ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ କଲେ ଶୃଙ୍ଖଳିତ ଦର୍ଶନ

ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉଦାହରଣ ସାଜିଛି। ଶ୍ରୀମନ୍ଦିର ଭିତରେ ଭିଡ଼ ରହିଥିଲେ ବି ବିନା ବାଧାରେ ଭକ୍ତମାନେ ଦର୍ଶନ କରିଛନ୍ତି। ଦର୍ଶନ ସାରି ଫେରିବା ବେଳେ ବି ବିନା ଅବରୋଧରେ ସୁବିଧାରେ ଫେରିଛନ୍ତି। ଜିଲ୍ଲା ପୁଲିସର ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। କାରଣ ପୂର୍ବରୁ କେବେ ବି ନୂଆବର୍ଷରେ ଏଭଳି ବ୍ୟବସ୍ଥା କରାଯାଇନଥିଲା। ଭକ୍ତମାନେ ଠେଲାପେଲା ଭିତରେ ଦର୍ଶନ କରୁଥିଲେ। ବଡ଼ଦାଣ୍ଡରେ ଚାଲିବା ବେଳେ ଭିଡ଼ରେ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲେ। ଚଳିତବର୍ଷ ନୂଆବର୍ଷରେ ଏଭଳି ଦର୍ଶନ ବ୍ୟବସ୍ଥା ସମସ୍ତଙ୍କୁ ଅଭିଭୂତ କରିଛି। ତେବେ ନୂଆବର୍ଷରେ ଯଦି ଏଭଳି ବ୍ୟବସ୍ଥା ଆପଣା ଯାଇପାରୁଛି, ସେଠି ଅନ୍ୟ ଦିନମାନଙ୍କରେ କାହିଁକି ନୁହେଁ ବୋଲି ଭକ୍ତ, ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ଉପଲକ୍ଷେ ରବିବାର ଦିନ ମାର୍କେଟ୍‌ ଛକରୁ ସେଡ୍‌ ବ୍ୟବସ୍ଥା କରାଯାଇଥିଲା। ଅଧିକ ଜୋତାଷ୍ଟାଣ୍ଡ୍‌ ସାଙ୍ଗକୁ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ବିଶ୍ରାମ ପାଇଁ ସ୍ବତନ୍ତ୍ର ସେଡ୍‌ କରାଯାଇଥିଲା। ସେପଟେ ଅମାନିଆ ଉଠା ଦୋକାନୀମାନେ ମନଇଛା ରାସ୍ତା ଉପରେ ଆସି ବସୁଥିବାରୁ ପ୍ରତିଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିଲା। ଭକ୍ତମାନେ ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ହୋଇଯାଉଥିଲେ। ତଏହା ସହ ଅଟୋ, ବସ ଚଳାଚଳ ଏହି ଭିଡ଼କୁ ଆହୁରି ଯନ୍ତ୍ରଣାଦାୟକ କରି ଦେଉଥିଲା। ଭକ୍ତମାନେ ଯା’ଆସ ପାଇଁ ବାଟ ପାଉନଥିଲେ। କିନ୍ତୁ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ରାସ୍ତା ଉପରେ ବସୁଥିବା ଉଠାଦୋକାନୀଙ୍କୁ ଚଳିତବର୍ଷ ହଟାଇ ଦିଆଯାଇଥିଲା। ଦୁଇଦିନ ଦୋକାନ ବଜାର ବନ୍ଦ ରଖାଯାଇଥିଲା। ମାର୍କେଟ୍‌ ଛକରୁ ସିଂହଦ୍ବାର ଆଡ଼କୁ ଭକ୍ତଙ୍କ ଆଗମନ ଉପଲକ୍ଷେ ତିନିଚକିଆ, ଚାରିଚକିଆ ତ ଦୂରର କଥା ଦୁଇଚକିଆ ବି ପ୍ରବେଶ ଅନୁମତି ଦିଆଯାଇନଥିଲା। ଫଳରେ ଭକ୍ତମା‌ନେ ଆସି ଦର୍ଶନ ପରେ ବିନା ଭିଡ଼ରେ ଫେରିଛନ୍ତି।

ସେପଟେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ଭକ୍ତମାନେ ବି ଖୋଲାରେ ସିଂହଦ୍ବାର ଯା’ଆସ କରିପାରିଛନ୍ତି। ଏଭଳି ସ୍ଥିତିରେ ଭକ୍ତମାନେ କହିଛନ୍ତି, ଆମେ ଉଠାଦୋକାନୀଙ୍କୁ ବିରୋଧ କରୁନୁ। କିନ୍ତୁ ଏମାନେ ସେମାନଙ୍କ ସୀମା ରେଖା ଡେଇଁ ଯେଉଁଭଳି ରାସ୍ତା ଉପରେ ଧାଡ଼ି ଧାଡ଼ି ହୋଇ ଆସି ବସୁଛନ୍ତି, ତାହା ଭିଡ଼ର ପ୍ରମୁଖ କାରଣ ସାଜୁଛି। ସେପଟେ ମରିଚିକୋଟ ଛକରେ ମାଳମାଳ ଅଟୋ ବି ଭିଡ଼ ଜମାଉଛନ୍ତି। ଫଳରେ ଭକ୍ତଙ୍କ ପାଇଁ ଯା’ଆସ ରାସ୍ତା ବଳୁନି। ଏଣୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସ୍ବରୂପ ଆଜି ‌ଯେଭଳି କଟକଣା ଲଗାଗଲା, ସେଭଳି ସ୍ଥାୟୀ ବ୍ୟବସ୍ଥା କରିବାକୁ ମତ ଦେଇଛନ୍ତି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଆଜି ଭୂଦାନ ଛକ, ତାଳବଣିଆ ଛକ, ପେଣ୍ଠକଟା ଛକ, ମଙ୍ଗଳାଘାଟ ଛକ, ମୋଚିସାହି ଛକ, ବୀରହରେକୃଷ୍ଣପୁର, ମାଳତୀପାଟପୁର ଆଦି ଛକରେ ଚାରିଚକିଆ ଓ ଅନ୍ୟ ବଡ଼ ଗାଡ଼ି ପ୍ରବେଶରେ କଟକଣା ଲଗାଯାଇଥିଲା। ଏହି ପ୍ରମୁଖ ଛକମାନଙ୍କରେ ପୁଲିସ ପହରା ଦିଆଯାଇଥିଲା। ଯେଉଁଥିପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ବି ନିୟନ୍ତ୍ରଣରେ ରହିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।