ ରଖିବା ଏବଂ ଆରଟିଏମ୍ (ରାଇଟ୍ ଟୁ ମ୍ୟାଚ୍) କାର୍ଡ ମଧ୍ୟ ଫ୍ରାଞ୍ଚାଇଜ୍ ପାଇଁ ଉପଲବ୍ଧ ରହିବ। ରାହୁଲଙ୍କ ପ୍ରସ୍ଥାନ ପ୍ରସ୍ତାବ ଖବର ସମ୍ପର୍କରେ କିନ୍ତୁ ସେ କିଛି ପ୍ରତିକ୍ରିୟା ରଖିନାହାନ୍ତି, ପଞ୍ଜାବ କିଙ୍ଗ୍ସ ମଧ୍ୟ ଏଭଳି ଖବରକୁ ଖଣ୍ଡନ କରି ଆସୁଛି। ସୂଚନାଯୋଗ୍ୟ, ଚଳିତ ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ପ୍ଲେ ଅଫ୍ ଯୋଗ୍ୟତା ବିନା ବାଦ୍ ପଡ଼ିଛି। ରାହୁଲ କିନ୍ତୁ ୬୨୬ ରନ୍ ସହ ଅଗ୍ରଣୀ ରନ୍ ସ୍କୋରର୍ ରହିଛନ୍ତି। ଅବଶ୍ୟ ଅରେଞ୍ଜ୍ କ୍ୟାପ୍ ଦୌଡ଼ରେ ରାହୁଲଙ୍କୁ ଚେନ୍ନାଇର ଋତୁରାଜ ଗାଏକ୍ବାଡ (୬୦୩) ଓ ଫାପ୍ ଡୁ ପ୍ଲେସିସ୍ (୫୪୭) ଏବଂ ଦିଲ୍ଲୀର ଶିଖର ଧାୱନ (୫୫୧) ଚାଲେଞ୍ଜ୍ ଦେଉଛନ୍ତି। ପଞ୍ଜାବ ଛାଡ଼ିଲେ ରାହୁଲ ଆର୍ସିବି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ବିରାଟ କୋହଲି ଏହି ଦଳର ଅଧିନାୟକ ପଦ ଛାଡ଼ି ଦେଇଥିଲା ବେଳେ ଆଗାମୀ ଋତୁରେ ରାହୁଲ ତାର ମଙ୍ଗ ଧରିଥିବାର ଦେଖିବାକୁ ମିଳିଲେ ବିସ୍ମିତ ହେବାର କୌଣସି କାରଣ ନାହିଁ।