ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଶା ନିବାରଣ କେନ୍ଦ୍ର ନାଁରେ ବେପାର

ବାରିପଦା : ସହଜ ରୋଜଗାରର ଭଲ ମାଧ୍ୟମ ପାଲଟିଛି ନିଶା ନିବାରଣ କେନ୍ଦ୍ର। ଜିଲ୍ଲା ପ୍ରଶାସନର ନାକ ନିଶ ତଳେ ବାରିପଦା ସହରରେ ଛତୁ ଫୁଟିଲା ଭଳି ନିଶା ନିବାରଣ କେନ୍ଦ୍ର ଖୋଲାଯାଉଛି। ଏଜେଣ୍ଟମାନଙ୍କ ଜରିଆରେ ନିଶାସକ୍ତମାନଙ୍କୁ କେନ୍ଦ୍ରକୁ ଅଣାଯାଇ ନିଶା ଛଡ଼ାଇବା ଆଳରେ ମାସକୁ ମାସ ମୋଟା ଅଙ୍କର ଟଙ୍କ‌ା ଆଦାୟ କରାଯାଉଛି। ତେବେ ଛୋଟଛୋଟ କଥାରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ମଧ୍ୟ ଦିଆଯାଉଛି। ଘଟଣା ଲୋକଲୋଚନକୁ ଆସିଲେ ପ୍ରଶାସନ ତତ୍ପରତା ଦେଖାଉଛି, ତା ପରେ ସବୁ ଚୁପ୍। ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମାବଳି ରହିଛି। ବିନା ଅନୁମତିରେ କେହି କେନ୍ଦ୍ର ଖୋଲି ପାରିବେ ନାହିଁ। କେନ୍ଦ୍ର ଖୋଲିବା ପୂର୍ବରୁ ପ୍ରଶାସନ ନିକଟରେ ଆବେଦନ କରିବେ। ପ୍ରଶାସନ ପକ୍ଷରୁ ଅନୁମତି ମିଳିଲେ ଯାଇ କେନ୍ଦ୍ର ଖୋଲା ଯାଇପାରିବ। ତେବେ ଏତେ ସବୁ ନିୟମ ଥାଇ ବି ବାରିପଦାରେ ବେଆଇନ ଭାବେ ନିଶା ନିବାରଣ କେନ୍ଦ୍ର ଖୋଲୁଥିବା ବେଳେ ଏ ଦିଗରେ ପ୍ରଶାସନ ଆଖି ବୁଜି ଦେଇଛି।

ବାରିପଦା ସହରରେ ଏବେ ୧୦ଟି ନିଶା ନିବାରଣ କେନ୍ଦ୍ର ଚାଲିଛି। ସେଥିମଧ୍ୟରୁ ଗୋଟିଏକୁ ଅନୁମତି ମିଳିଥିବା ବେଳେ ବାକି ୯ଟି କେନ୍ଦ୍ର ବେଆଇନ ଭ‌ାବେ ଚାଲିଛି। ପାଲବଣୀ ନିକଟରେ କେନ୍ଦ୍ର ସରକାରଙ୍କ ଅଧୀନରେ ‘ଆଇଆର୍‌ସିଏ ନାଁରେ ଏକ ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। ଆର୍‌ଡିଏସ୍‌ସି ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ପରିଚାଳିତ ଏହି କେନ୍ଦ୍ରରେ ଅତି ବେଶୀରେ ୧୫ ଜଣ ଅନ୍ତେବାସୀ ରହିବାର ନିୟମ ରହିଛି। ‌ତେବେ କେନ୍ଦ୍ରରେ କେତେ ଅନ୍ତେବାସୀ ରହୁଛନ୍ତି, ସେ ନେଇ ପ୍ରଶାସନ ପାଖରେ ଖବର ନାହିଁ। ଏହାକୁ ବାଦ୍ ଦେଲେ ସହରର ବିଭିନ୍ନ ସ୍ଥାନରେ ନିଶା ନିବାରଣ କେନ୍ଦ୍ର ଚାଲିଛି। ଏସବୁ କେନ୍ଦ୍ରଗୁଡିକ ସରକାରଙ୍କ ପକ୍ଷରୁ କୌଣସି ଅନୁଦାନ ପାଉନଥିବା ବେଳେ ରହୁଥିବା ଅନ୍ତେବାସୀଙ୍କ ପରିବାର ପାଖରୁ ମାସକୁ ମାସ ମୋଟା ଅଙ୍କର ଟଙ୍କା ଆଦାୟ କରି ମାଲିକମାନେ ଭଲ ରୋଜଗାର କରୁଥିବା ଅଭିଯୋଗ ହୋଇଛି।

୨ ବର୍ଷ ପୂର୍ବେ ୨/୩ଟି ନିଶା ନିବାରଣ କେନ୍ଦ୍ର ଥିବା ବେଳେ ଏବେ ଏହି ସଂଖ୍ୟା ଦୁଇଅଙ୍କ ଛୁଇଁଲାଣି। ଏସବୁ କେନ୍ଦ୍ରଗୁଡ଼ିକ ଅନୁମତି ପାଇଁ ପ୍ରଶାସନ ନିକଟରେ କେବେ ବି ଆବେଦନ କରିନଥିବା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ୨୦୧୭ ମସିହାରେ କେବଳ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଆବେଦନ କରାଯାଇଥିଲା। ତେବେ କେନ୍ଦ୍ର ଖୋଲିବା ନିମନ୍ତେ ମାନଦଣ୍ଡ ପୂରଣ କରୁନଥିବାରୁ ଏହାକୁ ଅନୁମତି ଦିଆଯାଇ ନଥିଲା। ତା ସତ୍ତ୍ବେ କେନ୍ଦ୍ର ମାଲିକ ଅବନୀ ପତି ମନଇଛା କେନ୍ଦ୍ର ଚଳାଇଥିଲେ। ୧୦ ମାସ ତଳେ ସେଠାରେ ଜଣେ ଅନ୍ତେବାସୀଙ୍କୁ ମାଡ଼ ମାରିବା ଓ ପାଦ ଚଟାଇବାର ଫଟୋ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟ‌ାନୁଷ୍ଠାନ ସ୍ବରୂପ ଉକ୍ତ କେନ୍ଦ୍ରକୁ ସିଲ୍ କରି ଦିଆଯାଇଥିଲା। ମାଲିକ ଶ୍ରୀ ପତିଙ୍କୁ ପୁଲିସ ଗିରଫ କରିଥିଲା। ହେଲେ ବିଭିନ୍ନ ନାଁରେ ସହରରେ ଚାଲିଥିବା ଆଉ ୯ଟି ନିଶା ନିବାରଣ କେନ୍ଦ୍ର କଥା ପ୍ରଶାସନ ଭୁଲି ଯାଇଛି। କିଛି ସରକାରୀ ବାବୁ ଓ ରାଜନେତାଙ୍କ ଛତ୍ରଛାୟାରେ ଏହି ସବୁ କେନ୍ଦ୍ର ଚାଲୁଥିବା ଅଭିଯୋଗ ହୋଇଛି।

ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜଙ୍କୁ ପଚରାଯିବାରୁ ବେଆଇନ ଭାବେ ଚାଲିଥିବା ନିଶା ନିବାରଣ କେନ୍ଦ୍ରଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ ୧୦ ମାସ ତଳେ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଘଟଣ ଓ ୨ ଦିନ ପୂର୍ବେ ଆଉ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ଅମାନୁଷିକ ମାଡ଼ ମାରିବା ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରଶାସନ ଏ ଦିଗରେ କଣ ପଦକ୍ଷେପ ନେଉଛି, ତାରି ଉପରେ ସମସ୍ତଙ୍କର ନଜର ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।