ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଗୋବିନ୍ଦ ସାହୁ ଜେଲ୍ରେ ଆତ୍ମହତ୍ୟା କରିବା ପରେ ଘଟଣାକୁ ଖେଳଖତମ କରିବା ପାଇଁ ଏହା ଷଡ୍ଯନ୍ତ୍ର ନୁହେଁ ତ ବୋଲି ରାଜନୀତି ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେହିଭଳି ଆଜି ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କରାଯାଇ ନାହିଁ। ସନ୍ଧ୍ୟା ପର୍ଯ୍ୟନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାରେ ଓ ପରେ ବଲାଙ୍ଗୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଗୋଟିଏ ପଟେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଅନ୍ୟପଟେ ରାଜ୍ୟର ଗୃହ ବିଭାଗର ଅଧୀନରେ ଥିବା ଜେଲ ପରିସରରେ ଗୋବିନ୍ଦର ମୃତ୍ୟୁ ଏହି ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଛି।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା ମୂଳରୁ ହିଁ ରହସ୍ୟାବୃତ୍ତ ହୋଇ ରହିଥିଲା। ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏପରିକି ପ୍ରତାପ ଜେନାଙ୍କଠୁ ଆରମ୍ଭ କରି ବହୁ ରାଜନେତା ମହାଲିଙ୍ଗ ଲିଙ୍କ ସହ ସମ୍ପୃକ୍ତି ଥିବା ନେଇ ହଟଚମଟ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ବିରୋଧୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏପରିକି ଏହି ଘଟଣା ଯୋଗୁଁ ପରବର୍ତ୍ତୀ ସମୟରେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଗୋବିନ୍ଦ ସାହୁ ଯେତିକି ଥର କଣ୍ଟାବାଞ୍ଜି କୋର୍ଟରେ ହାଜର ହେଉଥିଲେ ସେହି ସମୟରେ ବଲାଙ୍ଗୀର ଏସ୍ପି କୋର୍ଟରେ ଉପସ୍ଥିତ ରହୁଥିବା ନେଇ ଗୋବିନ୍ଦଙ୍କ ଓକିଲ ସଂଗିନ ଅଭିଯୋଗ ଆଣିଥିଲେ। ଏନେଇ ସେ କୋର୍ଟକୁ ମଧ୍ୟ ଏହାର ପ୍ରତିବାଦ କରି ଲିଖିତ ଭାବେ ଜଣାଇଥିଲେ। ଆଜି ପର୍ଯ୍ୟନ୍ତ କୌଣସି କୋର୍ଟରେ ଅଭିଯୁକ୍ତର ସମସ୍ତ ହାଜର ସମୟରେ ଏସ୍ପିମାନେ ସବୁବେଳେ ଉପସ୍ଥିତ ରହନ୍ତି ନାହିଁ। କିନ୍ତୁ ଏହି ଘଟଣା ଏବେ ଗୋବିନ୍ଦର ମୃତ୍ୟୁ ପରେ ଲୋକଲୋଚନକୁ ଆସିବାରେ ଲାଗିଛି।
ଗୋବିନ୍ଦ କୋର୍ଟରେ ହାଜର ହେଉଥିବାବେଳେ ଏସ୍ପି ଉପସ୍ଥିତ ରହୁଥିବା ନେଇ ଓକିଲ ଅଭିଯୋଗ କରିଥିଲେ
କୋର୍ଟରେ ବୟାନ ରେକର୍ଡ ପୂର୍ବରୁ ଏଭଳି ଘଟଣା ସନ୍ଦେହଜନକ
୧୨ ଘଣ୍ଟା ପରେ ମଧ୍ୟ ଶବ ବ୍ୟବଚ୍ଛେଦ ହେଲାନି
ରାଜନୈତିକ ପୃଷ୍ଠଭୂମି ଥିବା ଯୋଗୁଁ ଏହି ଘଟଣାର ତଦନ୍ତକୁ ବାଟବଣା କରିବାକୁ ପାଇଁ ବିଭିନ୍ନ ଗଳାବାଟ ପାଇ ପ୍ରଶାସନ ଓ ପୁଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ସାଧାରଣରେ ଭୃକୁଞ୍ଚନ ଦେଖାଦେଇଛି। ଆଜି ଗୋବିନ୍ଦ ଆତ୍ମହତ୍ୟା କରିବା ପରେ ଡାକ୍ତରଖାନାକୁ ମୃତ ଦେହକୁ ନେଇଥିଲେ। ଜେଲ କର୍ତ୍ତୃପକ୍ଷ ନିଜ ଉପରୁ ଦୋଷ ଖସାଇବା ପାଇଁ କେବଳ ଡାକ୍ତରଖାନାକୁ ନେଇଥିବା ଅଭିଯୋଗ ହୋଇଛି। ଅନ୍ୟ ଏକ ସଂଗିନ ଅଭିଯୋଗ ଯେ, ଆଜି କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ସାକ୍ଷୀ ବୟାନ ଥିଲା। ଦିନ ୧୧ଟାରେ ପହଞ୍ଚିବାର ଥିଲା। ଏହି ବୟାନ ଉପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହେବାର ମଧ୍ୟ ଯଥେଷ୍ଟ ଆଶଂକା ରହିଥିଲା। ତେଣୁ ଏହା ଆତ୍ମହତ୍ୟା ନୁହେଁ ଏକ ସୁପରିକଳ୍ପିତ ଷଡ୍ଯନ୍ତ୍ର ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜେଲ ପରିସରରେ ସିସିଟିଭି ସର୍ଭିଲେନ୍ସ ଥିବାବେଳେ ଗୋବିନ୍ଦଙ୍କ ଆତ୍ମହତ୍ୟା ଘଟଣା କିଭଳି ଜେଲ କର୍ତ୍ତୃପକ୍ଷ ଜାଣି ପାରିଲେ ନାହିଁ ତଦନ୍ତ ସାପେକ୍ଷ ଅଟେ।
ଅନ୍ୟପକ୍ଷରେ ଗତ କିଛିଦିନ ତଳେ କଣ୍ଟାବାଞ୍ଜି ଜେଲର କିଛି କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଏହି ବଦଳି ପଛର ରହସ୍ୟ ଏବେ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏପରିକି ତଥ୍ୟ ପ୍ରମାଣ ନଷ୍ଟ ଅଭିଯୋଗରେ ବାରମ୍ବାର ରାଜନେତାମାନଙ୍କ ହସ୍ତକ୍ଷେପ ହେଉଥିବାବେଳେ ୧୦ ଦିନ ପୂର୍ବରୁ ଜେଲ କର୍ମଚାରୀଙ୍କ ବଦଳି ଏହି ଆତ୍ମହତ୍ୟା ପୂର୍ବରୁ ଯୋଜନାବଦ୍ଧ ନୁହେଁ ତ ବୋଲି ସାଧାରଣରେ ଭୃକୁଞ୍ଚନ ଦେଖାଦେଇଛି। ତେବେ ବୁଧବାର ବଲାଙ୍ଗୀରରେ ଗୋବିନ୍ଦର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ଦିଆଯାଇଛି। ପରିବାର ଲୋକ ବଲାଙ୍ଗୀରରେ ଅପେକ୍ଷା କରିଛନ୍ତି। ଗୋଟିଏ ପଟେ ରାଜନୀତିକ ତମ୍ବିତୁଫାନ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ଆତ୍ମହତ୍ୟା ଘଟଣା ନେଇ ଭିନ୍ନଭିନ୍ନ ଚର୍ଚ୍ଚା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।