ନୂଆଦିଲ୍ଲୀ: ସାରା ବିଶ୍ବ ଯେତେବେଳେ ୨୦୨୩ ବର୍ଷକୁ ସ୍ବାଗତ କରିବାପାଇଁ ଉତ୍ସବମୁଖର ଥିଲା ସେ ସମୟରେ ୟୁକ୍ରେନରେ ପ୍ରଚଣ୍ଡ ବିସ୍ଫୋରଣ ଜାରି ରହିଥିଲା। ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆବର୍ଷ ବାର୍ତ୍ତା ରଖିଥିବା ବେଳେ ଅନ୍ୟପକ୍ଷେ ୟୁକ୍ରେନ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ପ୍ରମୁଖ ସହରମାନଙ୍କରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା। ଶନିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଆକ୍ରମଣ ଆଜି ବର୍ଷର ପ୍ରଥମ ଦିନରେ ବି ଜାରି ରହିଛି ଏବଂ ରୁଷ୍ର ଆକ୍ରମଣ ସବୁ ଅଞ୍ଚଳକୁ ବ୍ୟାପିଛି। ୨୫ରୁ ଅଧିକ ସହରାଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼, ଡ୍ରୋନ୍ ଓ ମୋର୍ଟାର ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କରେ ସୁସଜ୍ଜିତ ଆଲୋକମାଳା ଏବଂ ବାଣ ଫୁଟାଇ ନୂଆବର୍ଷକୁ ସ୍ବାଗତ କରାଯାଇଥିବା ବେଳେ ୟୁକ୍ରେନ୍ରେ ମିସାଇଲ୍ ମାଡ଼ ଭିତରେ ନୂଆବର୍ଷକୁ ସ୍ବାଗତ କରାଯାଇଛି। ରୁଷ୍ ଶନିବାର ଦିନ ୟୁକ୍ରେନରେ ୨୦ରୁ ଅଧିକ କ୍ରୁଜ୍ ମିସାଇଲ ମାଡ଼ କରିଥିବା ବେଳେ ଆଜି ସକାଳେ ୫୦ରୁ ଅଧିକ ସ୍ଥାନରେ ଡ୍ରୋନ୍ ଆକ୍ରମଣ କରିଛି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ନୂଆବର୍ଷ ସନ୍ଧ୍ୟାରେ ଉଦ୍ବୋଧନ ଦେବାପରେ ରୁଷ୍ ଆକ୍ରମଣକୁ ଆହୁରି ତୀବ୍ର କରିଦେଇଥିଲା। ଜେଲେନ୍ସ୍କି କହିଥିଲେ, ଆମେ ଲଢ଼େଇ କରୁଛୁ ଏବଂ ବିଜୟ ପାଇଁ ଆମେ ଲଢ଼େଇ ଜାରି ରଖିବୁ। ଉଲ୍ଲେଖଯୋଗ୍ୟ, ରୁଷ୍ ୟୁକ୍ରେନର କିବ୍, ଖାରକିଭ ଏବଂ ଲବିବରେ ଗୁରୁବାର ଦିନ ସର୍ବାଧିକ ୧୨୦ରୁ ଅଧିକ ମିସାଇଲ ମାଡ଼ କରିଥିଲା। ଶୀତ ବଢ଼ିବା ସହ ରୁଷ୍ ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମିଗୁଡ଼ିକୁ ଟାର୍ଗେଟ୍ କରି ଆକ୍ରମଣ ଜାରି ରଖିଛି । ଅନ୍ୟପକ୍ଷେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ପାରମ୍ପରିକ ନୂତନ ବର୍ଷର ସମ୍ବୋଧନରେ ନିଜ ନାଗରିକଙ୍କୁ କହିଥିଲେ ଯେ ନୈତିକ ଏବଂ ଐତିହାସିକ ଅଖଣ୍ଡତା ଆମ ସପକ୍ଷରେ ରହିଛି। ପଶ୍ଚିମ ରାଷ୍ଟ୍ରମାନଙ୍କ ଷଡ଼ଯନ୍ତ୍ର ଏବଂ ରୁଷ୍କୁ ତଳିତଳାନ୍ତ କରିବା ପାଇଁ ବଡ଼ ଚକ୍ରାନ୍ତକୁ ପଣ୍ଡ କରି ରୁଷ୍ ସଠିକ୍ ନିଷ୍ପତ୍ତି ନେଉଛି।