ଦେଶ ବିଦେଶ

ନେହରୁ ମେମୋରିଆଲ ମ୍ୟୁଜିୟମର ନାମ ପରିବର୍ତ୍ତନ: ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ : ଦିଲ୍ଲୀରେ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍‌ ଲାଇବ୍ରେରି ସୋସାଇଟି(ଏନଏମଏମଏଲ)ର ନାମ ପରିବର୍ତ୍ତନ କରାଯାଇଛି। ନେହରୁ ମ୍ୟୁଜିୟମର ନାଁ ରଖାଯାଇଛି ‘ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରି ସୋସାଇଟି’। ଏନଏମଏମଏଲର ଏକ ସ୍ବତନ୍ତ୍ର ବୈଠକରେ ନେହରୁ ମ୍ୟୁଜିୟମର ନାମ ପରିବର୍ତ୍ତନ କରିବାପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଏନଏମଏମଏଲର ନାମ ପରିବର୍ତ୍ତନ କରିବାପାଇଁ ନିଷ୍ପତ୍ତି ନିଆସରିଛି ବୋଲି ଆଜି ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ଘୋଷଣା କରାଯାଇଛି।

ତେବେ ଉକ୍ତ ପ୍ରସଙ୍ଗକୁ ନେଇ ଆଜି ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତାମାନେ କହିଛନ୍ତି, ଏହା ଅତି ନିମ୍ନସ୍ତରର କାମ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଗୌଣ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁମାନଙ୍କର କିଛି ଇତିହାସ ନାହିଁ ସେମାନେ ଅନ୍ୟମାନଙ୍କର ଇତିହାସକୁ ନଷ୍ଟ କରିଦେବାକୁ ବସିଛନ୍ତି। ନେହରୁ ମ୍ୟୁଜିୟମର ନାମପରିବର୍ତ୍ତନ କଲେ ଆଧୁନିକ ଭାରତର ନିର୍ମାତା ପଣ୍ଡିତ ଜବାହରଲାଲ ନେହରୁଙ୍କ ବ୍ୟକ୍ତିତ୍ବ କମିଯିବନି। ଏହା ମଧ୍ୟ ବିଜେପି-ଆରଏସଏସର ସଂକୀର୍ଣ୍ଣ ମାନସିକତା ଏବଂ ଏକଛତ୍ରବାଦ ଆଚରଣକୁ ପଦାରେ ପକାଇ ଦେଇଛି ବୋଲି ଖଡ଼ଗେ କହିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଉକ୍ତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି, ଆଧୁନିକ ଭାରତର ନିର୍ମାତାଙ୍କ ନାମ ଏବଂ ଆଦର୍ଶକୁ ବିକୃତ କରିବାପାଇଁ ମୋଦୀ କ’ଣ ବା କରୁନାହାନ୍ତି। ଏହା ଅତି ନିନ୍ଦନୀୟ କାମ। ନିଜକୁ ଅସୁରକ୍ଷିତ ମନେ କରୁଥିବା ଜଣେ କ୍ଷୁଦ୍ର ବ୍ୟକ୍ତି ହେଉଛନ୍ତି ଆତ୍ମଘୋଷିତ ବିଶ୍ବଗୁରୁ। ବରିଷ୍ଠ କଂ‌ଗ୍ରେସ ନେତା ତଥା ଲୋକସଭା ସାଂସଦ ଶଶି ଥରୁର କହିଛନ୍ତି, ଏହାର ନାମ ନେହରୁ ମେମୋରିଆଲ ପ୍ରାଇମ୍‌ ମିନିଷ୍ଟର୍ସ ମ୍ୟୁଜିୟମ ବି ରଖାଯାଇପାରିଥାନ୍ତା। ଅତୀତକୁ ସମ୍ମାନ ଦେବାର କିଛି ମୂଲ୍ୟ ରହିଛି। ଦିନ ଆସିବ ଆଜିର ଶାସକ ମାନେ ବି ଇତିହାସ ପାଲଟିଯିବେ ଏବଂ ସେମାନେ ବି ସମ୍ମାନ ଚାହିବେ। କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, କେବଳ କୋଠାର ନାଁ ପରିବର୍ତ୍ତନ କରିଦେଲେ ଆଦର୍ଶ ଲିଭିଯିବନି।

ବିଜେପି ଆଜି କଂଗ୍ରେସକୁ କଡ଼ା ଜବାବ ଦେଇଛି। ବିଜେପି କହିଛି କଂଗ୍ରେସ ଉକ୍ତ ବିଷୟକୁ ନେଇ ରାଜନୀତି କରିବା ବନ୍ଦ କରୁ। ବିଜେପି ମୁଖ୍ୟ ଜେପି ନଡ୍ଡା କହିଛନ୍ତି, କଂଗ୍ରେସର ଏଭଳି ଆକ୍ରମଣ ରାଜନୈତିକ ବଦହଜମିର ଏକ ଉତ୍କୃଷ୍ଟ ଉଦାହରଣ। କଂଗ୍ରେସ ଗୋଟିଏ ସାଧାରଣ କଥା ଗ୍ରହଣ କରିବାପାଇଁ ଅସମର୍ଥ ଯେ ଗୋଟିଏ ବଂଶ ବାଦ୍‌ ଅନ୍ୟ ନେତାମାନେ ବି ଦେଶ ସେବା କରିଛନ୍ତି ଏବଂ ଦେଶ ନିର୍ମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ରାଜନୀତିରୁ ଊର୍ଦ୍ଧ୍ବରେ ଏବଂ କଂଗ୍ରେସ ଏହା ହୃଦ୍‌ବୋଧ କରିପାରୁନି। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ତଥା ବିଜେପି ସାଂସଦ ନିରଜ ଶେଖର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୋ ବାପା ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀ ସବୁବେଳେ ଦେଶର ସ୍ବାର୍ଥ ପାଇଁ କାମ କରିଛନ୍ତି। ‌ଏପରିକି ସେ କଂଗ୍ରେସ ସହ ବି କାମ କରିଛନ୍ତି। କିନ୍ତୁ ସେମାନେ କେବଳ ଗୋଟିଏ ବଂଶକୁ ଛାଡ଼ିଦେଲେ ଅନ୍ୟ କାହାକୁ ‌ ସହ କରୁନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ