କଳା ଓ ସଂସ୍କୃତି ଧର୍ମ

‘ନରକ’ର ବିନାଶକାରିଣୀ- ନାରୀ

କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ଆଲୋକର ପର୍ବ ଭାବରେ ସାରା ଭାରତରେ ପାଳିତ ହୁଏ। ଏହି ଚତୁର୍ଦ୍ଦଶୀକୁ ନରକ ଚତୁର୍ଦ୍ଦଶୀ, କାଳୀ ଚୌଦାସ, ରୂପ ଚୌଦାସ, ଛୋଟି ଦିୱାଲି, ନରକ ନିର୍ବାଣ ଚତୁର୍ଦ୍ଦଶୀ, ଭୂତ ଚତୁର୍ଦ୍ଦଶୀ, ଅଭ୍ୟଙ୍ଗ ସ୍ନାନ ଚତୁର୍ଦ୍ଦଶୀ ଆଦି ନାମରେ ନାମିତ କରାଯାଇଥାଏ। ଏହା ଶିବ ଚତୁର୍ଦ୍ଦଶୀ ହେଲେ ହେଁ, କଥିତ ଅଛି ଯେ ଏହି ଦିନରେ ଶୁଦ୍ଧସ୍ନାନ କରି ଶ୍ରୀବିଷ୍ଣୁ ଓ ମା’ କାଳୀଙ୍କୁ ଦୀପଦାନ କରି ପୂଜା କଲେ ମନୁଷ୍ୟକୁ ନରକ ଭୋଗ କରିବାକୁ ପଡ଼େ ନାହିଁ।

ଏ ସଂପର୍କରେ ପୁରାଣରେ ଏକ ଆଖ୍ୟାନ ଅଛି। ଏକଦା ଭୂଦେବୀଙ୍କଠାରୁ ଜାତ ନରକ ନାମକ ଅସୁର ତ୍ରିଲୋକ ବିଜୟ କରି ପ୍ରାଣୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲା। ଏପରିକି ସେ ଦେବମାତା ଅଦିତିଙ୍କର ଦିବ୍ୟକୁଣ୍ଡଳ ଅପହରଣ କରି ନେଲା। କାରଣ, ଏହି ଅସୁର ବର ପାଇଥିଲା ଯେ କୌଣସି ପୁରୁଷ ହସ୍ତରେ ସେ ବଧ ହେବ ନାହିଁ। କେବଳ ଜଣେ ନାରୀ ହିଁ ତାକୁ ନିଧନ କରିପାରିବେ। ତେଣୁ ସେ ଅତ୍ୟନ୍ତ ଉଦ୍ଧତ ହୋଇ ପଡ଼ିଥିଲା।

ନରକାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବତାମାନେ ତାକୁ ବଧ କରିବା ପାଇଁ ଶ୍ରୀକୃଷ୍ଣଙ୍କର ଶରଣ ପଶିଲେ। ଫଳରେ, ପତ୍ନୀ ସତ୍ୟଭାମାଙ୍କ ସହିତ ଶ୍ରୀକୃଷ୍ଣ ତାକୁ ବଧ କରିବାକୁ ବାହାରିଲେ। ନରକାସୁରର ଗଡ଼କୁ ଅସଂଖ୍ୟ ରାକ୍ଷସ ବେଢ଼ି ରହିଥିଲେ। ସେମାନଙ୍କ ସଙ୍ଗେ ଯୁଦ୍ଧ କରିବା ସହିତ ସେମାନଙ୍କୁ ବଧ କରି କରି ଶ୍ରୀକୃଷ୍ଣ କ୍ଳାନ୍ତ ହୋଇ ପଡ଼ିଲେ। ଏହା ଦେଖି ସତ୍ୟଭାମା ଧନୁତୀର ଧରି ଯୁଦ୍ଧ କଲେ ଏବଂ ନରକାସୁରକୁ ବଧ କଲେ।

କିନ୍ତୁ ଭୂଦେବୀଙ୍କ ଅନୁରୋଧରେ, ମୃତ୍ୟୁ ପୂର୍ବରୁ କୌଣସି ଏକ ବରକାମନା କରିବାକୁ ଶ୍ରୀକୃଷ୍ଣ କହିବାରୁ ନରକାସୁର ଅନୁରୋଧ କଲା- “ପ୍ରଭୁ! ଆପଣଙ୍କ ଦର୍ଶନରେ ମୋର ସମସ୍ତ ପାପ ନଷ୍ଟ ହୋଇଗଲା ଏବଂ ମୁଁ ମୁକ୍ତି ପାଇଲି। ଠିକ୍ ଏହିପରି, ମୋର ମୃତ୍ୟୁ ଦିବସରେ ଯେଉଁ ବ୍ୟକ୍ତି ଶୁଦ୍ଧ ସ୍ନାନ କରି ଆପଣଙ୍କୁ ଭଜନ ପୂଜନ କରିବ, ତାକୁ ନରକଦର୍ଶନ କରିବାକୁ ପଡ଼ିବ ନାହିଁ। ଏବଂ ମୋର ମୃତ୍ୟୁ ଦିବସକୁ ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ଉତ୍ସବ ଭାବରେ ତ୍ରିଲୋକ ପାଳନ କରିବ।

ସେହିଦିନଠାରୁ ଏହି ତିଥି ସାରା ଭାରତରେ ‘ନରକ ନିର୍ବାଣ ଚତୁର୍ଦ୍ଦଶୀ’ ଭାବରେ ପାଳିତ ହେଉଛି। ‘ସାନ ଦୀପାବଳି’ ଭାବରେ ମଧ୍ୟ ଏହା ପାଳନ କରାଯାଏ। ଏହି ଅବସରରେ ସତ୍ୟଭାମା ସ୍ୱରୂପିଣୀ ନାରୀଶକ୍ତିଙ୍କୁ ମହାକାଳୀ ଭାବରେ ପୂଜନ କରାଯାଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ