ନୀଳଗିରି: ମାଣବସା ଓଷା କରିବାକୁ ସ୍କୁଲର ପାଚିକା କେବଳ ଭାତ ରାନ୍ଧି ଘରକୁ ପଳାଇବାରୁ ମଧ୍ୟାହ୍ନ ଭୋଜନରେ ଛାତ୍ରୀମାନେ ପଖାଳ ସହିତ ଆଳୁଭଜା ଖାଇଛନ୍ତି। ଏ କଥା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଖପା ହୋଇଛନ୍ତି ଜିଲ୍ଲାପାଳ। ଘଟଣା ବାବଦରେ ବୁଝି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅପପୁଷ୍ଟି ରୋକିବା ସହିତ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ସରକାରୀ ସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଛି। ହେଲେ ଗୁରୁବାର ନୀଳଗିରି ବ୍ଲକ୍ ସିଆଡ଼ିମାଳ ପଞ୍ଚାୟତ ଚତର ଗ୍ରାମର ଉମାଅର୍ଜୁନ ବାଳିକା ହାଇସ୍କୁଲରେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ। ଖାଦ୍ୟ ତାଲିକା ମୁତାବକ ଗୁରୁବାର ଭାତ ଡାଲମା ବଦଳରେ ପିଲାଙ୍କୁ ମଧ୍ୟାହ୍ନଭୋଜନରେ ପଖାଳ ଓ ଆଳୁଭଜା ଦିଆଯାଇଥିଲା।
ଛାତ୍ରୀମାନଙ୍କ କହିବା ଅନୁଯାୟୀ; ସ୍କୁଲ୍ର ପାଚିକା ଆଜି ସକାଳେ ଭାତ ରାନ୍ଧିବା ପରେ ତାକୁ ପଖାଳି ଦେଇଥିଲେ। ତା’ ସହ ଆଳୁଭଜା କରି ମାଣବସା ଓଷା ପାଳିବାକୁ ଘରକୁ ପଳାଇଥିଲେ। ହାଇସ୍କୁଲରେ ମୋଟ ୭ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଥିବାବେଳେ ସେଥିମଧ୍ୟରୁ ସ୍କୁଲ୍ର ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ୩ ଜଣ ଆଜି ସ୍କୁଲ୍କୁ ଆସିନଥିଲେ। ଫଳରେ ଅନ୍ୟ ଶିକ୍ଷକମାନେ ରୋଷେଇ ଦାୟିତ୍ବ ମୁଣ୍ଡକୁ ନେଇନଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ଅନ୍ୟପକ୍ଷରେ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଏ ବିଷୟରେ ଜାଣିବା ପରେ ପ୍ରବଳ ବିରକ୍ତି ହେବା ସହିତ ଦୁଃଖପ୍ରକାଶ କରିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।