ରାଜ୍ୟ

ନୀଳକନ୍ଦରରେ ରତନବେଦିରେ.. ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ: ମାନବୀୟ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ରଥାରୂଢ଼ କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡଠାକୁର। ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଆଜି ନୀଳକନ୍ଦରକୁ ବିଜେ କରିଛନ୍ତି ମହାବାହୁ। ଘୋଷଯାତ୍ରାରେ ୧୩ ଦିନ ଧରି ଜନ୍ମବେଦି ଓ ରଥ ଉପରୁ ଅଗଣିତ ଭକ୍ତଙ୍କୁ ଆଶିଷ ଢାଳିବା ପରେ ମହାପ୍ରଭୁ ଆଜି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରକୁ ଫେରି ରତ୍ନବେଦିରେ ବିରାଜମାନ କରିଛନ୍ତି। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ସିଂହଦ୍ବାରକୁ ଫେରିବା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ବିଜେ କାହାଳୀ ସହ ଘଣ୍ଟନାଦର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲିଝୁଲି ନୀଳକନ୍ଦରକୁ ଫେରିଛନ୍ତି ନୀଳାଦ୍ରିନାଥ।

ରଥଯାତ୍ରାର ଶେଷ ଦିନରେ ନୀଳାଦ୍ରି ବିଜେ ବେଳେ ଦେଖିବାକୁ ମିଳିଛି ଭାବବିହ୍ବଳ ଓ ଭକ୍ତିମୟ ପରିବେଶ। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଡାକରେ ଫାଟି ପଡ଼ିଛି ସିଂହଦ୍ୱାର। ଭକ୍ତଙ୍କ ଗହଣରେ ମାନବୀୟ ଲୀଳା ସାରି ଶ୍ରୀମନ୍ଦିର ଫେରୁଥିବା ଜାଣି ଚକାଆଖି ସହ ଆଖି ମିଳାଇ ଭକ୍ତଗଣ ଝରାଇଛନ୍ତି ଆନନ୍ଦାଶ୍ରୁ। ପୁଣିଥରେ ଭକ୍ତ ମେଳରେ ବଡ଼ଦାଣ୍ଡକୁ ସଅଳ ଫେରି ଆସିବାକୁ କରିଛନ୍ତି ଭକ୍ତିପୂର୍ଣ୍ଣ ନିବେଦନ।
ଚଳିତ ବର୍ଷ ନୀଳାଦ୍ରି ବିଜେରେ ଚତୁର୍ଦ୍ଧା ବିଗ୍ରହଙ୍କ ବିଳମ୍ବରେ ପହଣ୍ଡି ଆରମ୍ଭ ଓ ବିଳମ୍ବରେ ପହଣ୍ଡି ଶେଷ ହୋଇଛି। ରାତି ପ୍ରାୟ ୧୨ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଶେଷ ହୋଇଛି। ଶ୍ରୀମନ୍ଦିର ଭିତରେ ବିଭିନ୍ନ ନୀତିକାନ୍ତ ବଢ଼ିବା ପରେ ଚତୁର୍ଦ୍ଧା ବିଗ୍ରହ ରତ୍ନବେଦିରେ ବିଜେ କରିଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସଂପନ୍ନ ହୋଇଛି।

ନୀଳାଦ୍ରି ବିଜେ ଉପଲ‌କ୍ଷେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ, ତିନିରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ ପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଥିଲା। ଅପରାହ୍ଣ ଗୋଟାଏରୁ ୪ଟା ୫୦ରେ ତିନି ରଥରେ ଚାରବନ୍ଧା ଆରମ୍ଭ ହୋଇଥିଲା। ଚାରବନ୍ଧା ଶେଷ ପରେ ମହାସ୍ନାନ ନୀତି ବଢ଼ିଥିଲା। ପରେ ପୁଷ୍ପାଞ୍ଜଳି ଓ ଅନ୍ୟାନ୍ୟ ନୀତି ସରି ରାତି ସାଢ଼େ ୭ଟାରେ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମ ଓ ଶ୍ରୀକୃଷ୍ଣ, ମଦ‌ନମୋହନ ନୀଳାଦ୍ରି ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସୁଦର୍ଶନଙ୍କ ପହଣ୍ଡି ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ଠାକୁର ରତ୍ନବେଦିରେ ବିଜେ କରିବା ପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରା ରତ୍ନବେଦିରେ ବିଜେ କରିବା ପରେ ଶେଷରେ ରାତି ସାଢ଼େ ୧୧ଟାରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଚାରମାଳ ଉପରେ ତିନିଠାକୁରଙ୍କୁ ଟାହିଆ ଲାଗି ହୋଇଥିଲା। ଶ୍ରୀମନ୍ଦିର ଭେଟମଣ୍ଡପରୁ ଲକ୍ଷ୍ମୀ-ନାରାୟଣ ଭେଟ ଓ ବଚନିକା ପାଠ ପରେ ମହାପ୍ରଭୁ ରତ୍ନବେଦିକୁ ବିଜେ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।