ବ୍ରହ୍ମପୁର ୦୯/୦୫ : ମାଛ ପାଇଁ ମହାଭାରତ । ଏମିତିକି ଦୁଇ ବୋହୂଙ୍କୁ ଘରୁ ବାହାର କରିଦେଲେ ଶ୍ଵଶୁର ଘର ଲୋକେ । ନ୍ୟାୟ ପାଇଁ ଶ୍ଵଶୁର ଘର ଆଗରେ ଧାରଣା ଦେଇଛନ୍ତି ଦୁଇ ଯା । ବ୍ରହ୍ମପୁର ମାର୍ଥାପେଟା ସାହିରେ ଘଟିଛି ଏଭଳି ଘଟଣା ।
ସୂଚନା ଥାଉକି, ରଶ୍ମି ବେହେରା ଓ ସସ୍ମିତା ବେହେରା ଦୁଇ ଭଉଣୀ ଗୋଟିଏ ଘରେ ବିବାହ କରିଥିଲେ । ବ୍ରହ୍ମପୁର ମାର୍ଥାପେଟା ସାହିରେ ହୋଇଥିଲା ଉଭୟଙ୍କର ବିବାହ । ଏହି ଦୁଇ ଭଉଣୀ ଦୁଇ ଭାଇଙ୍କୁ ପ୍ରେମ ବିବାହ କରିଥିଲେ । ଫଳରେ ରଶ୍ମି ଓ ସସ୍ମିତାଙ୍କର ଦୁଇଟି ଛୁଆ ମଧ୍ୟ ଅଛି । କିଛି ବର୍ଷ ହେବ ସେ ଶାଶୂଘର ଛାଡି ଅନ୍ୟତ୍ର ରହୁଥିଲେ । ତେବେ ଗତ କିଛି ଦିନ ହେବ ସେ ଶାଶୂଘରକୁ ବୁଲିବାକୁ ଆସିଥିଲେ ।
ରବିବାର ରାତିରେ ଛୁଆ ମାଛ ଖାଇବାକୁ ନେଇ ଘରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଶ୍ଵଶୁର ଘର ଲୋକେ ଦୁଇ ଭଉଣୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି । ଫଳରେ ଦୁଇ ଭଉଣୀ ଦୁଇ ଛୁଆଙ୍କୁ ଧରି ଶ୍ଵଶୁର ଘର ଆଗରେ ଧାରଣାରେ ବସିଛନ୍ତି। ସେପଟେ ଏହି ଅଭିଯୋଗକୁ ରଶ୍ମି ଓ ସସ୍ମିତାଙ୍କ ଶାଶୂ ଖଣ୍ଡନ କରିଛନ୍ତି।