ଅପରାଧ ରାଜ୍ୟ

ନୂଆପଡ଼ାରେ ଭାଲୁ-ମଣିଷ ଲଢ଼େଇ: ୬ ବର୍ଷରେ ମଲେଣି ୧୧ ଭାଲୁ, ୬ ମଣିଷ

ନୂଆପଡ଼ା : ବଣ ପାହାଡ଼ ଘେରା ନୂଆପଡ଼ା ଜିଲ୍ଲାରେ ଭାଲୁ ଓ ମଣିଷ ମଧ୍ୟରେ ଲଢ଼େଇ ବର୍ଷ ବର୍ଷ ଧରି ଲାଗିରହିଛି। ସଂଘର୍ଷରେ କେତେବେଳେ ମଣିଷଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଭାଲୁର ଜୀବନ ଯାଉଛି। ଗତ ୬ ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ଡରାଇଲା ଭଳି ତଥ୍ୟ ସାମ୍ନାକୁ ଆସୁଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ଭାଲୁ-ମଣିଷ ସଂଘର୍ଷରେ ୧୧ଟି ଭାଲୁ ଓ ୬ ଜଣ ମଣିଷଙ୍କ ଜୀବନ ଯାଇଛି। ତଥାପି ଜିଲ୍ଲା ପ୍ରଶାସନ କି ବନ ବିଭାଗ ପକ୍ଷରୁ ଏହାର ଠୋସ୍‌ ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ।

ନୂଆପଡ଼ା ଜିଲ୍ଲାର ସୀମାନ୍ତରେ ସୁନାବେଡ଼ା ଅଭୟାରଣ୍ୟ ରହିଛି। ପ୍ରାୟ ସବୁ ଗାଁକୁ ସଂଲଗ୍ନ ହୋଇ ରହିଛି ଛୋଟ ବଡ଼ ପାହାଡ଼। ସୁନାବେଡ଼ା ଅଭୟାରଣ୍ୟ ହେଉ କି ଛୋଟ ବଡ଼ ଜଙ୍ଗଲ ସବୁଠି ଭାଲୁ ସହ ଅନ୍ୟ ହିଂସ୍ର ପ୍ରାଣୀ ବସବାସ କରୁଛନ୍ତି। ଏଠାକାର ଜଙ୍ଗଲରେ ବହୁ ଗୁମ୍ପା ରହିଛି। ‌ଭାଲୁ ରହିବା ପାଇଁ ଏହା ଉପଯୁକ୍ତ ସ୍ଥାନ। ଏଭଳି ସ୍ଥିତିରେ ଦିନକୁ ଦିନ ଭାଲୁ ବଂଶ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ଅଧିକାଂଶ ଲୋକ ଗ୍ରାମାଞ୍ଚ‌ଳରେ ବସବାସ କରୁଥିବା ବେଳେ ଚାଷବାସ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏଭଳି ସ୍ଥିତିରେ ଚାଷଜମି ଓ ଜଙ୍ଗଲ ଯିବା ବାଟରେ ଲୋକେ ଭାଲୁ ହାବୁଡ଼ରେ ପଡ଼ୁଛନ୍ତି। ଗତ ରବିବାର ପୁଣି କୋମନା ଥାନା ବିରୁନପଦର ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ‌ବେଳେ ପୁଅ ଗୁରୁତର ଆହତ ହୋଇଥିଲେ।

ସୂଚନା ଅନୁସାରେ ଗତ ୬ ବର୍ଷରେ ଭାଲୁ ଆକ୍ରମଣରେ ଜଣେ ମହିଳା ଓ ୫ ଜଣ ପୁରୁଷଙ୍କ ପ୍ରାଣହାନି ଘଟିଛି। ୨୦୧୯ ଜୁଲାଇ ୪ ତାରିଖ ଦିନ ସିନାପାଲି ରେଞ୍ଜ ଅଧୀନ ଝାରବନ୍ଧ ଗାଁର ଚାଷୀ ଲମ୍ବୋଦର ବାଗ (୫୫ବର୍ଷ) ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିଲେ। ୨୦୨୧ ଫେବ୍ରୁଆରି ୧୧ ତାରିଖ ଦିନ ସଦର ବ୍ଲକ୍‌ ଭରୁଆମୁଣ୍ତା ପଞ୍ଚାୟତ ଛୋଟ ଲୋଡ଼୍ରା ଜଙ୍ଗଲକୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇ ଭାଲୁ ଆକ୍ରମଣରେ ଭାନୋବାଈ ମାଝୀ (୪୭ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ ଜୁଲାଇ ୧୫ ତାରିଖ ଦିନ କୋମନା ବ୍ଲକ୍‌ ସମରସିଂ ଗାଁ ନିକଟ ଲୁହାଖେନଖୋଲ ଜଙ୍ଗଲରେ ଭାଲୁ-ମଣିଷ ଲଢ଼େଇ ହୋଇଥିଲା। ସେଠାରେ ରକ୍ତମୁଖା ଭାଲୁ ପ୍ରଥମେ ରତନ ମାଝୀ (୬୦ବର୍ଷ)ଙ୍କୁ ମାରି ମୃତଦେହକୁ ଜଗି ରହିଥିଲା। ଗାଁ ଲୋକେ ତାଙ୍କୁ ଖୋଜିବାକୁ ଯାଇଥିବା ବେଳେ ନକୁଲ ମାଝୀ(୬୦ବର୍ଷ), ରବି ରଣା (୨୭ବର୍ଷ)ଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରି ମାରି ଦେଇଥିଲା। ଗାଁର ପରମେଶ୍ବର ମାଝୀ(୫୦ବର୍ଷ) ଓ କୁନା ମାଝୀ (୨୬ବର୍ଷ) ଗୁରୁତର ଆହତ ହୋଇଥିଲେ। ୨୦୨୨ ଏପ୍ରିଲ ୭ ତାରିଖ ଦିନ ସଦର ବ୍ଲକ୍‌ ଜୁନାନୀ ଗାଁର ମହିଳା ସୂର୍ଯ୍ୟମତୀ ନିଆଲ(୬୦ବର୍ଷ) ମହୁଲ ଗୋଟାଇବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ୨୦୨୨ ଜୁଲାଇ ୨୬ରେ ସଦର ବ୍ଲକ୍‌ ବୁଏରଭାଡ଼ି ଗାଁର ମାଳତୀ ମାଝୀ (୪୦ବର୍ଷ) ଚାଷଜମିରେ ଘାସ ସଫା କରୁଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ୪ ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ସୂଚନା ମିଳିଛି।

ଗତ ରବିବାର ବିରୁନପଦର ଗ୍ରାମର ଘନଶ୍ୟାମ ପଟେଲ (୭୦ବର୍ଷ)ଙ୍କୁ ଭାଲୁ ଆକ୍ରମଣ କରି ମାରି ଦେଇଥିଲା। ସେହିପରି ୬ ବର୍ଷ ମଧ୍ୟରେ ଉତ୍ତ୍ୟକ୍ତ ଲୋକେ ୧୧ଟି ଭାଲୁଙ୍କୁ ମାରିଥିବା ମଧ୍ୟ ଜଣାପଡ଼ିଛି। ସେହିପରି ଟ୍ରେନ୍‌ରେ କଟି ଭାଲୁ ମରିଥିବା ନଜିର ମଧ୍ୟ ରହିଛି। ଜିଲ୍ଲାର ଜଙ୍ଗଲଗୁଡ଼ିକରେ ଦିନକୁ ଦିନ ଖାଦ୍ୟ ଓ ପାନୀୟ ଜଳ ଅଭାବ ହେତୁ ଭାଲୁମାନେ ଗାଁମୁହାଁ ହେଉଛନ୍ତି। ଭାଲୁ ରହୁଥିବା ଜଙ୍ଗଲରେ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରିବା ସହ ଜଙ୍ଗଲକୁ ପାଚେରି ଦେବାର ନିୟମ ରହିଛି। ଏହାଦ୍ବାରା ଭାଲୁ ଓ ମଣିଷ ସୁରକ୍ଷିତ ରହିପାରିବେ। ତେଣୁ ଜିଲ୍ଲା ପ୍ରଶାସନ ତଥା ବନ ବିଭାଗ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଜରୁରି ହୋଇପଡ଼ିଥିବା ପରିବେଶବିତ୍‌ ମହଲରେ ପ୍ରକାଶ ପାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।