ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଚତୁର୍ଦଶ ସଂସ୍କରଣ ପାଇଁ ନିଲାମ ଆସନ୍ତା ଫେବ୍ରୁଆରି ୧୮ ତାରିଖରେ ଚେନ୍ନାଇରେ ହେବ। ଏନେଇ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ସନ୍ରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ୨୨ ଖେଳାଳିଙ୍କୁ ନିଜ ପାଖରେ ରଖିଥିଲା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ଖେଳାଳିଙ୍କୁ ରଖିଛି। ଏହି ଦଳ ଦିଲ୍ଲୀ କ୍ୟାପିଟାଲ୍ସରୁ ଡାନିଏଲ୍ ସାମ୍ସ ଏବଂ ହର୍ଷଲ ପଟେଲଙ୍କୁ କିଣିଛି। କିଙ୍ଗ୍ସ ଏକାଦଶ ପଞ୍ଜାବ ସର୍ବାଧିକ ବଳକା ଅର୍ଥରାଶି (୫୩.୨୦ କୋଟି) ସହ ନିଲାମକୁ ଯାଉଥିଲା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୩୫.୯୦ କୋଟି ରହିଛି। କୋଲ୍କାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ସବୁଠୁ କମ୍ ବଳକା ରାଶି ସହ ନିଲାମକୁ ଯିବେ। ଉଭୟ ଫ୍ରାଞ୍ଚାଇଜ୍ ପାଖରେ ୧୦.୭୫ କୋଟି ଲେଖାଏଁ ରହିଛି। ଅନ୍ୟପକ୍ଷରେ ଷ୍ଟିଭ୍ ସ୍ମିଥ୍ଙ୍କୁ ଛାଡ଼ିଦେଇ ସଞ୍ଜୁ ସାମ୍ସନ୍ଙ୍କୁ ନେତୃତ୍ବ ଭାର ଅର୍ପଣ କରିଥିବା ରାଜସ୍ଥାନ ରୟାଲ୍ସ ପ୍ରାୟ ତିନିଟି ବିଦେଶୀ ଖେଳାଳିଙ୍କ ସ୍ଥାନ ପୂରଣ କରିବାକୁ ଥିଲା ବେଳେ ଏହା ପାଖରେ ୩୪.୮୫ କୋଟି ବଳକା ରାଶି ରହିଛି। କିଙ୍ଗ୍ସ ଏକାଦଶ ପଞ୍ଜାବ ତା’ର ୫ ବିଦେଶୀ ଖେଳାଳିଙ୍କ ସ୍ଥାନ ପୂରଣ କରିବାକୁ ଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ବାଙ୍ଗାଲୋର ମଧ୍ୟ ୪ ଲେଖାଏଁ ବିଦେଶୀ ଖେଳାଳିଙ୍କୁ କିଣିପାରିବେ।
ଦୁଇଟି ଆର୍ଟି-ପିସିଆର୍ ନେଭେଟିଭ୍ ବାଧ୍ୟତାମୂଳକ: ମାଲିକଙ୍କ ପାଇଁ ସଂଗରୋଧ ନାହିଁ
ଆଇପିଏଲ୍ ନିଲାମରେ ଯୋଗଦେବା ପାଇଁ ଫ୍ରାଞ୍ଚାଇଜ୍ ମାଲିକମାନଙ୍କ ପାଇଁ କୌଣସି ସଂଗରୋଧର ଆବଶ୍ୟକତା ନାହିଁ। ହେଲେ ଯଦି ସେମାନେ ଚେନ୍ନାଇରେ ଫେବ୍ରୁଆରି ୧୮ରେ ଆୟୋଜିତ ନିଲାମ ପ୍ରକ୍ରିୟାର ଅଂଶବିଶେଷ ହେବାକୁ ଚାହୁଁଥିଲେ ଦୁଇ ଥର ଆର୍ଟି-ପିସିଆର୍ ପରୀକ୍ଷାର ନେଗେଟିଭ୍ ରିପୋର୍ଟ ନିୟମକୁ ପୂରଣ କରିବାକୁ ପଡ଼ିବ। ଏହା ବାଧ୍ୟତାମୂଳକ ବୋଲି ବୁଧବାର ବିସିସିଆଇ ଫ୍ରାଞ୍ଚାଇଜ୍ ମାଲିକ ଓ ପ୍ରତିନିଧିମାନଙ୍କୁ ଅବଗତ କରାଇଛି। ନିଲାମ ଦିନର ୭୨ ଘଣ୍ଟା ପୂର୍ବରୁ ଗୋଟିଏ ପରୀକ୍ଷା ଏବଂ ନିଲାମ ସ୍ଥଳ (ଗ୍ରାଣ୍ଡ୍ ଛୋଲା, ଚେନ୍ନାଇ)ରେ ପହଞ୍ଚିବା ମାତ୍ରେ ଆଉ ଏକ ପରୀକ୍ଷା କରିବା ବାଧ୍ୟ। ଉଭୟ ପରୀକ୍ଷାର ରିପୋର୍ଟ ମଧ୍ୟ ନେଗେଟିଭ୍ ରହିବା ବାଧ୍ୟତାମୂଳକ ବୋଲି ବିସିସିଆଇ ସିଇଓ ହେମାଙ୍ଗ ଅମିନ ମେଲ୍ ଯୋଗେ ସ୍ପଷ୍ଟ ସୂଚନା ଦେଇଛନ୍ତି। ଅମିନଙ୍କ ମେଲ୍ ଅନୁଯାୟୀ, ପ୍ରତ୍ୟେକ ଫ୍ରାଞ୍ଚାଇଜ୍ଙ୍କ ପକ୍ଷରୁ କେବଳ ୧୩ ଲେଖାଏଁ ସଦସ୍ୟ ନିଲାମ ସ୍ଥଳକୁ ପ୍ରବେଶ ଅନୁମତି ପାଇବେ। ତେଣୁ ଉପସ୍ଥିତ ରହିବାକୁ ଥିବା ସଦସ୍ୟଙ୍କ ନାମ ଫେବ୍ରୁଆରି ୫ ତାରିଖ ସୁଦ୍ଧା ସ୍ପଷ୍ଟ କରିବାକୁ ବିସିସିଆଇ କହିଛି। ୧୩ ଜଣଙ୍କ ମଧ୍ୟରୁ ୮ ଜଣ ନିଲାମ ଟେବୁଲରେ ବସିପାରିବେ ଏବଂ ଅବଶିଷ୍ଟ ୫ ଜଣ ଗ୍ୟାଲେରିରେ ବସିବେ ବୋଲି ବିସିସିଆଇ ଜଣାଇଦେଇଛି।
ଟାଇଟଲ୍ ପ୍ରାୟୋଜକ ଯୋଗାଡ଼ ହୋଇନି
ଫେବ୍ରୁଆରି ୧୮ରେ ଆଇପିଏଲ୍ ନିଲାମ ହେବାକୁ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟାଇଟଲ୍ ପ୍ରାୟୋଜକ ଯୋଗାଡ଼ ହୋଇପାରିନି। ଆଇପିଏଲ୍ ଅଫିସିଆଲ ମେଲ୍ରେ ଏନେଇ କୌଣସି ସ୍ପଷ୍ଟ ଆଭାସ ମଧ୍ୟ ଦିଆଯାଇନାହିଁ। ଫଳରେ ଏବେ ବି ଆଇପିଏଲ୍ ଟାଇଟଲ ପ୍ରାୟୋଜକ ସନ୍ଧାନରେ ରହିଛି। ଅବଶ୍ୟ ବିସିସିଆଇ ଏବେ ବି ପ୍ରକୃତ ପ୍ରାୟୋଜକ ‘ଭିଭୋ’ର ପ୍ରତ୍ୟାବର୍ତ୍ତନକୁ ଉନ୍ମୁକ୍ତ ରଖିଛି। ଭାରତ-ଚୀନ୍ ସୀମାରେ ଉତ୍ତେଜନା ଯୋଗୁଁ ‘ଭିଭୋ’ ଗୋଟିଏ ବର୍ଷ ପାଇଁ ଚୁକ୍ତିରୁ ଓହରି ଯାଇଥିଲା। ଏହାର ଅନୁପସ୍ଥିତିରେ ଡ୍ରିମ୍-୧୧ ଆଇପିଏଲ୍ ସହ ସାମିଲ ହୋଇଥିଲା। ହେଲେ ଡ୍ରିମ୍-୧୧ ସହ କେବଳ ୨୦୨୦ ସଂସ୍କରଣ ପାଇଁ ଚୁକ୍ତି ହୋଇଥିଲା। ଯାହାକି ଗତବର୍ଷ ଡିସେମ୍ବର ୩୧ ତାରିଖରେ ପୂରିଯାଇଛି।