ଭୁବନେଶ୍ବର: ନୂଆବର୍ଷ ପାଇଁ ରାଜଧାନୀରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପ୍ରସ୍ତୁତ ହେଉଥିବା କମିସନରେଟ୍ ପୁଲିସ ଗତକାଲି ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳି କରିଛି। ରାତି ପ୍ରାୟ ୩ଟା ବେଳେ ହଂସପାଳ-ବରିମୁଣ୍ଡ ରାସ୍ତାରେ ବାଲିଯାତ୍ରା ପଡ଼ିଆ ନିକଟରେ ପୁଲିସ ଗୁଳିମାଡ଼ରେ କୁଖ୍ୟାତ ରଘୁଆ ବିଶ୍ବାଳ(୨୪) ଆହତ ହୋଇଛି। ତା’ ନିକଟରୁ ପୁଲିସ ଏକ ୭.୬୫ ମିମି ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରିଛି। ସାଲିଆସାହିରେ ରହି ରାଜଧାନୀରେ ଅପରାଧ ଚଳାଇଥିବା ବାଲେଶ୍ବର ସୋର ଅଞ୍ଚଳର ରଘୁଆକୁ ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରୁ ରଘୁଆର ସହଯୋଗୀ ପୁନିଆ ଖସିଯାଇଛି। ଦୁର୍ଦ୍ଦାନ୍ତ ରବି ରାଓ ପରେ ତା’ ଗ୍ୟାଙ୍ଗ୍ର ସଦସ୍ୟ ଚକରା ବାରିକ, ଜିତୁ ପଲେଇ ପରେ ଏବେ ରଘୁଆର ପାଳି ପଡ଼ିଛି।
ଗତ କିଛି ଦିନ ହେଲା ପାହାଳ, ମଞ୍ଚେଶ୍ବର ଓ ବାଲିଅନ୍ତା ଥାନା ଅଞ୍ଚଳରେ ରଘୁଆ ଓ ପୁନିଆ ମିଶି ଲୁଟ୍, ଛିନ୍ତାଇ କରୁଥିଲେ। ଚଳନ୍ତା ବାଇକ୍କୁ ଗୋଇଠା ମାରି ଆରୋହୀଙ୍କୁ ତଳେ ପକାଇବା ପରେ ଲୁଟ୍ କରି ଫେରାର୍ ହୋଇଯାଉଥିଲେ। ରଘୁଆ ବନ୍ଧୁକ ଦେଖାଇ ଲୁଟ୍ କରୁଥିଲା। ଗତ ୨୨ ତାରିଖ ଦିନ ବାଲିଅନ୍ତା-ଅଟଳା ରାସ୍ତାରେ ଏକ ଦମ୍ପତି ରଘୁଆର ଶିକାର ହୋଇଥିଲେ। ମଞ୍ଚେଶ୍ବର ଅଞ୍ଚଳର ଶ୍ରୀଧର ପୃଷ୍ଟି ଓ ତାଙ୍କ ସ୍ତ୍ରୀ ସୁମିତ୍ରା ବାଇକ୍ ଯୋଗେ ଯାଉଥିବା ବେଳେ ରଘୁଆ ଓ ପୁନିଆ ତାଙ୍କୁ ହଂସପାଳ ଛକରୁ ପିଛା କରିଥିଲେ। ସୁମିତ୍ରାଙ୍କ ବେକରୁ ସୁନା ହାର ଛିଣ୍ଡାଇବା ବେଳେ ସେ ବାଇକ୍ରୁ ଖସି ପଡ଼ିଥିଲେ। ସୁନା ହାର ନେଇ ରଘୁଆ ଓ ପୁନିଆ ପଳାଇଥିଲେ। କିନ୍ତୁ ସୁମିତ୍ରାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏବେ ବି ସେ ହସ୍ପିଟାଲ୍ରେ ଅଛନ୍ତି। ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲା କମିସନରେଟ୍ ପୁଲିସ। ଡିସିପି ପ୍ରତୀକ୍ ସିଂଙ୍କ ନିର୍ଦ୍ଦେଶରେ ମଞ୍ଚେଶ୍ବର ଥାନା ପୁଲିସ ସହ ସ୍ପେସାଲ୍ ସ୍କ୍ବାଡ୍ ରଘୁଆକୁ ଠାବ କରିବାକୁ ଲାଗିପଡ଼ିଥିଲା। ଗତକାଲି ରାତିରେ ସେମାନେ ବାଲିଯାତ୍ରା ପଡ଼ିଆ ରାସ୍ତାରେ ରାହାଜାନୀ କରୁଥିବା ଖବର ପାଇ ତୁରନ୍ତ ୨ଟି ପୁଲିସ ଟିମ୍ ସେମାନଙ୍କୁ ପିଛା କରିଥିଲା। ପୁଲିସକୁ ଗୁଳି କରି ଖସିଯିବାକୁ ବସିଥିବା ରଘୁଆ କିନ୍ତୁ ପୁଲିସର ପାଲଟା ଗୁଳିଚାଳନାରେ ଆହତ ହୋଇଥିଲା।
ତଥାପି ରବି ରାଓ ଗ୍ୟାଙ୍ଗ୍ର ଦୁର୍ଗ ପତନ ହୋଇନି: ଦୁର୍ଦ୍ଦାନ୍ତ ଡକାୟତ ରବି ରାଓ ଗ୍ୟାଙ୍ଗ୍ ଏକଦା ରାଜଧାନୀରେ ଆତଙ୍କ ଖେଳାଇଦେଇଥିଲେ। ଅରୁଣ ମଲ୍ଲିକ, ଗଣେଶ ପୂର୍ତ୍ତି, ଚକରା ବାରିକ, ହରି ସ୍ବାଇଁ, ରଘୁଆ ବିଶ୍ବାଳ, ପୁନିଆ ନାଏକ, ଏସ୍କେ ତିୱାରୀ, ଶୁଭକାନ୍ତ ପରିଡ଼ାଙ୍କ ଭଳି କିଛି କୁଖ୍ୟାତ୍ ଲୁଟେରାଙ୍କୁ ନେଇ ରବି ଅପରାଧର ଦୁର୍ଗ ଗଢ଼ିଥିଲା। ଏହି ଗ୍ୟାଙ୍ଗ୍ ଛିନ୍ତାଇଠାରୁ ଆରମ୍ଭ କରି ଡକାୟତି, ଲୁଟ୍, ବାଇକ୍ ଚୋରି, ଦାଦାବଟି, ସୁପାରି ନେଇ ହତ୍ୟା ଉଦ୍ୟମ କରିବା ଭଳି କାଣ୍ଡ ଘଟାଉଥିଲେ। ଭଡ଼ାରେ ବାଇକ୍ ନେଇ ଲୁଟ୍ପାଟ ଓ ଡକାୟତି କରୁଥିଲେ। ଏଥିପାଇଁ ସେମାନେ ବିଭିନ୍ନ ବସ୍ତିର ପିଲାଙ୍କୁ ମଧ୍ୟ ସାମିଲ କରୁଥିଲେ। ସାରା ରାଜଧାନୀର ଅପରାଧ ଜଗତକୁ ନିଜ ନିୟନ୍ତ୍ରଣରେ ରଖୁଥିଲେ। ରସୁଲଗଡ଼ର ଜଣେ ହୋଟେଲ୍ ମାଲିକଙ୍କୁ ଖଣ୍ଡାରେ ହାଣି ଗୁରୁତର କରିବା ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ରବି, ଅରୁଣ, ଗଣେଶ, ଚକରାକୁ ଗିରଫ କରିଥିଲା। ଏବେ ବି ରବି, ଗଣେଶ ଓ ଚକରା ଜେଲ୍ରେ ଅଛନ୍ତି। କିନ୍ତୁ ରବି ରାଓ ଗ୍ୟାଙ୍ଗ୍ର ଦୁର୍ଗ ଏବେ ବି ସୁରକ୍ଷିତ ରହିଛି। ଏହି ଗ୍ୟାଙ୍ଗ୍ର ଆହୁରି କିଛି ସଦସ୍ୟ ଏବେ ବି ପୁଲିସ ପାଇଁ ଅପହଞ୍ଚ ହୋଇରହିଛନ୍ତି।
କୋର୍ଟ ଭ୍ୟାନ୍କୁ ବୋମାମାଡ଼ କରିଥିଲା ରଘୁଆ: ୨୦୨୦ ମସିହାରେ ରବି ରାଓ ପୁଲିସ ଏନ୍କାଉଣ୍ଟରର ଶିକାର ହୋଇଥିଲା। ଜେଲ୍ରେ ଥିବା ବେଳେ ତାକୁ ଖସାଇ ନେବାକୁ ତା’ ଗ୍ୟାଙ୍ଗ୍ ବଡ଼ ଯୋଜନା କରିଥିଲା। ଏହି ଯୋଜନାର ମାଷ୍ଟରମାଇଣ୍ଡ ରଘୁ, ପୁନିଆ ଓ ତିୱାରୀକୁ ଧରି ପ୍ରସ୍ତୁତ ରହିଥିଲା। ରବିକୁ ଭ୍ୟାନ୍ରେ କୋର୍ଟରେ ହାଜର କରାଇବାକୁ ନେବା ବେଳେ ସେମାନେ କୋର୍ଟ ଭ୍ୟାନ୍ ଉପରକୁ ବୋମାମାଡ଼ କରିବା ସହ
ପୁଲିସ ଆଖିକୁ ଲଙ୍କାଗୁଣ୍ଡ ଫୋପାଡ଼ିଥିଲେ। ପୂର୍ବରୁ ଏହି ଯୋଜନା ବାବଦରେ ଜାଣି ସାରିଥିବା ପୁଲିସ ଗୋଡ଼ାଇ ଗୋଡ଼ାଇ ୩ ଅପରାଧୀଙ୍କୁ କାବୁ କରିନେଇଥିଲା। ୨୦୨୨ ଜୁଲାଇରେ ସେମାନେ ଜାମିନ୍ରେ ଆସିଥିଲେ। ଡିସିପିଙ୍କ ତୃତୀୟ ଏନ୍କାଉଣ୍ଟର: ପ୍ରତୀକ ସିଂ ଭୁବନେଶ୍ବର ଡିସିପି ଭାବେ ଯୋଗଦେବା ପରେ ୨୦୨୨ ମେ’ ୧୧ରେ କୁଖ୍ୟାତ ଅପରାଧୀ ଚକରା ବାରିକକୁ ଏନ୍କାଉଣ୍ଟର୍ କରାଯାଇଥିଲା। ଚକରା ତା’ ସହଯୋଗୀମାନଙ୍କୁ ଧରି ଡକାୟତି କରିବା ପାଇଁ ବରମୁଣ୍ଡା ପଡ଼ିଆରେ ଏକାଠି ହୋଇଥିଲେ। ସେଠାରେ ସ୍ପେସାଲ୍ ସ୍କ୍ବାଡ୍ ଚକରାକୁ ଏନ୍କାଉଣ୍ଟର କରିଥିଲା। ଠିକ୍ ୧୦ ମାସ ପରେ ଅର୍ଥାତ ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖ ବିଳମ୍ବିତ ରାତିରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ ଓରଫ ଜିତୁର ପାଳି ପଡ଼ିଥିଲା। ପୁଲିସ ଏନ୍କାଉଣ୍ଟରରେ ଜିତୁ ଆହତ ହୋଇଥିଲା। ଦ୍ବିତୀୟ ଏନ୍କାଉଣ୍ଟର୍ର ୯ମାସ ପରେ ଗତକାଲି ରଘୁଆର ପାଳି ପଡ଼ିଛି। ୨୦୨୩ ସରିବାକୁ ଯାଉଥିବା ବେଳେ ଓ ନୂଆବର୍ଷର ଅବ୍ୟବହିତ ପୂର୍ବରୁ କମିସନରେଟ୍ ପୁଲିସର ଏହି ଏନ୍କାଉଣ୍ଟର ଅପରାଧୀଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି ବୋଲି କୁହାଯାଉଛି।

ପୁରୀ/ସାକ୍ଷୀଗୋପାଳ: ତିନି ତିନିଟା ହତ୍ୟା ମାମଲା ସମେତ ପ୍ରାୟ ୧୮ଟି ମାମଲାରେ ଜଡ଼ିତ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଆଜି ଦିନ ଦ୍ବିପ୍ରହରରେ ଏନ୍କାଉଣ୍ଟର ହୋଇଛି। ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଆଜି ସୁଆଣ୍ଡୋ ବ୍ରିଜ୍ ନିକଟ ସାଗରସ୍ନାନ ମେଳଣପଡ଼ିଆରେ କାଳୁକୁ ଏନ୍କାଉଣ୍ଟର କରିଥିଲେ। ଗୁଳିଟି କାଳୁର ଡାହାଣ ପଟ ଗୋଡ଼ର ଆଣ୍ଠୁ ତଳକୁ ବାଜିଛି। ତାକୁ ପ୍ରଥମ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଛି। କାଳୁ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କାଳୁ ପୁଲିସକୁ ଗୁଳି କରିବାରୁ ସତ୍ୟବାଦୀ ଥାନାର ଏସ୍ଆଇ ଦୀପ୍ତିରଞ୍ଜନ ସାହୁ ଆହତ ହୋଇଛନ୍ତି।
ଆଜି ସଦର ଥାନା ବାଟଗାଁର କାଳୁ ଭୋଳ ସତ୍ୟବାଦୀ ଥାନା ସାଗରସ୍ନାନ ମେଳଣ ପଡ଼ିଆରେ ଥିବା ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ବିଜୟକେତନ ବେହେରା, ଏସ୍ଆଇ ଦୀପ୍ତିରଞ୍ଜନ ସାହୁ ସଦଳବଳ ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସକୁ ଦେଖି କାଳୁ ଗୁଳିଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ଗୁଳି ଏସ୍ଆଇ ଦୀପ୍ତରଞ୍ଜନଙ୍କ ହାତରେ ବାଜିଥିଲା। ସଙ୍ଗେସଙ୍ଗେ ଆଇଆଇସି ଶ୍ରୀ ବେହେରା ପାଳଟା ଗୁଳି କରିଥିଲେ। କାଳୁ ସେହିଠାରେ ହିଁ ପଡ଼ିଯାଇଥିଲା। ପୁଲିସ ତୁରନ୍ତ ତାକୁ କାବୁ କରିବା ସହ ତା ନିକଟରୁ ୭.୬୫ ଏମ୍ଏମ୍ର ଏକ ପିସ୍ତଲ, ଗୋଟିଏ ଗୁଳି ଓ ଘଟଣାସ୍ଥଳରୁ ଏକ ଖୋକା ଜବତ କରିଥିଲା। ଆହତ କାଳୁକୁ ନେଇ ପୁଲିସ ସଙ୍ଗେ ସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ଚିକିତ୍ସା ସେବା ଯୋଗାଇ ଦେଇଥିଲା। ମାତ୍ର ଏଠାରେ ତା ଗୋଡ଼ରୁ ଗୁଳିଟି ବାହାର କରିବାକୁ ପୁଲିସ ତାକୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଛି।
ଅନ୍ୟପଟେ କାଳୁ ନାମରେ ପୂର୍ବରୁ ପ୍ରାୟ ୧୮ଟି ମାମଲା ରହିଥିବା ପୁଲିସ ରେକର୍ଡରୁ ଜାଣିବାକୁ ପାଇଛି। କାଳୁ ନାମରେ ସଦର ଥାନାରେ ବାରଟି, ଚନ୍ଦନପୁର ଥାନାରେ ଚାରିଟି, ସତ୍ୟବାଦୀ ଥାନାରେ ଗୋଟିଏ ଓ ବାସେଳିସାହି ଥାନାରେ ଗୋଟିଏ ମାମଲା ରହିଛି। କାଳୁ ଗତ ୨୦୦୭ ମସିହାରୁ ଅପରାଧ ଦୁନିଆରେ ପାଦ ଥାପିଥିଲା। ସେ ତିନିଟି ହତ୍ୟା ମାମଲାରେ ଜଡ଼ିତ ଥିବା ପୁଲିସ କହିଛି। ଗତ ୨୦୦୮ ମେ ମାସ ୨୭ ତାରିଖ ଦିନ ସେ ଚନ୍ଦନପୁର ଥାନାର ୫୮/୨୦୦୮ ନମ୍ବର ହତ୍ୟା ମାମଲା, ୨୦୧୬ ସେପ୍ଟେମ୍ବର ମାସ ୨୬ ତାରିଖ ଦିନ ୨୨୯/୨୦୧୬ ନମ୍ବର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ପୁଳିସ ସୂଚନା ଦେଇଛି। ୨୦୨୨ମସିହା ଜୁନ୍ ୩ ତାରିଖ ଦିନ ପୁଲିସକୁ ଚକମା ଦେଖାଇ ଖସିଯିବାରେ କାଳୁ ସକ୍ଷମ ହୋଇଥିଲା। ସେହିପରି କରୋନାର ପ୍ରଭାବ ଜୋରସୋର୍ରେ ଥିବା ବେଳେ ପୁଲିସ ଗତ ୨୦୨୦ ଏପ୍ରିଲଲ ୮ ତାରିଖ ଦିନ କାଳୁକୁ ଗିରଫ କରିଥିଲା। ତା ବିରୋଧରେ ପୁଲିସ ବାସେଳିସାହି ଥାନାରେ ୧୦୮/୨୦୨୦ ନମ୍ବରରେ ଏକ ମାମଲା ରୁଜୁ କରି ତା ନିକଟରୁ ପୁଲିସ ଗୋଟିଏ ପିସ୍ତଲ ଓ ଗୋଟିଏ ଗୁଳି ମଧ୍ୟ ଜବତ କରିଥିଲା।