ଖେଳ ରାଜ୍ୟ

ନିରାଶ କଲେ ରୋହିତ, କୋହଲି; ଆସିବେନି ବାରବାଟୀ

ମୁମ୍ବାଇ/ଭୁବନେଶ୍ବର : ଜୁନ୍ ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଓଡ଼ିଶା ଦର୍ଶକ ହିଟ୍ ମ୍ୟାନ୍ ରୋହିତଙ୍କ ଛକାମାଡ଼ ସହ ବିରାଟ କୋହଲିଙ୍କ ବ୍ୟାଟିଂ କମାଲ ଦେଖି ପାରିବେ ନାହିଁ। ସେହିଭଳି ମହମ୍ମଦ ସାମି କିମ୍ବା ଯଶପ୍ରୀତ ବୁମ୍‌ରାଙ୍କ ଶାଣିତ ବୋଲିଂ ଦେଖିବାରୁ ବି ବଞ୍ଚିତ ହେବେ। କାରଣ ଏହି ଶୃଙ୍ଖଳା ଲାଗି ଆଜି ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଏମାନେ ସ୍ଥାନ ପାଇ ନାହାନ୍ତି। ସମସ୍ତଙ୍କୁ ଲମ୍ବା ଆଇପିଏଲ୍ ଋତୁ ପରେ ବିଶ୍ରାମ ଦିଆଯାଇଛି। ପାଞ୍ଚବର୍ଷର ବ୍ୟବଧାନ ପରେ ବାରବାଟୀରେ କୌଣସି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳାଯିବାର ଥିଲା ବେଳେ ଏମାନଙ୍କ ଅନୁପସ୍ଥିତି ଘରୋଇ ପ୍ରଶଂସକଙ୍କୁ ନିଶ୍ଚିତ ଭାବେ ନିରାଶ କରିବ।

ଜୁନ୍ ୯ରୁ ୧୯ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ଦକ୍ଷିଣ ଆଫ୍ରିକା ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଇଂଲଣ୍ଡ ଗସ୍ତକୁ ଆଖି ଆଗରେ ରଖି ଏହି ଶୃଙ୍ଖଳାରୁ ଆଶାଜନକ ଭାବେ ନିୟମିତ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ଆଇପିଏଲ୍ ପ୍ରଦର୍ଶନ ଆଧାରରେ ଜମ୍ମୁ କାଶ୍ମୀର ତଥା ସନ୍‌ରାଇଜର୍ସ
ହାଇଦ୍ରାବାଦର ଦୁର୍ଦ୍ଧର୍ଷ ଯୁବ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ଏବଂ ପଞ୍ଜାବ କିଙ୍ଗ୍ସର ପ୍ରତିଭାବାନ ଦ୍ରୁତ ବୋଲର ଅର୍ଶଦୀପ ସିଂହ ପ୍ରଥମ ଥର ଲାଗି ଭାରତୀୟ ସୀମିତ ଓଭର ଦଳକୁ ଡାକରା ପାଇଛନ୍ତି। ଚଳିତ ଆଇପିଏଲ୍‌ରେ ନିୟମିତ ଭାବେ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବଲ୍ ପକାଇ ଚର୍ଚ୍ଚାକୁ ଆସିଥିବା‌ ଉମ୍ରାନ୍ ୧୪ ମ୍ୟାଚ୍ ଖେଳି ୨୨ ୱିକେଟ୍ ଦଖଲ କରିଛନ୍ତି। ସେହିଭଳି ଅର୍ଶଦୀପ ଜଣେ ଶ୍ରେଷ୍ଠ ଶେଷ ଓଭର ବୋଲର ଭା‌ବେ ନିଜକୁ ସ୍ଥାପିତ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି। ବହୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ କେଏଲ୍ ରାହୁଲଙ୍କୁ ଅଧିନାୟକ ଏବଂ ଋଷଭ ପନ୍ତଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଗୁଜରାଟ ଟାଇଟନ୍ସର ଅଧିନାୟକ ଓ ତାରକା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ୱି‌କେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଫେରିଛନ୍ତି। ଉଭୟ ଚଳିତ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଓପନର ଶିଖର ଧାୱନଙ୍କୁ କିନ୍ତୁ ଚୟନକର୍ତ୍ତା ବିଚାରକୁ ନେଇ ନାହାନ୍ତି। ଦୀପକ ଚହର, ରବୀନ୍ଦ୍ର ଜାଦେଜା, ସୂର୍ଯ୍ୟକୁମାର ଯାଦବ ସଂପୂର୍ଣ୍ଣ ଫିଟ୍ ନଥିବାରୁ ଦଳରେ ସୁଯୋଗ ପାଇ ନାହାନ୍ତି।

ସୂଚନାଯୋଗ୍ୟ ଯେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁନ୍ ୯, ୧୨, ୧୪, ୧୭ ଏବଂ ୧୯ ତାରିଖରେ ଯଥାକ୍ରମେ ନୂଆଦିଲ୍ଲୀ, କଟକ, ବିଶା‌ଖାପାଟଣା, ରାଜକୋଟ ଏବଂ ବେଙ୍ଗାଲୁରୁଠାରେ ଖେଳାଯିବ।

ଟେଷ୍ଟ୍ ଦଳକୁ ଫେରିଲେ ପୂଜାରା
ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏଜବାଷ୍ଟନଠାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଲାଗି ମଧ୍ୟ ରବିବାର ଭାରତୀୟ ଦଳ ଘୋଷିତ ହୋଇଛି। କାଉଣ୍ଟି କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ଅଭିଜ୍ଞ ମଧ୍ୟକ୍ରମ ତାରକା ଚେତେଶ୍ବର ପୂଜାରା ପୁଣି ଥରେ ଚୟନକର୍ତ୍ତାଙ୍କ ଭରସା ଜିତିଛନ୍ତି। ଏହି ମ୍ୟାଚ୍ ଲାଗି ରୋହିତ, କୋହଲି, ବୁମ୍‌ରା ଜୁନ୍ ୧୫ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ରୋହିତଙ୍କୁ ଏଥିଲାଗି ଅଧିନାୟକ ଏବଂ ରାହୁଲଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଋଷଭ ପନ୍ତ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଥିଲା ବେଳେ କେଏସ୍ ଭରତ ବିକଳ୍ପ ୱିକେଟ୍ ରକ୍ଷଣ ଭାବେ ଭାରତୀୟ ଦଳରେ ରହିଛନ୍ତି। ଚଳିତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ ସ‌ତ୍ତ୍ବେ ୟୁଝବେନ୍ଦ୍ର ଚହଲ କିମ୍ବା କୁଲଦୀପ ଯାଦବ ଟେଷ୍ଟ୍ ଦଳରେ ନାହାନ୍ତି। ଆର ଅଶ୍ବିନ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଦଳରେ ଅଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଲାଗି ଦଳ: କେଏଲ୍ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଈଶାନ କିଶନ, ଦୀପକ ହୁଦା, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେଶ ଖାନ୍, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଲାଗି ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, ହନୁମା ବିହାରୀ, ଚେତେଶ୍ବର ପୂଜାରା, ଋଷଭ ପନ୍ତ (ୱିକେଟ୍ ରକ୍ଷକ), କେଏସ୍ ଭରତ (ୱିକେଟ୍ ରକ୍ଷକ), ରବୀନ୍ଦ୍ର ଜାଦେଜା, ଆର ଅଶ୍ବିନ, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ