ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଶାସାମଗ୍ରୀ ପରୀକ୍ଷା ବ୍ୟବସ୍ଥାରେ ଅଚଳାବସ୍ଥା: ୩ ବିଶେଷଜ୍ଞଙ୍କୁ ନେଇ ଚାଲିଛି ପରୀକ୍ଷା

କଟକ : ଗୋଟିଏ ସମୟରେ ରାଜ୍ୟରେ ଅବକାରୀ ବିଭାଗ ଜବତ କରୁଥିବା ନିଶା ସାମଗ୍ରୀର ରିପୋର୍ଟ ସର୍ବାଧିକ ୧୫ ଦିନ ଭିତରେ ଲାବରେଟୋରିରୁ ମିଳିଯାଉଥିଲା। କିନ୍ତୁ, ଏବେ ତିନୋଟି ଡିଭିଜନାଲ୍ ଏକ୍ସାଇଜ୍‌ ଟେଷ୍ଟିଂ ଲାବରେଟୋରିରେ ସ୍ଥାୟୀ କେମିକାଲ୍ ଏକଜାମିନର୍ ଓ ଲାବରେଟୋରି ଆସିଷ୍ଟାଣ୍ଟ ନାହାନ୍ତି। ତିନିଜଣ ଅବସରପ୍ରାପ୍ତ କେମିକାଲ୍ ପରୀକ୍ଷକ ସାରାରାଜ୍ୟର ସମସ୍ତ ନିଶା ସାମଗ୍ରୀର ପରୀକ୍ଷା ଦାୟିତ୍ବ ନେଇଛନ୍ତି। ଯାହାଫଳରେ, ରିପୋର୍ଟ ମିଳିବାକୁ ଏବେ ତିନିମାସରୁ ଉର୍ଦ୍ଧ୍ବ ସମୟ ଲାଗି ଯାଉଛି। ରିପୋର୍ଟ ବିଳମ୍ବରେ ଆସୁଥିବାରୁ ଅଭିଯୁକ୍ତଙ୍କୁ ଜାମିନ୍ ମିଳିବା, ଶୁଣାଣିରେ ବିଳମ୍ବ ଏବଂ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ସଂଖ୍ୟା ବଢ଼ିବାରେ ଲାଗିଛି।

ଅବକାରୀ ବିଭାଗ ଜବତ କରୁଥିବା ମଦ, ଗଞ୍ଜେଇ, ବ୍ରାଉନସୁଗାର, ଅଫିମ ଇତ୍ୟାଦି ନିଶା ସାମଗ୍ରୀ ଭୁବନେଶ୍ବରରେ ଥିବା ରାଜ୍ୟ ଡ୍ରଗ୍ ଟେଷ୍ଟିଂ ଲାବରେଟୋରିରେ ପରୀକ୍ଷା ହୋଇଆସୁଥିଲା। ସାରାରାଜ୍ୟରେ ଅବକାରୀ ଓ ପୁଲିସ ଜବତ କରୁଥିବା ନିଶା ସାମଗ୍ରୀ ଗୋଟିଏ ସ୍ଥାନରେ ପରୀକ୍ଷା ହେବାଫଳରେ ମାମଲାର ବୋଝ ଲାବରେଟୋରିର କର୍ମଚାରୀଙ୍କ ଉପରେ ବୃଦ୍ଧି ପାଇଥିଲା। ୨୦୧୧ ପରଠାରୁ ରାଜ୍ୟରେ ତିନୋଟି ଡିଭିଜନଲାନ୍ ଏକ୍ସାଇଜ୍ ଟେଷ୍ଟିଂ ଲାବରେଟୋରି କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେଲା। ରାଜ୍ୟ ଲାବରେଟୋରିରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଗଲା। ପ୍ରତି ଲାବରେଟୋରିରେ ଜଣେ ଲେଖାଏଁ କେମିକାଲ୍ ଏକ୍‌ଜାମିନର୍ ଓ ଲାବରେଟୋରି ଆସିଷ୍ଟାଣ୍ଟଙ୍କୁ ନିୟୋଜିତ କରାଯାଇଥିଲା। ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଲେଖାଏଁ ଏସ୍‌ଆଇ, ଏଏସ୍‌ଆଇ ଓ ଦୁଇ ଜଣ କନଷ୍ଟେବଳଙ୍କୁ ନିଯୁକ୍ତ କରାଯାଇଥିଲା। ମଦ, ଗଞ୍ଜେଇ ଓ ଭାଙ୍ଗ ଡିଭିଜନାଲ୍ ଏକ୍ସାଇଜ୍ ଟେଷ୍ଟିଂ ଲାବରେଟୋରିରେ ପରୀକ୍ଷା ହେଉଥିବା ବେଳେ ବ୍ରାଉନସୁଗାର, ଅଫିମ ଓ ଚରସ୍ ରାଜ୍ୟ ଡ୍ରଗ୍ ଟେଷ୍ଟିଂ ଲାବରେଟୋରିକୁ ପଠାଯାଉଥିଲା। ଅଫିମ, ଚରସ, ବ୍ରାଉନସୁଗାର ରିପୋର୍ଟ ୧୫ ଦିନରୁ ଏକ ମାସ ମଧ୍ୟରେ ରାଜ୍ୟ ଲାବରେଟୋରିରୁ ମିଳି ଯାଉଥିଲା। ମଦ ପରୀକ୍ଷା ରିପୋର୍ଟ ମାତ୍ର ପାଞ୍ଚ ମିନିଟରେ ପ୍ରସ୍ତୁତ ହୋଇଯାଉଥିବା ବେଳେ ଗଞ୍ଜେଇ ଓ ଭାଙ୍ଗ ରିପୋର୍ଟ ଦୁଇରୁ ତିନିଦିନ ଭିତରେ ଆସିଯାଉଥିବା ଜଣେ ବରିଷ୍ଠ ଅବକାରୀ ଅଧିକାରୀ କହିଛନ୍ତି।

ମାତ୍ର, ବର୍ତ୍ତମାନ ଏହି ଡିଭିଜନାଲ୍ ଏକ୍ସାଇଜ୍ ଟେଷ୍ଟିଂ ଲାବରେଟୋରିରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ପ୍ରତି ଲାବରେଟୋରିରେ ଜଣେ ଲେଖାଏ ଅବସରପ୍ରାପ୍ତ କେମିକାଲ୍ ଏକଜାମିନର ଦାୟିତ୍ବରେ ଅଛନ୍ତି। ତାଙ୍କୁ ସହଯୋଗ କରିବାକୁ କୌଣସି ସ୍ଥାନରେ ଲାବରେଟୋରି ଆସିଷ୍ଟାଣ୍ଟ ନାହାନ୍ତି। ଜଣେ ମାତ୍ର କନଷ୍ଟେବଳ ଅବସରପ୍ରାପ୍ତ କେମିକାଲ୍ ଏକଜାମିନରଙ୍କୁ ସହଯୋଗ କରୁଛନ୍ତି। କନଷ୍ଟେବଳଙ୍କ କୌଣସି ପରୀକ୍ଷା ସମ୍ପର୍କିତ ଜ୍ଞାନ ନଥିବା ବେଳେ ଏମାନେ କେବଳ ରେକର୍ଡ ତଦାରଖ ଛଡ଼ା ଅନ୍ୟ କୌଣସି କାମରେ ସହଯୋଗ କରିପାରୁ ନାହାନ୍ତି। ଫଳରେ, ରିପୋର୍ଟ ମିଳିବା ବିଳମ୍ବିତ ହେଉଛି।

ଅବକାରୀ ବିଭାଗର ସୂଚନା ମୁତାବକ, ରାଜ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୩୯ ହଜାର ୭୪୧ଟି ଅବକାରୀ ମାମଲା ରୁଜୁ ହୋଇଥିଲା। ଯାହାକି ପୂର୍ବ ବର୍ଷ ତୁଳନାରେ ୫୮.୫୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି। ଏହି ଆର୍ଥିକ ବର୍ଷରେ ଏନଡିପିଏସ୍ ମାମଲା ୬୮୬ଟି ରହିଥିଲା। ମାମଲା ରୁଜୁ ସଂଖ୍ୟା ଓ ସେହି ଅନୁପାତରେ ନକଲି ମଦ, ଗଞ୍ଜେଇ, ବ୍ରାଉନସୁଗାର, ଅଫିମ ଜବତ ସଂଖ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟରେ ମୋଟ ତିନି ଜଣ କେମିକାଲ୍ ଏକଜାମିନର୍ କିଭଳି ଭାବେ ବାର୍ଷିକ ୩୯ ହଜାରରୁ ଉର୍ଦ୍ଧ୍ବ ମାମଲାରେ ଜବତ ସାମଗ୍ରୀକୁ ପରୀକ୍ଷା କରିବେ, ତାହା ଏବେ ବଡ଼ ପ୍ରଶ୍ନ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।