ଗଙ୍ଗୁଆ ନାଳ ତଥା କୁଆଖାଇ ନଦୀ କଡ଼ରେ କାହିଁ କେଉଁ କାଳରୁ ଗଢ଼ି ଉଠିଥିବା ‘ସମେଇଗାଡ଼ିଆ’ଗାଁ ଇତିହାସରେ ସ୍ଥାନ ପାଇପାରିନି। ଐତିହାସିକମାନେ ବି ଏ ଗାଁର ଉତ୍ପତ୍ତିର ସମୟ ସଂପର୍କରେ ବେଶି କିଛି କହିପାରନ୍ତିନି। କିନ୍ତୁ ନିଜ ଜେଜେ, ଅଣ-ଜେଜେଙ୍କଠାରୁ ଶୁଣି ଆସିଥିବା ଗାଁର କିଛି ପୁରୁଖା ଲୋକ ଯାହା କହନ୍ତି, ତାହା ବେଶ୍ ରୋଚକପୂର୍ଣ୍ଣ। ସେମାନଙ୍କ କହିବା କଥା, ପଟିଆର କେଉଁ ରାଜାଙ୍କ ଶାସନ ଅମଳରେ ଏଠି ଜନବସତି ଗଢ଼ି ଉଠିଥିଲା। ଏହି ଗାଁ ଭୂଇଁରେ ରାଜାଙ୍କର ସମରଗଡ଼ ଥିଲା। ଏଠି ରାଜାଙ୍କ ହାତୀ ଓ ଘୋଡ଼ାଶାଳ ଥିଲା। ସେଠାରେ ଶହଶହ ହାତୀ, ଘୋଡ଼ା ରହୁଥିଲେ। ପର୍ଯ୍ୟାପ୍ତ ଚାରଣ ଭୂମି ସାଙ୍ଗକୁ ଗଙ୍ଗୁଆ ପାଣି ସେମାନଙ୍କ ଭୋକ ଶୋଷ ମେଣ୍ଟାଉଥିଲା। ସେ ସମୟରେ ଏହାକୁ ଲୋକମାନେ ବଉଳପଦା ବୋଲି ବି କହୁଥିଲେ। କାରଣ ଏଠାକାର ବଉଳ ଗଛରେ ରାଜାଙ୍କ ଘୋଡ଼ା ବନ୍ଧା ଯାଉଥିଲେ। ରାଜାଙ୍କ ପୃଷ୍ଠପୋଷକତାରେ ପ୍ରଥମେ ଏକ ବ୍ରାହ୍ମଣ ପରିବାର ଏଠି ବସତି ସ୍ଥାପନ କଲା। ସେତେବେଳେ ଆଖପାଖ ୫ଖଣ୍ଡ ମଉଜାରେ ପୂଜା, ହୋମ କାର୍ଯ୍ୟ ପାଇଁ କେହି ବ୍ରାହ୍ମଣ ନଥିଲେ। କାଳକ୍ରମେ ତାହା ବ୍ରାହ୍ମଣ ଶାସନ ଓ ପରେ ଗାଁର ରୂପ ନେଇଥିଲା। ଗାଁର ଚତୁଃପାର୍ଶ୍ବରେ ଦେବଦେବୀ ଗାଁକୁ ସୁରକ୍ଷା ଦେଇ ଆସୁଥିଲେ। ପୂର୍ବରେ ସପ୍ତସତୀ, ପଶ୍ଚିମରେ ଦାସରାଜା, ଉତ୍ତରରେ ବାସୁଳେଇ ଓ ଦକ୍ଷିଣରେ ପାଟଦେଇ ପୂଜା ପାଉଛନ୍ତି।
ଦାଣ୍ଡଘର ଗୁହାଳ
୫୦-୬୦ ବର୍ଷ ତଳେ ଗାଁରେ ମୋଟ ଉପରେ ୨୭ଟି ପରିବାର ଥିଲା। ଲୋକଙ୍କ ଆର୍ଥିକ ସ୍ଥିତି ଆଦୌ ସ୍ବଚ୍ଛଳ ନଥିଲା। କାଁ ଭାଁ ଜଣେ ଦୁଇଜଣଙ୍କ ଛାଡ଼ିଦେଲେ, ବାକି ସବୁ ଘର ଚାଳ ଓ ଆଟୁଘର ଥିଲା। ଲୋକେ ଚାଷ ଓ ଗୋ-ପାଳନ କରି ଜୀବିକା ନିର୍ବାହ କରୁଥିଲେ। ଅଧିକାଂଶ ସମୟରେ ବୁଡ଼ୁନଦୀ ପାଣିରେ ଚାଷ ଜମି ଧୋଇ ଯାଉଥିଲା। ସେତେବେଳେ ଗୋ-ପାଳନ ହିଁ ଚଳିବାର ଏକମାତ୍ର ପନ୍ଥା ଥିଲା। ଲୋକଙ୍କ ଦାଣ୍ଡଘର ଗୁହାଳ ଥିଲା। ବିଶ୍ବାସ ଥିଲା, ଗୁହାଳ ଦେଇ ଘରକୁ ଗଲେ ରିଷ୍ଟ କଟିଯାଏ। ଗାଁ ରାସ୍ତା କାଦୁଅ ପଚପଚ ଧୋଡ଼ା ରାସ୍ତା ଥିଲା। ଗାଁର ପୂର୍ବ, ପଶ୍ଚିମ ଓ ଉତ୍ତରରେ ଚାଷ ଜମି ଥିବା ବେଳେ ଦକ୍ଷିଣରେ ଗ୍ରାମ୍ୟ ଜଙ୍ଗଲ ଥିଲା। ସନ୍ଧ୍ୟା ହେଲେ ବିଲୁଆଙ୍କ ରଡ଼ିରେ ଗାଁ ଫାଟି ପଡ଼ୁଥିଲା। ୯୦ ମସିହା ବେଳକୁ ଧୀରେ ଧୀରେ ଗାଁର ଚିତ୍ର ବଦଳିଲା। କାଦୁଅ ରାସ୍ତା କଂକ୍ରିଟ୍ ହେଲା। ଧାନ ଜମି ସବୁ ଘରଡିହ ଭାବେ ବିକ୍ରି ହେଲା। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେଲା ଓ ଧୀରେଧୀରେ ଚାଳଘର ସବୁ ଛାତରେ ରୂପାନ୍ତରିତ ହୋଇଗଲା। ଗାଁ ଲୋକ ବି ଚାଷବାସ ଛାଡ଼ି ଚାକିରି ଓ ବେପାର ବଣିଜ ଆରମ୍ଭ କଲେ।
ଦଶ ଖଣ୍ଡ ମଉଜାର ଯଜମାନୀ ତୁଲାଉଥିଲେ ଗାଁ ବ୍ରାହ୍ମଣ
ଗାଁରେ ଅଧିକାଂଶ ପରିବାର ଜାତିରେ ବ୍ରାହ୍ମଣ। ସେତେବେଳେ ଆଖପାଖ ଦଶଖଣ୍ଡ ମଉଜାରେ ସେମାନେ ପୁରୋହିତଗିରି କରୁଥିଲେ। ପାଣ୍ଡରା, ଚକେଇସିହାଣୀ, କୋରଡ଼କଣ୍ଟା, ମଞ୍ଚେଶ୍ବର, ରସୁଲଗଡ଼ ଓ ନୂଆପଲ୍ଲୀ ଆଦି ଗାଁକୁ ବି ଯଜମାନଙ୍କ ପୂଜାର୍ଚ୍ଚନା କାମ ପାଇଁ ଯାଉଥିଲେ। ୨୦୦୦ ମସିହା ବେଳକୁ ଏସବୁ ଗାଁକୁ ସହର ଗିଳିଦେଲା। ଲୋକମାନେ ପୂର୍ବ ପୁରୋହିତଙ୍କୁ ଛାଡ଼ି ଆଖପାଖ ମନ୍ଦିରର ନନାମାନଙ୍କୁ ଡାକି ପୂଜାହୋମ କରାଇଲେ। ଫଳରେ ଧୀରେଧୀରେ ଯଜମାନୀ ପ୍ରଥା ବନ୍ଦ ହୋଇଗଲା।
ଗାଁର ଚାଷଜମିରେ ଛିଡ଼ା ହୋଇଛି ବିହାର, ନଗର
ସଚିବାଳୟରେ ଚାକିରି କରିଥିବା ଅକ୍ଷୟ ତ୍ରିପାଠୀ ପ୍ରଥମେ ଏ ଗାଁରେ ଜାଗା କିଣି ଘର ତୋଳିଥିଲେ। ପରେ ପରେ ଗାଁର କିଛି ଚାଷ ଜମିରେ ଶିଳ୍ପାଞ୍ଚଳ ଗଢ଼ି ଉଠିଲା। ୧୯୯୬ ବେଳକୁ ସତ୍ୟବିହାରର ଅଧିକାଂଶ ଅଂଶ ଓ ସୋମନାଥବିହାର, ବିନାୟକନଗର, ଆଶୁତୋଷନଗର, ଅନ୍ନପୂର୍ଣ୍ଣାନଗର ଓ ବିଦ୍ୟାପତିନଗର ଆଦି ଗଢ଼ି ଉଠିଛି। ଗାଁର ଚାଷ ଜମିରେ ଏକାଧିକ ଘରୋଇ ବୃହତ୍ ଅଟ୍ଟାଳିକା ଛିଡ଼ା ହୋଇଛି।
‘ଜୀବନରେଖା’ ଏବେ ଜୀବନକୁ ବିପଦ
ସେତେବେଳେ ଖରାଦିନେ ଗାଁର କୂଅ, ପୋଖରୀ ଶୁଖି ଯାଉଥିଲା। ହେଲେ ଚିରସ୍ରୋତା ଗଙ୍ଗୁଆ ଲୋକଙ୍କ ସେ ଜଳକଷ୍ଟ ଦୂର କରିଦେଉଥିଲା। ଗଙ୍ଗୁଆର ନିର୍ମଳ ପାଣିକୁ ଲୋକେ ସବୁ କାମରେ ବ୍ୟବହାର କରୁଥିଲେ। ଲୋକଙ୍କ ଜୀବନରେଖା ଥିଲା ଗଙ୍ଗୁଆ। ହେଲେ ଏବେ ସେ ଗଙ୍ଗୁଆ ଗାଁ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି। ପାଣିକୁ ବ୍ୟବହାର କରିବା ତ ଦୂରର କଥା, ନାଳ ପାଖକୁ ଯିବାକୁ ବି ଲୋକେ ମଙ୍ଗୁନାହାନ୍ତି।
ପଣା ସଂକ୍ରାନ୍ତିରେ ଜମେ ବାଦିପାଲା ଆସର
ସତ୍ୟବିହାରରେ ପୂଜା ପାଉଥିବା ବେଲବଣିଆ ଗାଁ ଇଷ୍ଟଦେବ ଓ ମା’ ହାଡ଼ବାଇ ହେଉଛନ୍ତି ଇଷ୍ଟଦେବୀ। ଏମାନେ କେଉଁ ପୁରୁଷରୁ ଗାଁରେ ରହି ଆସିଛନ୍ତି। ସେହିଭଳି ମା’ ଦୁଲାଦେଇ, ମା’ ଖଣ୍ଡୁଆଳ ଠାକୁରାଣୀଙ୍କ ବିଗ୍ରହ ମଧ୍ୟ ବହୁ ପୁରାତନ। ଗାଁର ମୁଖ୍ୟ ପର୍ବ ପଣାସଂକ୍ରାନ୍ତିରେ ୫ ଦିନ ବାଦିପାଲା ହୁଏ। ସେହିଭଳି ବେଲବଣିଆ ମଠରେ ମଧ୍ୟ ଠାକୁରଙ୍କୁ ପୂଜାର୍ଚ୍ଚନା ସହ ଏକ ପଣା ଆସର ଜମେ। ପୂରା ଗାଁ ଲୋକ ଏଥିରେ ସାମିଲ ହୁଅନ୍ତି। ସେହିଭଳି ଗ୍ରାମଦେବୀଙ୍କ ପାଖରେ ଜନ୍ତାଳ ଭୋଜି ଓ ସୋମନାଥ ମନ୍ଦିରରେ ଜାଗର ପର୍ବ ବେଶ ଧୁମ୍ଧାମ୍ରେ ପାଳନ କରାଯାଏ। ଦୀର୍ଘ ୩୦ବର୍ଷ ହେଲା, ଗାଁରେ ଗଣେଶ ପୂଜା ବେଶ୍ ଆଡ଼ମ୍ବରରେ ପାଳନ କରାଯାଉଛି।
କବିରାଜି ଚେରମୂଳିରେ ଭଲ ହେଉଥିଲା ରୋଗ
ଦେହ ପା’ ଖରାପ ହେଲେ ଲୋକେ ବାଲିଅନ୍ତା ହାଟରେ ଥିବା କବିରାଜଙ୍କ ପାଖକୁ ଯାଉଥିଲେ। ସେତେବେଳେ କର ପରିବାରର କବିରାଜୀ ଔଷଧରେ ରୋଗ ଭଲ ହେଉଥିଲା। ସେ ଚେରମୂଳି, ମୁଦୁକକୁ ଔଷଧ ଭାବେ ଦେଉଥିଲେ। ଏବେ ବି କର ପରିବାରରେ ଡାକ୍ତର ଅଛନ୍ତି ଓ ଆର୍ୟୁବେଦିକ ଚିକିତ୍ସା କରୁଛନ୍ତି। ସେହିଭଳି ଗାଈ-ଗୋରୁମାନଙ୍କୁ ରୋଗ ବେମାର ହେଲେ ଦାସରାଜା ଗୋସ୍ବମୀଙ୍କ ମନ୍ଦିରରେ ଲୋକମାନେ ମାନସିକ କରିବା ସହ ମାଜଣା ଦେଉଥିଲେ। ମାଜଣା ଦେବା ପରେ ରୋଗ ଭଲ ହୋଇଯାଉଥିବା ଲୋକଙ୍କର ବିଶ୍ବାସ ଥିଲା।
ଭଗବତ ଘରେ ସମାଧାନ ହେଉଥିଲା କଳି ଝଗଡ଼ା
ପୂର୍ବରୁ ଗାଁରେ ବିଶେଷ କଳି ଝଗଡ଼ା ନଥିଲା। କେବଳ ଜମିଜମା ପାଇଁ ବେଳେବେଳେ ଝାମେଲା ସୃଷ୍ଟି ହେଉଥିଲା। ହେଲେ କଳିଝଗଡ଼ା ଗାଁ ଭିତରେ ସମାଧାନ ହେଉଥିଲା। ଥାନା, କୋର୍ଟ କଚେରୀକୁ ଲୋକ ଯାଉ ନଥିଲେ। ଗାଁର ଭଗବତ ଘରେ ପୁରୁଖା ଲୋକମାନେ ବସି ଯାହା ନିଷ୍ପତ୍ତି ନେଉଥିଲେ, ସେଥିରେ ଉଭୟ ପକ୍ଷ ରାଜି ହେଉଥିଲେ। ସେହିଭଳି ବରିମୁଣ୍ଡରୁ ଜଣେ ଚଉକିଆ ଗାଁକୁ ଆସୁଥିଲେ। ସେ ଗାଁ ମୁଖିଆଙ୍କ ସହ ଗାଁର ଭଲ ମନ୍ଦ ନେଇ ଆଲୋଚନା କରୁଥିଲେ।
ଚାଟଶାଳୀ ପଢ଼ିବାକୁ ଯାଉଥିଲେ ଚକେଇସିହାଣୀ
୬୦ ବର୍ଷ ତଳେ ଗାଁରେ ସ୍କୁଲ ନଥିଲା। ସେତେବେଳେ ପିଲାମାନେ ପ୍ରଥମେ ପାଖ ଗାଁ ଚକେଇସିହାଣୀରେ ଥିବା ଏକ ଚାଟଶାଳୀକୁ ପଢ଼ିବାକୁ ଯାଉଥିଲେ। ତା’ ପରେ ପ୍ରାଥମିକ ଶିକ୍ଷା ପାଇଁ ମଞ୍ଚେଶ୍ବର ଗାଁ ଓ ପରବର୍ତ୍ତୀ ମୁହୂର୍ତ୍ତରେ ହାଇସ୍କୁଲ ଶିକ୍ଷା ପାଇଁ ବିଏମ୍ ହାଇସ୍କୁଲକୁ ଯାଉଥିଲେ। ଲୋକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଶିକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଉନଥିଲା। ହେଲେ କମ୍ ପାଠ ପଢ଼ି ସେତେବେଳେ ଗାଁ ଲୋକ ବିଭିନ୍ନ ସରକାରୀ ଚାକିରି ପାଇ ଯାଉଥିଲେ।
ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବିବାହ
ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବିବାହ ପ୍ରଥା ବି ଏଠି ପ୍ରଚଳିତ ଥିଲା। ମରୁଡ଼ି ଭଳି ପରିସ୍ଥିତି ଉପୁଜିଲେ, ଲୋକେ ଗାତ ଖୋଳି ସେଥିରେ ବେଙ୍ଗ-ବେଙ୍ଗୁଲିଙ୍କୁ ହଳଦୀ ପାଣିରେ ବୁଡ଼ାଇ ବିବାହ କରାଉଥିଲେ। ଲୋକଙ୍କ ବିଶ୍ବାସ ଥିଲା ଯେ ବେଙ୍ଗ ରଡ଼ିରେ ଇନ୍ଦ୍ରଦେବ ବର୍ଷା କରିଥା’ନ୍ତି।
ଗାଁର ପୁରୁଖା ଲୋକ ପ୍ରଫୁଲ୍ଲ ଚନ୍ଦ୍ର ରାଉଳ, ପର୍ଶୁରାମ ପତି, ମହେନ୍ଦ୍ର ପତି, ଦେବେନ୍ଦ୍ର ପତି ଓ ଚୈତନ ଦାଶଙ୍କ ସୂଚନା ଓ ସହଯୋଗ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।