ଢାକା ୦୫।୦୧ : ୨୧ ବର୍ଷ ପରେ ପ୍ରଥମ ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ବିଜୟ ହାସଲ କରିଛି ବାଂଲାଦେଶ । ମାଉଣ୍ଟ ମାଉଁଗାନୁଇରେ ବୁଧବାର ଦିନ ଏହି ବିରଳ ରେକର୍ଡ ନିଜ ନାମରେ କରିଛି ବାଂଲାଦେଶ । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୮ଓ୍ୱିକେଟ୍ରେ ପରାସ୍ତ କରିଛି । ଏହାସହିତ ବାଂଲାଦେଶ ଟିମ୍ ନ୍ୟୁଜିଲାଣ୍ଡ ବିରୋଧରେ ୨୧ ବର୍ଷ ପରେ ନିଜର ପ୍ରଥମ ବିଜୟ ହାସଲ କରିଛି ।
ତେବେ ବାଙ୍ଗଲାଦେଶ ପାଇଁ ଏହି ବିଜୟ ବହୁ ଗୁରୁତ୍ୱପୂର୍ଣ୍ଣ । କାହିକିଁ ନା ନ୍ୟୁଜିଲାଣ୍ଡର ହୋମ୍ ଗ୍ରାଉଣ୍ଡରେ ଏହି ବିଜୟ ହାସଲ କରିଛି । କୌଣସି ବି ଫର୍ମାଟରେ ନ୍ୟୁଜିଲାଣ୍ଡ ବିରୋଧରେ ବାଂଲାଦେଶର ଏହା ପ୍ରଥମ ବିଜୟ । ସିରିଜ୍ର ୨ୟ ମ୍ୟାଚ୍ ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବ । ୨ୟ ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ରହିଛି ବାଂଲାଦେଶ ଟିମ୍ ।
ମାଉଣ୍ଟ ମାଉଁଗନୁଇ ଟେଷ୍ଟର ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡ ନିଜର ୨ୟ ପାରିରେ ୧୬୯ରନ୍ ପରେ ଅଲ୍ଆଉଟ୍ ହୋଇଯାଇଥିଲା । ବାଂଲାଦେଶ ଲାଗି ଦ୍ରୁତ ବୋଲର ଇବାଦତ୍ ହୁସେନ୍ ସବୁଠାରୁ ଅଧିକ ୬ ଓ୍ୱିକେଟ୍ ନେଇଥିଲେ । ଏହାସହିତ ତସ୍କିନ୍ ଅହମ୍ମଦ ୩ ଓ୍ୱିକେଟ୍ ନେଇଥିବା ବେଳେ ହସନ ମିରାଜ ଗୋଟିଏ ଓ୍ୱିକେଟ୍ ନେଇଥିଲେ । ବିଜୟ ପାଇଁ ବାଂଲାଦେଶକୁ ୪୦ ରନ୍ର ଟାର୍ଗେଟ ଥିଲେ । ଟିମ୍ ୨ଟି ଓ୍ୱିକେଟ୍ ହରାଇ ଏହି ଟାର୍ଗେଟ ହାସଲ କରିଥିଲା । ମ୍ୟାଚ୍ର ପ୍ରଥମ ପାରିରେ ନ୍ୟୁଜିଲାଣ୍ଡରେ ୩୨୮ ରନ୍ କରିଥିବା ବେଳେ ବାଂଲାଦେଶ ପ୍ରଥମ ଇନିଂସରେ ୪୫୮ରନ୍ କରିଥିଲା । ପ୍ରଥମ ପାରିରେ ନ୍ୟୁଜିଲାଣ୍ଡ ଠାରୁ ୧୩୦ ରନ୍ ଆଗରେ ଥିଲା ବାଙ୍ଗଲାଦେଶ ।
ବାଂଲାଦେଶ ୨୧ (୨୦୦୧-୨୦୨୨) ବର୍ଷ ପରେ ଏହି ବିଜୟ ହାସଲ କରିଛି । ନିଜର ୧୬ ତମ ଟେଷ୍ଟ ମ୍ୟାଚ୍ରେ ଏହି ବିଜୟ ହାସଲ କରିଥିଲା ବାଂଲାଦେଶ ।