ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର କାରଣ ଉପରୁ ପରଦା ଉଠିନି। କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। କେବଳ ସେତିକି ନୁହେଁ, ନବଙ୍କ ହତ୍ୟା ପୂର୍ବରୁ ଗୋପାଳର ପ୍ରସ୍ତୁତି ନେଇ ଏକ ଭିଡ଼ିଓ ଆଜି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏପଟେ କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ବାଦିପାଲା ଆରମ୍ଭ କରିଦେଲେଣି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଏକ ମନ୍ତବ୍ୟ ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ଏହି ହତ୍ୟାକାଣ୍ଡ ଘଟଣାରେ ସେ ସିଧାସଳଖ ଭାବେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରକୁ ଆଙ୍ଗୁଠି ଉଠାଇବା ସହିତ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରିଛି। ଜୟନାରାୟଣଙ୍କ ଏପରି ଅପ୍ରତ୍ୟାଶିତ ମନ୍ତବ୍ୟ ପରେ ବିଜେଡି ବି ଶାଣିତ ଶଦ୍ଦରେ ବିଜେପିକୁ ଜବାବ ଦେଇଛି। ଜୟନାରାୟଣଙ୍କ ମନ୍ତବ୍ୟକୁ ପାଗଳର ପ୍ରଳାପ ବୋଲି କହିଛି। କଥା ସେତିକିରେ ଅଟକିନି। ଏହା ପରେ ଉଭୟ ଦଳ ପରସ୍ପରର ଗୋହି ଖୋଳିବା ଆରମ୍ଭ କରିଦେଇଛନ୍ତି।
ବିଜେପି ଟାର୍ଗେଟରେ ୫-ଟି ସଚିବ, ବବି
ଟେଲିଫୋନ୍ ଯାଞ୍ଚ ସହ ତଦନ୍ତ ପରିସରଭୁକ୍ତ ଦାବି
ବିଜେଡି ଟାର୍ଗେଟରେ ଜୟ ନାରାୟଣ, ଧର୍ମେନ୍ଦ୍ର
ଚର୍ଚ୍ଚାରେ ଜୟଙ୍କ ମାମଲା, ଲକ୍ଷ୍ମୀଦତ୍ତ ହତ୍ୟା ପ୍ରସଙ୍ଗ
ଜୟନାରାୟଣଙ୍କୁ ପାଗଳ ଆଖ୍ୟା ଦେଲେ ପ୍ରଶାନ୍ତ, ପ୍ରମିଳା
ବିଜେପି କହିଲା ପ୍ରମିଳାଙ୍କ ଡାଲି ଦୁର୍ନୀତି, ପ୍ରଣବଙ୍କ ବ୍ଲାକ୍ ରୋଜ୍ କଥା
ଆଜି ବିଧାନସଭା ପରିସରରେ ବିଜେପି ବିଧାୟକମାନେ ଧାରଣା ଦେଇଥିଲେ। ସେଠାରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ ଯେ ନବ ଦାସଙ୍କ ହତ୍ୟାର ୪ଦିନ ପୂର୍ବରୁ ଫାଇଭ-ଟି ସଚିବ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଟେଲିଫୋନରେ କ’ଣ କଥାବାର୍ତ୍ତା ହୋଇଥିଲେ ତାହା ଯାଞ୍ଚ୍ର ପରିସରକୁ ଆସୁ। ତା’ହେଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ। କିନ୍ତୁ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଓଡ଼ିଶା ପୁଲିସ ସେମାନଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ। ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି। ନବ ଦାସଙ୍କ ହତ୍ୟା ହେଉଛି ସରକାରୀ ପ୍ରାୟୋଜିତ ହତ୍ୟା । ଯେଉଁଠି ସରକାର
ନିଜେ ସରକାରଙ୍କୁ(ସ୍ୱାସ୍ଥ୍ୟ ମନ୍ତ୍ରୀ) ମାରିପାରୁଛନ୍ତି ସେଠାରେ ସାଧାରଣ ଲୋକ କ’ଣ ସୁରକ୍ଷିତ କି ବୋଲି ସେ ପ୍ରଶ୍ନ କରିଥିଲେ।
ଜୟନାରାୟଣଙ୍କ ଏପରି ମନ୍ତବ୍ୟ ପରେ ତତ୍କ୍ଷଣାତ ବିଜେଡି ପକ୍ଷରୁ ତାହାର ପ୍ରତିବାଦ କରାଯାଇଥିଲା। ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଲେ, ବିରୋଧୀ ଦଳ ନେତା କିଛିଦିନ ହେଲା ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି। ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜେଡି ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଇବା ଜରୁରି। ଶ୍ରୀ ମିଶ୍ରଙ୍କ ନାଁରେ ହତ୍ୟା ଭଳି ୧୬ଟି ସଂଗିନ ଅପରାଧିକ ମାମଲା ରୁଜୁ ହୋଇଛି। ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ଦୀର୍ଘଦିନ ଧରି ଜେଲ୍ରେ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି। ପୂର୍ବରୁ ସେ ତାଙ୍କରି ବିଜେପି ଦଳର ରାଜ୍ୟ ସଭାପତିଙ୍କୁ ମଧ୍ୟ ଚପଲରେ ବାଡେଇ ଲହୁଲୁହାଣ କରି ଦେଇଥିଲେ। ଆଉ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ସର୍ବସମକ୍ଷରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ, ବିଧାନସଭାରେ ତାଙ୍କରି ଦଳର ନେତା ଟଙ୍କା ଖାଇ ମ୍ୟାନେଜ ହେଉଛନ୍ତି ବୋଲି ପାଗଳଙ୍କ ଭଳି ବୟାନ ଦେଇଥିଲେ ଜୟନାରାୟଣ। ତାଙ୍କର ଏଭଳି ଆଚରଣ ଓ ଉଚ୍ଚାରଣକୁ ଦେଖି ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଖୋଦ୍ ବିଜେପି ଦଳର ଅନେକ ନେତା କହୁଛନ୍ତି।
ସନ୍ଧ୍ୟାରେ ପୁଣି ଗଣମାଧ୍ୟମ ସାମ୍ନାରେ ଜୟନାରାୟଣଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଗଞ୍ଜାମ ଓ ବରଗଡ଼ରେ ଦୁଇଟି ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବିଜେପି ନେତାମାନଙ୍କୁ ଟାଣିବା ସହ ପଦ୍ମପୁର ଉପନିର୍ବାଚନ ବେଳେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେଉଥିବା ଉଭୟ ବିଜେପି ନେତା ନିଜକୁ ବଞ୍ଚାଇବା ଲାଗି ମନଗଢ଼ା କାହାଣୀ ଗପୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀମତୀ ମଲ୍ଲିକ କହିଛନ୍ତି, ସେ କହିଛନ୍ତି, ୨୦୧୭ ମସିହାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଥିବା ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଉତ୍ତରାଖଣ୍ଡ ସରକାରୀ ଅତିଥି ଭବନରେ ରଖିବାକୁ ସବୁ ବ୍ୟବସ୍ଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ। ସେହିପରି ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନ ବେଳେ ଦିଲେଶ୍ବର ସାହୁ ହତ୍ୟା ମାମଲାରେ ସଂପୃକ୍ତି ପାଇଁ ଜୟନାରାୟଣ ମିଶ୍ର ଓ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ। ପଶ୍ଚିମ ଓଡ଼ିଶାରେ ପୂର୍ବତନ ମନ୍ତ୍ରୀ ନବ ଦାସ ବିଜେଡିର ଯେଉଁ ଶକ୍ତିଶାଳୀ ସଂଗଠନ ତିଆରି କରିଥିଲେ, ତାହାକୁ ସାମ୍ନା କରିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତୃବୃନ୍ଦଙ୍କ ପକ୍ଷରେ ସମ୍ଭବ ଥିଲା। କେନ୍ଦ୍ର ମନ୍ତ୍ରୀଙ୍କ ଭାଷଣରୁ ଏହି ହତାଶା ବାରି ହୋଇପଡ଼ୁଥିଲା। ସେଥିପାଇଁ ସ୍ବର୍ଗତ ଦାସଙ୍କୁ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଧମକ ଦେବାକୁ ପଛାଇ ନଥିଲେ। ନବ ଦାସଙ୍କ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ଜାଣିସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ୍ ତଦନ୍ତ ସେମାନଙ୍କ ଆଡ଼କୁ ଯାଉଛି। ସେମାନେ ଆତଙ୍କିତ ହୋଇ ନିଜକୁ ବଞ୍ଚାଇବା ପାଇଁ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ଯେତେ ଚେଷ୍ଟା କଲେ ବି ସେମାନେ ଏଥିରୁ ଖସିପାରିବେ ନାହିଁ।
ବିରୋଧୀ ଦଳ ନେତାଙ୍କୁ ପାଗଳ ବୋଲି ଆକ୍ଷେପ କରାଯିବାକୁ ପ୍ରତିବାଦ କରିଛି ବିଜେପି। ଦଳର ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ବିଜେଡି ଶାଳୀନତାର ସମସ୍ତ ସୀମା ଅତିକ୍ରମ କରିଛି। ବିଜେଡି ନେତାମାନେ ଅତ୍ୟନ୍ତ ନିମ୍ନ ସ୍ତରକୁ ଯାଇ ବିରୋଧୀ ଦଳ ନେତାଙ୍କୁ ପାଗଳ କହିବା ଦୁର୍ଭାଗ୍ୟଜନକ। ନବ ଦାସ ହତ୍ୟାକାଣ୍ଡର ପର୍ଦାଫାସ ହେବାର ଭୟ ବିଜେଡି ନେତାଙ୍କୁ ଘାରିଛି। ହତ୍ୟାକାଣ୍ଡର ସତ୍ୟତା ଉନ୍ମୋଚନ ହେବା ପାଇଁ ବିରୋଧୀ ଦଳ ନେତା ଦୁଇ ଜଣଙ୍କୁ ତଦନ୍ତର ସମ୍ମୁଖୀନ ହେବା ପାଇଁ କହିଛନ୍ତି। ତଦନ୍ତ ନ ହେଉଣୁ ବିଜେଡି ନୋତାମାନେ ସନ୍ଦେହ ଘେରରେ ଥିବା ଅଭିଯୁକ୍ତିଙ୍କୁ କ୍ଲିନ୍ ଚିଟ୍ ଦେବା କେତେଦୂର ଯୁକ୍ତିଯୁକ୍ତ?
ସେହିପରି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଡାଲି ଦୁର୍ନୀତି କଥା ଉଖାରି ସଇତାନର ବେଦପାଠ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ। ପ୍ରମିଳା ଡାଲି ଦୁର୍ନୀତି କରି ମନ୍ତ୍ରିମଣ୍ଡଳରୁ ତଡ଼ା ଖାଇଥିଲେ। ଏବେ ନିଜ ଚାକିରି ବଞ୍ଚାଇବା ପାଇଁ ଓକିଲାତି କରୁଛନ୍ତି ବୋଲି ସୋନାଲି କହିଛନ୍ତି। ଏହା ସହ ବ୍ଲାକ୍ ରୋଜ୍ ମାମଲାରେ କୋଟି କୋଟି ଟଙ୍କାର ଦୁର୍ନୀତିରେ ପ୍ରଣବ ଦାସଙ୍କ କେତେ ସଂପୃକ୍ତି ଅଛି ଓ ୫-ଟି ସଚିବ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି, ତାହାର ଉତ୍ତର ଦେବାକୁ ସେ ଆହ୍ବାନ ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l