ପୁରୀ : ନୂଆବର୍ଷରେ ଭକ୍ତଙ୍କୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ। ପୂର୍ବଭଳି ପ୍ରତି ରବିବାର ବି ଦର୍ଶନ ବନ୍ଦ ରହିବ। ଏଣୁ ଡିସେମ୍ବର ୩୧, ଜାନୁଆରି ୧ ଓ ୨ ତାରିଖ(ରବିବାର), ଏଭଳି ତିନିଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ‘ଓମିକ୍ରନ୍’ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଆସନ୍ତା ୧୬ ତାରିଖରୁ ପହିଲି ଭୋଗ ନୀତି ଆରମ୍ଭ ହେଉଛି। ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ଚାଲିବ। ଆଜି ଛତିଶାନିଯୋଗ ବୈଠକରେ ପହିଲି ଭୋଗ ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ଏହାସହ ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତି ନୀତି ଓ ୧୭ ତାରିଖ ଦେବାଭିଷେକ ପୂର୍ଣ୍ଣିମା ନୀତି ବି ଚୂଡ଼ାନ୍ତ ହୋଇଛି।
ପହିଲି ଭୋଗ ସମୟରେ ସଅଳ ମହାପ୍ରସାଦ ବାହାରିବା ସହ ନୀତିକାନ୍ତି ସଅଳ ହେଉଥିବାରୁ ଭକ୍ତଙ୍କ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ରହିଥିଲା। ପହିଲି ଭୋଗ ସମୟରେ ଅର୍ଥାତ୍ ଡିସେମ୍ବର ୧୬ରୁ ଭକ୍ତମାନେ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
ପହିଲି ଭୋଗ ଉପଲକ୍ଷେ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପହିଲି ଭୋଗ ନୀତି ନିର୍ଘଣ୍ଟ ପରେ ଆଜି ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।
ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି ଯେ ଶ୍ରୀମନ୍ଦିରରେ ଭକ୍ତମାନେ ଯେଭଳି ମହାପ୍ରଭୁଙ୍କ ଶୃଙ୍ଖଳିତ ଓ ସଂକ୍ରମଣମୁକ୍ତ ପରିବେଶରେ ଦର୍ଶନ କରିପାରିବେ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଆଶଙ୍କା ରହିଥିବାରୁ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ ଦର୍ଶନ ବନ୍ଦ ରଖାଯାଇଛି। ଛତିଶାନିଯୋଗ ପ୍ରସ୍ତାବକ୍ରମେ ଦର୍ଶନ ବ୍ୟବସ୍ଥାରେ ତିନୋଟି ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ବନକଲାଗି ସମୟରେ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହୁଥିଲା। କିନ୍ତୁ ଏବେ ବନକଲାଗି ସମୟରେ ବି ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଗରୁଡ଼ ସ୍ତମ୍ଭ, ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ବୁଲିବା ସହ ଦର୍ଶନ କରିପାରିବେ। କିନ୍ତୁ ବନକଲାଗି ପାଇଁ ଜୟ-ବିଜୟ ଦ୍ବାର ଓ ବେହେରଣ ଦ୍ବାର ବନ୍ଦ ରହିବ। ମହାପ୍ରଭୁଙ୍କ ଦର୍ଶନ ମିଳିବନି। ଦ୍ବିତୀୟରେ ଡିସେମ୍ବର ଓ ଜାନୁଆରିରେ ରବିବାର, ଡିସେମ୍ବର ୩୧ ଓ ଜାନୁଆରି ୧କୁ ଛାଡ଼ିଦେଲେ ବାକି ପର୍ବପର୍ବାଣୀରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ମକର ସଂକ୍ରାନ୍ତି, ଦେବାଭିଷେକ ପୂର୍ଣ୍ଣିମାରେ ବି ଶ୍ରୀମନ୍ଦିର ଖୋଲା ରହିବ।
ଡିସେମ୍ବର ମାସରୁ ରବିବାରିଆ ଦର୍ଶନ ବନ୍ଦ ବ୍ୟବସ୍ଥା ହଟାଇବାକୁ ଯୋଜନା କରାଯାଇଥିଲା। କୋଭିଡ୍ ଆରଟିପିସିଆର ଟେଷ୍ଟ ରିପୋର୍ଟ ଓ ଅନ୍ୟ କଟକଣାକୁ ମଧ୍ୟ ହଟାଇବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ‘ଓମିକ୍ରନ୍’ ସଂକ୍ରମଣ ଭୟ ପରେ ଏହାକୁ ସ୍ଥଗିତ ରଖାଯାଇଛି। କିଛି ମାସ ଆହୁରି ପୂର୍ବ କଟକଣା ବଳବତ୍ତର ରହିବ। ପରିସ୍ଥିତି ସୁଧୁରିବା ପରେ କଟକଣା କୋହଳ ଦିଗରେ ବିଚାର କରାଯିବ। ନିଷ୍ପତ୍ତି ଅନୁଯାୟୀ ନୂଆ ଏସ୍ଓପି ଖୁବଶୀଘ୍ର ଜାରି ହେବ ବୋଲି ଡ. କୁମାର କହିଛନ୍ତି।