ଭୁବନେଶ୍ବର: ନିଶାଡ଼ିଙ୍କୁ ସୁଧାରି ଭଲ ବାଟକୁ ଆଣିବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ଭରସା କରନ୍ତି। କିନ୍ତୁ ଗତ କିଛି ଦିନ ହେଲା ରାଜଧାନୀର ବିଭିନ୍ନ ନିଶା ନିବାରଣ କେନ୍ଦ୍ରରୁ ମିଳୁଛି ମୃତଦେହ। ଭଲ ବାଟକୁ ଫେରିବା ପାଇଁ ଯାଇଥିବା ନିଶାଡ଼ି ଶବ ହୋଇ ଘରକୁ ଫେରୁଛି। ନିଶା ନିବାରଣ କେନ୍ଦ୍ର ପରିଚାଳକମାନେ ବଡ଼ ନିର୍ଦ୍ଦୟ ଭାବେ ଅନ୍ତେବାସୀଙ୍କୁ ପିଟିପିଟି ମାରି ଦେଉଥିବା ଅଭିଯୋଗ ହେଉଛି ଏବଂ କେତେକ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି ମଧ୍ୟ। ଆଜି ସେମିତି ଏକ ଅଭିଯୋଗ ଆସିଛି ଭରତପୁର ଥାନା ଅଞ୍ଚଳରୁ। ଭରତପୁରସ୍ଥିତ ୟୁଏମ୍ଆଇଡି ଫାଉଣ୍ଡେସନ ପରିଚାଳିକ କେନ୍ଦ୍ରରେ ଅନ୍ତେବାସୀ ଭାବେ ଥିବା ଜଣେ ବରିଷ୍ଠ ନାଗରିକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସେ ହେଲେ ଖୋର୍ଦ୍ଧା ଜିଲ୍ଲା ଗୁଡ଼ୁମ ଅଞ୍ଚଳର ଅରୁଣ କୁମାର ବେହେରା(୬୦)। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତେବେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲକୁ ପଠାଇଛି।
ସୂଚନା ମୁତାବକ ପ୍ରାୟ ୩/୪ଦିନ ତଳେ ପରିବାର ଲୋକ ଅରୁଣଙ୍କୁ ଆଣି ୟୁଏମ୍ଆଇଡି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ସନ୍ଧ୍ୟାରେ ଅରୁଣଙ୍କ ମୃତଦେହ କେନ୍ଦ୍ର ଭିତରେ ଝୁଲୁଥିବା ଦେଖି କର୍ମଚାରୀମାନେ ପୁଲିସକୁ ଜଣାଇବା ସହ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ଅରୁଣଙ୍କ ପରିବାର ଲୋକେ ମଧ୍ୟ ପହଞ୍ଚିଥିଲେ। ହେଲେ ଅରୁଣଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଦେଖି ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଅରୁଣଙ୍କୁ ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବାକୁ କର୍ମଚାରୀମାନେ ଅପଚେଷ୍ଟା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।
କେନ୍ଦ୍ରରେ ଏତେ କର୍ମଚାରୀ ଓ ଅନ୍ତେବାସୀ ରହୁଥିବା ବେଳେ ଅରୁଣ କିଭଳି ଝୁଲିପଡ଼ିଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ବିଳମ୍ବିତ ରାତିଯାଏ ଚାପା ଉତ୍ତେଜନା ସ୍ଥିତି ଲାଗିରହିଥିଲା। ପୁଲିସ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅରୁଣଙ୍କ ମୃତ୍ୟୁର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି। ଅନ୍ୟ ପକ୍ଷରେ ପୁଲିସ କେନ୍ଦ୍ରର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଅନ୍ତେବାସୀମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ଦେଇଛି।
ନିୟମକୁ ଆଖି ଠାର, ପ୍ରଶାସନ ନିଦାବିଷ୍ଣୁ
ବଡ଼କଥା ହେଉଛି, ସରକାରୀସ୍ତରରେ ନିଶା ନିବାରଣ କେନ୍ଦ୍ରକୁ ତାଗିଦ୍ କରିବା ପାଇଁ ଅନେକ ନିୟମ ରହିଛି। ପ୍ରାୟ ୧୫ ଜଣ ଅନ୍ତେବାସୀ ରହୁଥିବା କେନ୍ଦ୍ରରେ ସର୍ବନିମ୍ନ ୨ରୁ ୩ଟି ଶୌଚାଳୟ ରହିବ। ଅନ୍ତେବାସୀ ଖଟରେ ଶୋଇବେ। କେନ୍ଦ୍ର ପରିସର ସବୁବେଳେ ସଫାସୁତରା ରଖାଯିବ। କେଉଁଦିନ, କେଉଁ ଖାଦ୍ୟ ଖାଇବେ, ତାହାର ଏକ ତାଲିକା ପ୍ରସ୍ତୁତ କରାଯିବ। ଠିକ୍ ସମୟରେ ଚିକିତ୍ସା ସହ ଔଷଧ ଦିଆଯିବ। ଅନ୍ତେବାସୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଯିବ। ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ନିୟୋଜିତ ରହିବେ। କୌଣସି ଆପତ୍ତିଜନକ କିମ୍ବା ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ସାମଗ୍ରୀ ରହିବ ନାହିଁ। ଅଭିଜ୍ଞ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କିନ୍ତୁ ଏବେ ଯାହା ଦେଖାଯାଉଛି, ସବୁ କେନ୍ଦ୍ରରେ ବାସ୍ତବ ସ୍ଥିତି ଭିନ୍ନ। ନିଶା ନିବାରଣ କେନ୍ଦ୍ରଗୁଡ଼ିକ ନିୟମ ପାଳନ କରୁଛନ୍ତି କି ନାହିଁ ତାହାର ନିୟମିତ ଯାଞ୍ଚ ହେଉନାହିଁ। ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ଏ ଦିଗରେ ଚିନ୍ତା କରୁନାହାନ୍ତି। ତେଣୁ ନିୟମକୁ ଆଖିଠାର ମାରି ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମନଇଚ୍ଛା ନିଶା ନିବାରଣ କେନ୍ଦ୍ର ଖୋଲୁଥିବାର ଅଭିଯୋଗ ହେଉଛି। ଏଣେ ନିଶା ନିବାରଣ କେନ୍ଦ୍ର ଖୋଲି ଅନୁଷ୍ଠାନମାନେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗରୁ ଅନୁଦାନ ପାଇ ମୋଟା ରକମର ଅର୍ଥ ରୋଜଗାର କରୁଛନ୍ତି।
୬ ମାସରେ ଆଖି ବୁଜିଲେଣି ୪ ଅନ୍ତେବାସୀ
ରାଜଧାନୀରେ ଛତୁ ଫୁଟିଲା ଭଳି ନିଶା ନିବାରଣ କେନ୍ଦ୍ର ଖୋଲିଛି। ଉଦ୍ବେଗର କଥା, ନିଶାମୁକ୍ତ କରିବା ବାହାନାରେ ନିବାରଣ କେନ୍ଦ୍ରର କର୍ମଚାରୀମାନେ ନିଶାଡ଼ିଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ଗତ ୬ମାସ ମଧ୍ୟରେ ରାଜଧାନୀର ବିଭିନ୍ନ ନିଶା ନିବାରଣ କେନ୍ଦ୍ରରେ ୪ ଅନ୍ତେବାସୀ ଆଖି ବୁଜିଲେଣି। ହତ୍ୟା ଅଭିଯୋଗ ହେଉଥିଲେ ବି ପ୍ରକୃତ ତଦନ୍ତ ହେଉନାହିଁ କି ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସୁନାହିଁ। କେତେକ ମାମଲାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଯାଉଛି। ଆଉ ଧୀରେ ଧୀରେ ମାମଲା ଆଗକୁ ନବଢ଼ି ପୁଲିସ ଫାଇଲ୍ ତଳେ ଚାପି ହୋଇ ରହିଯାଉଛି। ନିକଟରେ ଘଟିଥିବା କିଛି ଘଟଣା।
ଫେବ୍ରୁଆରି ୨: ମଞ୍ଚେଶ୍ବର ଥାନା ଭୋଟପଡ଼ାସ୍ଥିତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ସର୍ବେଶ୍ବର ବେହେରାଙ୍କ ମୃତ୍ୟୁ ଘଟିଥିଲା। ସର୍ବେଶ୍ବରଙ୍କୁ ପ୍ରବଳ ମାଡ଼ ମରାଯାଇଥିବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁକରିବା ସହ ନିଶା ନିବାରଣ କେନ୍ଦ୍ରକୁ ସିଲ୍ କରିବା ସହ ୩ଜଣଙ୍କୁ ଗିରଫ କରିଥିଲା।
ଏପ୍ରିଲ୍ ୧୩: ଧଉଳି ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ର ‘ଶ୍ରଦ୍ଧା’ରେ ଲକ୍ଷ୍ମୀସାଗର ଥାନା ଲକ୍ଷ୍ମୀନାରାୟଣସାହିର ବିକ୍ରମ ଲେଙ୍କା ଓରଫ୍ ବଣ୍ଟି(୨୭)ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥବା ନେଇ ବାପା ବିଜୟ ଲେଙ୍କା ଥାନାରେ ଅଭିଯୋଗ କରିଥିଲେ।
ନଭେମ୍ବର ୧: ଖଣ୍ଡଗିରି ଥାନା କୋଳଥିଆସ୍ଥିତ ନିଶା ନିବାରଣ କେନ୍ଦ୍ର ‘ନିଷ୍ଠା’ର ଅନ୍ତେବାସୀ ରାଜୀବ ଶ୍ରୀଚନ୍ଦନଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଖଣ୍ଡଗିରି ଥନାରେ ଅଭିଯୋଗ ହୋଇଥିଲା। ପରିବାର ଲୋକ ଏବଂ ସାଙ୍ଗ ମାନସଙ୍କ ଅଭିଯୋଗ ମୁତାବକ ଘଟଣା ଦିନରୁ ସପ୍ତାହ ତଳେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ରାଜୀବ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଥିଲେ।