କଟକ: ଅର୍ଥତତ୍ତ୍ବ ଗ୍ରୁପ ଅଫ୍ କମ୍ପାନିଜର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରାଯିବା ସହିତ ନିଲାମ ହେବ। ଚିଟ୍ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ କଟକ ସ୍ବତନ୍ତ୍ର ଅଦାଲତ (ଡେଜିଗ୍ନେଟେଡ୍ କୋର୍ଟ) ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଅର୍ଥତତ୍ତ୍ବ ସଂସ୍ଥାର ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଗଞ୍ଜାମ (ଛତ୍ରପୁର), ବାଲେଶ୍ବର (ରେମୁଣା) ଓ ଅନ୍ୟ ସ୍ଥାନରେ ଥିବା ୧୧୦ ଏକର ଜମି, ୧୧ଟି ଦାମି ଗାଡ଼ି, ୯ଟି ବ୍ୟାଙ୍କରେ ଥିବା ୨ କୋଟି ୧୭ ଲକ୍ଷ ୨୦ ହଜାର ୬୪୪ ଟଙ୍କା ବାଜ୍ୟାପ୍ତି କରାଯାଇ ସ˚ପୃକ୍ତ ଅର୍ଥକୁ ଏହି ଚିଟ୍ଫଣ୍ତ୍ ସ˚ସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧୢରେ ବଣ୍ଟନ କରାଯିବ।
ମାମଲାର ବିବରଣୀରୁ ପ୍ରକାଶ ଯେ ଜମାକାରୀଙ୍କୁ ଠକିବା ନେଇ ଅର୍ଥତତ୍ତ୍ବ ବିରୋଧରେ ଭୁବନେଶ୍ବର ଖାରବେଳନଗର ଥାନାରେ ପ୍ରଥମେ ଏତଲା ରୁଜୁ ହୋଇଥିଲା। ବିଭିନ୍ନ ଯୋଜନାରେ ଜମାକାରୀଙ୍କ ନିକଟରୁ ଅର୍ଥତତ୍ତ୍ବ ଟଙ୍କା ସଂଗ୍ରହ କରି ପ୍ରତିଶ୍ରୁତି ପାଳନ କରି ନଥିବା ଜମାକାରୀ ଅଭିଯୋଗ କରିଥିଲେ। ଏହାପରେ ସଂସ୍ଥାର ବିଭିନ୍ନ ଜିଲ୍ଲାରେ ଥିବା ଜମି, ଏମ୍ଡି, ଅନ୍ୟ ନିର୍ଦ୍ଦେଶକ ଓ କମ୍ପାନି ନାଁରେ ଥିବା ଦାମି ଗାଡ଼ି ପୁଲିସ ଜବତ କରିଥିଲା। ଏଥିସହିତ ୯ଟି ବ୍ୟାଙ୍କରେ କମ୍ପାନି, ଏମଡି, ନିର୍ଦ୍ଦେଶକ ଓ ପଦାଧିକାରୀଙ୍କ ନାଁରେ ଥିବା ୯୬ଟି ଖାତାକୁ ତଦନ୍ତକାରୀ ସଂସ୍ଥା ଜବତ କରିଥିଲା। ଏହି ମାମଲାର ତଦନ୍ତ କରି ପୁଲିସ ଅର୍ଥତତ୍ତ୍ବ, ଏହାର ଏମଡି, ନିର୍ଦ୍ଦେଶକ ଓ ଅନ୍ୟ ପଦାଧିକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା।
୨୦୧୪ ପ୍ରାରମ୍ଭରେ ଅର୍ଥତତ୍ତ୍ବ ଜବତ ସଂପତ୍ତି ପ୍ରସଂଗରେ ଓପିଆଇଡି ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପାଇଁ କମିସନରେଟ ପୁଲିସ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ୨୦୧୪, ଫେବ୍ରୁଆରି ୮ରେ ଜାରି ମଧୢବର୍ତ୍ତିକାଳୀନ ନିର୍ଦ୍ଦେଶ (ଆଡ୍ ଇଣ୍ଟେରିମ୍ ଅର୍ଡର ଅଫ୍ ଆଟାଚମେଣ୍ଟ)ରେ ଅର୍ଥତତ୍ତ୍ବ ସଂସ୍ଥାର ଜବତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିଚାଳନା ଭାର ପ୍ରାଧିକୃତ ଅଧିକାରୀ ତଥା କଟକ ଏଡିଏମଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଏହା ପରେ ପ୍ରାଧିକୃତ ଅଧିକାରୀ କଟକ ସ୍ବତନ୍ତ୍ର ଅଦାଲତରେ ୨୦୧୪, ମାର୍ଚ୍ଚ ୧୪ରେ ଆବେଦନ କରିଥିଲେ। ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ, ଅନ୍ୟ ନିର୍ଦ୍ଦେଶକ, ପଦାଧିକାରୀଙ୍କ ସମେତ ୬୬ଜଣ ପ୍ରତିପକ୍ଷ ରହିଥିଲେ। ମାମଲାର ଶୁଣାଣି ସମୟରେ ଆବେଦନକାରୀ ପ୍ରାଧିକୃତ ଅଧିକାରୀ ତଥା ତତ୍କାଳୀନ କଟକ ଏଡିଏମ ବିଭୁତି ଭୂଷଣ ଦାସ, ତଦନ୍ତକାରୀ ଅଧିକାରୀ ମନୋଜ କୁମାର ସାମନ୍ତ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବା ସହିତ ଦାଖଲ ହୋଇଥିବା ୧୩୪ଟି ବିଭିନ୍ନ ନଥିପତ୍ର ଚିହ୍ନଟ କରିଥିଲେ। ଏଥି ମଧ୍ୟରେ କବଲା, ଚୁକ୍ତିପତ୍ର, ଗାଡି ପଞ୍ଜୀକରଣ ନଥିପତ୍ର, ବ୍ୟାଙ୍କ ଖାତା ସଂପର୍କିତ ରେକର୍ଡ ଥିଲା। ସ୍ବତନ୍ତ୍ର ଅଦାଲତ ବିଚାରପତି ମାମଲାର ଚୂଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ଅତିରିକ୍ତ ସ୍ବତନ୍ତ୍ର ପିପି ବିଶ୍ବଜିତ ମହାପାତ୍ର ସହାୟତା କରୁଥିଲେ।