ରାଜ୍ୟ ସ୍ପେଶାଲ ରିପୋର୍ଟ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ସ୍ବତନ୍ତ୍ର କ୍ୟାବିନ୍‌ ପାଲଟିଛି ଗୋଦାମ, ରୋଗୀଙ୍କ ପାଇଁ ନିଘା ନାହିଁ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର କ୍ୟାବିନ୍‌ ଗୋଦାମରେ ପରିଣତ ହୋଇଛି। ଏଠାରେ ଚିକିତ୍ସାଳୟରେ ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ ଠିକା ସଂସ୍ଥାର ସିମେଣ୍ଟ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। ରୋଗୀଙ୍କ ସ୍ବାର୍ଥକୁ ପଛରେ ପକାଇ ସ୍ବତନ୍ତ୍ର କ୍ୟାବିନ୍‌କୁ ଗୋଦାମ କରିବା ପଛର ଉଦ୍ଦେଶ୍ୟ କ’ଣ ବୁଝ‌ା ପଡ଼ୁନାହିଁ। ଯେଉଁ ରୋଗୀ ସାଧାରଣ ୱାର୍ଡରେ ନରହି ଆବଶ୍ୟକୀୟ ଦେୟ ଦାଖଲ କରି ସ୍ବତନ୍ତ୍ର କ୍ୟାବିନ୍‌ରେ ରହିବାକୁ ଚାହୁଥିଲେ , ସେମାନଙ୍କୁ ଏହି ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଏହାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହା ଗୋଦାମରେ ପରିଣତ ହୋଇଥିବାରୁ ରୋଗୀଙ୍କୁ ସୁବିଧା ମିଳୁନି। ‌ଏହାକୁ ନେଇ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସ‌ନ୍ତୋଷ ପ୍ରକାଶ ପାଉଛି।

ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ଏହି ସ୍ବତନ୍ତ୍ର କ୍ୟାବିନ୍‌ କରୋନା ମହାମାରୀ ପରଠାରୁ ଅଚଳ ପଡ଼ିଥିଲା। ୨୦୨୨- ୨୩ ବର୍ଷରେ କିଛି ମାସ ପାଇଁ ‌ଏହାକୁ କାର୍ଯ୍ୟକ୍ଷକ କରାଯାଇଥିବା ବେଳେ, ଏହା ପୁନର୍ବାର ଅଚଳ ପଡ଼ିଛି। ଫଳରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାକୁ ଗୋଦାମ ଘର କରିଦେଇଛନ୍ତି। ବହୁ ବର୍ଷ ପୂର୍ବେ ନୟାଗଡ଼ ଘରୋଇ ପରିବହନ ବସ୍ କର୍ମଚାରୀ ସଂଘ ସହ‌ଯୋଗରେ ମୁଖ୍ୟଚିକିତ୍ସାଳୟରେ ସ୍ବତନ୍ତ୍ର କ୍ୟାବିନ୍‌ର ନିର୍ମାଣ କରାଯାଇଥିଲା। କିନ୍ତୁ ଏହା ଖରାପ ହୋଇଯିବାରୁ ରାଜ୍ୟ ସରକାର ନୟାଗଡ଼ ମୁଖ୍ୟଚିକିତ୍ସାଳୟ ପରିସରରେ ୮ଟି ସ୍ବତନ୍ତ୍ର କ୍ୟାବିନ୍‌ ନିର୍ମାଣ କରିଥିଲା। ୨୦୧୯ ଫେବୃଆରି ୨୨ ତାରିଖରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ।

ରୋଗୀଙ୍କଠାରୁ ୧୫୦ ଟଙ୍କା ୟୁଜର୍ସ ଫି ଭାବେ ନିଆଯାଇ ଏହି ସ୍ବତନ୍ତ୍ର କ୍ୟାବିନ୍‌ ତାଙ୍କୁ ଯୋଗାଇ ଦିଆଯାଉଥିଲା। ରୋଗୀଙ୍କ ସହ ତାଙ୍କର ଦେଖାଶୁଣା କରୁଥିବା ତାଙ୍କ ସହାୟକ ଏଥିରେ ସୁବିଧାରେ ରହିପାରୁଥି‌ଲେ। କିନ୍ତୁ ଆଉ ସେ ସୁବିଧା ରୋଗୀଙ୍କୁ ମିଳୁନାହିଁ। ଏହି କ୍ୟାବିନ୍‌କୁ ଠିକାସଂସ୍ଥା, ପୂର୍ତ୍ତ ବିଭାଗ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଗୋଦାମ କରିଦେଇଛନ୍ତି। ଏନେଇ ଏଡିଏମ୍‌ଓ ଡା. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପଚାରିବାରୁ ନିର୍ମାଣ କାମ ପାଇଁ କିଛି ଗୃହରେ ସିମେଣ୍ଟ୍‌, ରଙ୍ଗ ଆଦି ରଖାଯାଇଛି। ରୋଗୀଙ୍କ ପାଇଁ ଅନ୍ୟ କ୍ୟାବିନ୍‌ ଫାଙ୍କା ଅଛି। ଯେଉଁ ରୋଗୀ ଚାହିଁବେ ତାଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ବାସ୍ତବରେ ଏଠାରେ ସମସ୍ତ କ୍ୟାବିନ୍‌ ଅଚଳ ପଡ଼ିଥିବା ବେଳେ ଏଡିଏମ୍‌ଓ ଏହାକୁ ଏଡ଼ାଇ ଯାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।