ପୁରୀ: ଦୁଇଦିନ ପରେ ପଞ୍ଚୁକ। ଏହି ୫ ଦିନ କାର୍ତ୍ତିକ ମାସର ସବୁଠୁ ପୁଣ୍ୟ ଦିନ ଭାବେ ବିବେଚନା କରାଯାଏ। ସେପଟେ ଶ୍ରୀଜିଉ ବି ଏହି ୫ ଦିନ ୫ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏ ଦୃଷ୍ଟିରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ପଞ୍ଚୁକରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗେ। କୋଭିଡ୍ଜନିତ କଟକଣା ଯୋଗୁ ଭକ୍ତମାନେ ତିନି ବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିଲେ। କିନ୍ତୁ ଚଳିତବର୍ଷ ପଞ୍ଚୁକରେ କୋଭିଡ୍ଜନିତ କଟକଣା ନ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଅଧିକ ରହିବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଚାରି ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଚାରିଟି ଧାଡ଼ିରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।
ଆସନ୍ତା ନଭେମ୍ବର ୪ ତାରିଖ ବଡ଼ ଏକାଦଶୀରୁ ପଞ୍ଚୁକ ଆରମ୍ଭ ହେବ। ଶ୍ରୀମନ୍ଦିରର ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୪ରେ ଠିଆକିଆ ବେଶ ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ୫ରେ ବାଙ୍କଚୁଡ଼ ବେଶ, ନଭେମ୍ବର ୬ରେ ତ୍ରିବିକ୍ରମ ବେଶ, ନଭେମ୍ବର ୭ରେ ଲକ୍ଷ୍ମୀନୃସିଂହ ବେଶ ଓ ନଭେମ୍ବର ୮ରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ଏହି ୫ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ଯେଉଁ ଦୋକାନୀମାନେ ରହିଛନ୍ତି, ସେମାନଙ୍କୁ ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ଥିବା ଧଳାଗାର ପଛକୁ ଚାଲିଯିବାକୁ କୁହାଯାଇଛି।
ବିଶେଷ କରି ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଥିବା ଦୋକାନୀମାନେ ଏ ଦିଗରେ ନଜର ନ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଆଜି ପୁରୀ ପୌରପାଳିକା ପକ୍ଷରୁ ଡାକବାଜି ଜରିଆରେ ଏ ନେଇ ଦୋକାନୀମାନଙ୍କୁ ଅବଗତ କରାଯାଇଛି। ସେପଟେ ହବିଷ୍ୟାଳୀ ଶିବିର ବି ପଞ୍ଚୁକ ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀଙ୍କ ଭଜନକୀର୍ତ୍ତନରେ ହବିଷ୍ୟାଳୀ ଶିବିର ପ୍ରକମ୍ପିତ ହେଉଥିବା ବେଳେ ଦୈନିକ ଏମାନେ ମହାପ୍ରଭୁଙ୍କ ଦର୍ଶନ କରି ହବିଷ୍ୟାନ୍ନ ସେବନ କରୁଛନ୍ତି। ଦୈନିକ ଚଉରା ମୂଳେ ରାଈଦାମୋଦର ପୂଜା ସହ ଭଜନକୀର୍ତ୍ତନ କରୁଛନ୍ତି।