ଓଡ଼ାପଡ଼ା: ଯେଉଁଭଳି ଭାବେ ଦିନରାତି ଖୋଳା ହେଉଛି ଆଉ ଅଳ୍ପଦିନ ମଧ୍ୟରେ ନିଶ୍ଚିହ୍ନ ହୋଇଯିବ ସବୁଜ ସୁନ୍ଦର ‘ବୁଢ଼ୀ ପର୍ବତ’। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ୫୫ ନମ୍ବର ଜାତୀୟ ରାଜପଥ କଡ଼ ପନେଇଲୋ ଗ୍ରାମ ନିକଟରେ ଥିବା ଏହି ପର୍ବତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ସବୁଜ ସୁନ୍ଦର ଥିଲା ଏହି ପର୍ବତ। ହେଲେ କିଛି ସ୍ବାର୍ଥଲୋଭୀ ମଣିଷଙ୍କ ଯୋଗୁଁ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥିଲା। ଏହା ଲଣ୍ଡା ପାହାଡ଼ ପାଲଟିଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ଓ ପରିବେଶପ୍ରେମୀ ଏହାକୁ ସବୁଜିମାରେ ପରିଣତ କରିବା ପାଇଁ ୧୯୯୨ ମସିହାରେ ଶପଥ ନେଇଥିଲେ। ଏଥିପାଇଁ ବୃକ୍ଷ ଉତ୍ପାଦକ ମହାସଂଘ ଅନୁଗୁଳ ଶାଖାର ତତ୍କାଳୀନ ଟିମ୍ ଲିଡର୍ ଅମରଜ୍ୟୋତି ନାୟକଙ୍କ ସହଯୋଗରେ ଗ୍ରାମରେ ବୃକ୍ଷ ଉତ୍ପାଦକ ସମବାୟ ସମିତି ଗଠନ ହୋଇଥିଲା। ସମିତିକୁ ପଞ୍ଜୀକରଣ ମଧ୍ୟ କରାଯାଇଥିଲା। ଉକ୍ତ ଲଣ୍ଡା ପାହାଡ଼ରେ ସମିତିର କର୍ମକର୍ତ୍ତାମାନେ ବୃକ୍ଷରୋପଣ କରିବାପାଇଁ ଲିଜ୍ ସୂତ୍ରରେ ଜମି ଯୋଗାଇ ଦେବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲାପାଳଙ୍କ ସୁପାରିସ୍କ୍ରମେ ଢେଙ୍କାନାଳ ତହସିଲଦାର ୧୦୦ ଏକର ଜମି ଲିଜ୍ ଦେଇଥିଲେ। ସେହିଦିନଠାରୁ ସମିତିର ସଦସ୍ୟମାନେ ବୁଢ଼ୀ ପର୍ବତରେ ବୃକ୍ଷରୋପଣ କରି ଲଣ୍ଡା ପାହାଡ଼କୁ ସବୁଜିମାରେ ପରିଣତ କରିବା ସହିତ ଜଗାରଖା କରି ଆସୁଛନ୍ତି।
ମାତ୍ର, ବର୍ତ୍ତମାନ ଏହି ପାହାଡ଼ ଉଜୁଡ଼ି ଯିବାକୁ ବସିଛି। ସରକାରୀ ନୀତି ନିୟମକୁ ବ୍ଲକ୍ ପ୍ରଶାସନ ଦଳିମକଚି ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ କରିଥିବା କିଛି ଲୋକଙ୍କୁ ଘର କରିବା ପାଇଁ ଆବାସ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହାସହିତ ସରକାରୀ ଅର୍ଥ ବ୍ୟୟ କରାଯାଇ ଜଙ୍ଗଲ ଜମିରେ ବ୍ୟକ୍ତିଗତ ଘରକୁ ରାସ୍ତା ନିର୍ମାଣ କରାଯାଇଛି। ତହସିଲ କାର୍ଯ୍ୟାଳୟରୁ କୌଣସି ସ୍ବୀକୃତିପତ୍ର ନଥାଇ ସରକାରୀ ଅର୍ଥ ବ୍ୟୟ କରାଯାଇ ସମସ୍ତ କାର୍ଯ୍ୟ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ବ୍ଲକ୍ ପ୍ରଶାସନ ସୂଚନା ପ୍ରଦାନ କରୁ ନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ, ଜଙ୍ଗଲ ନଷ୍ଟ କରିବା ସମ୍ପର୍କରେ ବନ ବିଭାଗ କିମ୍ବା ପ୍ରଶାସନ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ପନେଇଲୋ ବୃକ୍ଷ ଉତ୍ପାଦକ ସମବାୟ ସମିତି ସଭାପତି ରବିନାରାୟଣ ବେହେରା, ଉପସଭାପତି ଅମରି ବେହେରା, ସଭ୍ୟ କୁବେର ବେହେରା, ବନମାଳୀ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଏସବୁ ଅଭିଯୋଗ ସମ୍ପର୍କରେ ଓଡ଼ାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି, ‘ଏ ସଂପର୍କରେ ମୁଁ କିଛି ଜାଣି ନାହିଁ। ମାସେ ପୂର୍ବରୁ ମୁଁ ଏଠାକୁ ଆସିଛି। ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବାପରେ କହିପାରିବି।’